ବାୟୁସେନାରେ ସାମିଲ ହେଲା ‘ଆପାଚେ’

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମେରିକୀୟ କଂପାନି ବୋଇଂ ଦ୍ୱାରା ନିର୍ମିତ ଲଢ଼ୁଆ ହେଲିକପ୍ଟର ‘ଆପାଚେ ଏଏଚ-୬୪ଇ’କୁ ମଙ୍ଗଳବାର ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି । ପଞ୍ଜାବର ପଠାନକୋଟ ସ୍ଥିତ ବାୟୁସେନା ଷ୍ଟେସନରେ ଏଥିପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ଦଫାରେ ଆଠଟି ଆପାଚେ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବି ଏସ ଧନୋଆଙ୍କୁ ବୋଇଂ କଂପାନିର ଜଣେ ବରିÂ ଅଧିକାରୀ ବିଧିବଦ୍ଧ ଭାବେ ଏହି ହେଲିକପ୍ଟରଗୁଡ଼ିକୁ ହସ୍ତାନ୍ତର କରିଥିଲେ ।
ଏହା ଉପରେ ପ୍ରତିକ୍ରିୟା ଦେଇ ବାୟୁସେନା ମୁଖ୍ୟ କହିଛନ୍ତି ଯେ ଏହାକୁ ବିଶ୍ୱର ଏକ ଶକ୍ତିଶାଳୀ ଲଢ଼ୁଆ ହେଲିକପ୍ଟର ଭାବେ ବିବେଚନା କରାଯାଏ । ବିଭିନ୍ନ ପ୍ରକାରର ମିଶନ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ । ଏହାକୁ ସାମିଲ କରାଯିବା ପରେ ଭାରତୀୟ ବାୟୁସେନାର ଆକ୍ରମଣ କ୍ଷମତା ବୃଦ୍ଧି ପାଇବ । ଭାରତୀୟ ବାୟୁସେନା ପୂର୍ବରୁ ରୁଷ ନିର୍ମିତ ଏମଆଇ-୩୫ ଲଢ଼ୁଆ ହେଲିକପ୍ଟର ବ୍ୟବହାର କରୁଥିଲାବେଳେ ତା’ ବଦଳରେ ଏବେ ଏହି ଆପାଚେ ହେଲିକପ୍ଟର ବ୍ୟବହାର କରିବାକୁ ଯୋଜନା କରିଛି ।
୨୦୧୫ ମସିହାରେ ଆମେରିକା ଠାରୁ ଏଧରଣର ସମୁଦାୟ ୨୨ଟି ହେଲିକପ୍ଟର କିଣିବାକୁ ଭାରତ ଚୁକ୍ତି କରିଥିଲା । ଉଭୟ ହେଲିକପ୍ଟର ଏବଂ ଏଥିରେ ଲଗାଯିବାକୁ ଥିବା ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଭାରତ ସମୁଦାୟ ୪୧୬୮ କୋଟି ଟଙ୍କା ବ୍ୟୟ କରିବ । ବୋଇଂ କଂପାନି ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ୨୨ଟିଯାକ ହେଲିକପ୍ଟର ଭାରତକୁ ହସ୍ତାନ୍ତର କରିବ । ଭାରତ ୧୧ଟି ଆପାଚେ ହେଲିକପ୍ଟରକୁ ପାକିସ୍ତାନ ସଂଲଗ୍ନ ସୀମା( ପଞ୍ଜାବର ପଠାନକୋଟ) ଏବଂ ବାକି ୧୧ଟିକୁ ଚୀନ୍ ସଂଲଗ୍ନ ସୀମା( ଆସାମର ଜୋରହାଟ)ରେ ମୁତୟନ କରିବାକୁ ଯୋଜନା କରିଛି ।
ଆପାଚେ ହେଲିକପ୍ଟରରେ ଦୁଇଟି ଟରବୋସାଫ୍ଟ ଇଞ୍ଜିନ ଲାଗିଛି । ଏହାର ରେଞ୍ଜ ହେଉଛି ୫୫୦ କିମି ଏବଂ ଏହା କ୍ରମାଗତଃ ଭାବେ ତିନି ଘଣ୍ଟା ଯାଏଁ ଉଡ଼ିପାରିବ । ଏହାର ବେଗ ଘଣ୍ଟା ପ୍ରତି ୨୯୩ କିମି । ଏହି ହେଲିକପ୍ଟର ଏକ ସମୟରେ ୧୨୮ଟି ଟାର୍ଗେଟ ଉପରେ ଆକ୍ରମଣ କରିପାରିବ । ଏଥିରେ ୩୬୦ ଡିଗ୍ରୀ ପରିମିତ ଅଞ୍ଚଳ ଉପରେ ନଜର ରଖୁଥିବା ଫାୟାର କଣ୍ଟେ୍ରାଲ ରାଡାର ଏବଂ ନାଇଟ ଭିଜନ ଡିଭାଇସ ବି ଲାଗିଛି । ତେଣୁ ରାତ୍ରିର ଘନ ଅନ୍ଧକାର ସମୟରେ ବି ଏହା ସାହାଯ୍ୟରେ ଶତ୍ରୁକୁ ଠାବ କରାଯାଇ ନିପାତ କରାଯାଇପାରିବ । ଅତ୍ୟାଧୁନିକ ଫାୟାର କଣ୍ଟେ୍ରାଲ ରାଡାର ସହାୟତାରେ ପାଇଲଟ ହେଲିକପ୍ଟରର ଚାରିପଟରେ ଶତ୍ରୁର ଗତିବିଧିକୁ ଲକ୍ଷ୍ୟ କରି ସେମାନଙ୍କ ଉପରେ ଆକ୍ରମଣ କରିପାରିବ । ଭୂପୃÂରୁ ଆକାଶକୁ ଲମ୍ବ ଭାବେ ଏହା ଉପରକୁ ପ୍ରତି ମିନିଟରେ ୨୦୦୦ ଫୁଟ ବେଗରେ ଉଠିପାରିବ ।
ଏହି ହେଲିକପ୍ଟରରେ ଆକାଶରୁ ଭୂପୃÂକୁ ମାଡ କରାଯାଇପାରୁଥିବା ଅତ୍ୟାଧୁନିକ ଏଜିଏମ-୧୧୪ ହେଲଫାୟାର ମିସାଇଲ ଏବଂ ଆକାଶରୁ ଆକାଶକୁ ମାଡ଼ କରାଯାଇପାରୁଥିବା ଷ୍ଟ୍ରିଙ୍ଗର ମିସାଇଲ ସଂଯୁକ୍ତ କରାଯାଇଥାଏ । ଏଧରଣର ୧୬ଟି ମିସାଇଲକୁ ଗୋଟିଏ ହେଲିକପ୍ଟରରେ ସଂଯୁକ୍ତ କରାଯାଇଥାଏ । ହେଲଫାୟାର ମିସାଇଲ ସାହାଯ୍ୟରେ ଶତ୍ରୁର ଟ୍ୟାଙ୍କ, ଭାରୀ ଯୁଦ୍ଧ ଯାନ ଆଦିକୁ ଟାର୍ଗେଟ କରାଯାଇପାରିବ । ସେହିପରି ଆପାଚେ ହେଲିକପ୍ଟରରେ ୭୦ ଏମଏମ ହାଇଡ୍ରା ରକେଟ ଓ ୭୦ ଏମଏମର ଚେନ୍ ଗନ୍ ଲାଗିଛି । ଏହି ଚେନ୍ ଗନରୁ ପ୍ରତି ମିନିଟରେ ୬୨୫ ରାଉଣ୍ଡ ଗୁଳି ଚଳାଇପାରିବ । ଆପାଚେ ହେଲିକପ୍ଟର ଭୂପୃÂରୁ ଅତି କମ ଉଚ୍ଚତାରେ ଏବଂ ତୀବ୍ର ବେଗରେ ଗତି କରିଥାଏ । ଏଥିରେ ଲାଗିଥିବା ସେନ୍ସର ଯୋଗୁ ଏହାକୁ ଶତ୍ରୁର ରାଡାରକୁ ଏଡ଼ାଇଯାଇପାରିବ ।
ବୋଇଂ କଂପାନି ଏପର୍ଯ୍ୟନ୍ତ ଏଭଳି ୨୨୦୦ ଆପାଚେ ହେଲିକପ୍ଟର ବିକ୍ରି କରିସାରିଲାଣି । ଇଣ୍ଡୋନେସିଆ, ଇସ୍ରାଏଲ, ଜାପାନ, ଇଜିପ୍ଟ, ଗ୍ରୀସ୍, ଦକ୍ଷିଣ କୋରିଆ, କୁଏତ, ସାଉଦି ଆରବ, ସିଙ୍ଗାପୁର, ନେଦରଲ୍ୟାଣ୍ଡ, ୟୁଏଇ ଏବଂ ବ୍ରିଟେନ ଭଳି ଦେଶ ଏହି ହେଲିକପ୍ଟରକୁ ସେନାରେ ସାମିଲ କରିସାରିଛନ୍ତି । ଏଭଳି ହେଲିକପ୍ଟର ହାସଲ କରିବାରେ ଭାରତ ହେଉଛି ବିଶ୍ୱର ୧୬ତମ ଦେଶ । ଭାରତ ଏବେ ଯେଉଁ ଆପାଚେ ହେଲିକପ୍ଟରକୁ କ୍ରୟ କରିଛି, ତାହା ହେଉଛି ଏହି ଧରଣର ହେଲିକପ୍ଟରର ସବୁଠାରୁ ଅତ୍ୟାଧୁନିକ ସଂସ୍କରଣ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons