ନୂଆଦିଲ୍ଲୀ:ସମ୍ପ୍ରତି ଉକ୍ରଟ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ଏବଂ ଏମ୍ଟିଏନ୍ଏଲ୍ । ଏଭଳି କ୍ଷେତ୍ରରେ ସେମାନଙ୍କ ବୋଝକୁ ଆହୁରି ବଢ଼ାଉଛି ଏମ୍ପିମାନଙ୍କୁ ଯୋଗାଇ ଦିଆଯାଉଥିବା ହାଇସ୍ପିଡ ୱାଇଫାଇ ସୁବିଧା । ଏମ୍ପିମାନଙ୍କୁ ହାଇସ୍ପିଡ ୱାଇଫାଇ ସଂଯୋଗ ଦେଇ କମ୍ପାନି ଦ୍ୱୟ ବିପୁଳ କ୍ଷତି ସହୁଥିବା କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର କହିଛନ୍ତି ।
ଟେଲିକମ୍ ମନ୍ତ୍ରାଳୟରେ ଉପଲବ୍ଧ ତଥ୍ୟ ଅନୁସାରେ, ୨୦୧୯ ମେ’ ସୁଦ୍ଧା ମହାନଗର ଟେଲିଫୋନ ନିଗମ ଲିମିଟେଡ(ଏମ୍ଟିଏନ୍ଏଲ୍) ଏବଂ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍ଏନ୍ଏଲ୍) ସାଂସଦମାନଙ୍କୁ ପାଖାପାଖି ୭୫୭ ଇଣ୍ଟରନେଟ୍ ସଂଯୋଗ ଦେଇଛନ୍ତି । ସବୁଯାକ ହାଇସ୍ପିଡ୍ ୱାଇଫାଇ ଫାଇବର ଟୁ ଦ ହୋମ୍ (ଏଫ୍ଟିଟିଏଚ୍) ସଂଯୋଗ । ଏମ୍ଟିଏନ୍ଏଲ୍ ଏକାକୀ ଏଥିମଧ୍ୟରୁ ୭୨୮ଟି ସଂଯୋଗ ଦେଇଛି ।
ଏମ୍ଟିଏନ୍ଏଲ୍ ଅନୁସାରେ, ୨୦୧୫-୧୬ରେ ଏମପିମାନଙ୍କୁ ପ୍ରଦାନ କରାଯାଇଥିବା ପ୍ରତି ୱାଇଫାଇ ସଂଯୋଗରେ ଏହା ହାରାହାରି ୧.୭ ଲକ୍ଷ ଟଙ୍କାର କ୍ଷତି ସହିଛି । ଏଥିରେ ୩ ବର୍ଷର ୱାରେଣ୍ଟି ସରିବା ପରେ ୪ ବର୍ଷର ବାର୍ଷିକ ମେଣ୍ଟେନାନ୍ସ ଚାର୍ଜ ମଧ୍ୟ ରହିଛି । କିନ୍ତୁ ପ୍ରତି ଏମ୍ପିଙ୍କ ପିଛା କମ୍ପାନି ମାସକୁ ମାତ୍ର ୧,୫୦୦ ଟଙ୍କା ଚାର୍ଜ କରୁଛି । ଫଳରେ କମ୍ପାନି ଉପରେ ଏ ବାବଦ ଆର୍ଥିକ ବୋଝ ବଢ଼ୁଥିବା ଏହା କହିଛି ।
ବିଏସ୍ଏନ୍ଏଲ୍ ପ୍ରକାଶ କରିଛି ଯେ, ପ୍ରତି ଏଫ୍ଟିଟିଏଚ୍ ସଂଯୋଗ ପାଇଁ ଜଣେ ଏମ୍ପି ପିଛା କମ୍ପାନିର ଖର୍ଚ୍ଚ ୨୫,୦୦୦ ଟଙ୍କା କିନ୍ତୁ କମ୍ପାନି ସେମାନଙ୍କଠାରୁ ମାସକୁ ମାତ୍ର ୨୨୦୦ ଟଙ୍କା ଚାର୍ଜ କରୁଛି । ସାଂସଦମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ମଧ୍ୟରେ ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନିଦ୍ୱୟ ଏକ୍ଦମ୍ ଅଣନିଶ୍ୱାସୀ ହୋଇ ପଡ଼ିଥିବା ଜଣାଯାଇଛି ।
ଗତ କିଛି ବର୍ଷ ହେବ ଅତ୍ୟନ୍ତ ଶୋଚନୀୟ ପରିସ୍ଥିତି ଦେଇ ବିଏସ୍ଏନ୍ଏଲ୍ ଗତି କରୁଛି । ଅତିରିକ୍ତ କର୍ମଚାରୀ ବାବଦ ଖର୍ଚ୍ଚ, ଦୁର୍ବଳ ପରିଚାଳନା ବ୍ୟବସ୍ଥା, ଅନାବଶ୍ୟକ ସରକାରୀ ହସ୍ତକ୍ଷେପ ଏବଂ ଆଧୁନିକୀକରଣ ଯୋଜନା କାର୍ଯ୍ୟାନ୍ୱୟନରେ ବିଳମ୍ବ ହେତୁ କମ୍ପାନି ଏହି ଦଶା ଭୋଗୁଛି । ସରକାର ୫ଜି ନିଲାମ ପାଇଁ କାର୍ଯ୍ୟ କରୁଥିବାବେଳେ କମ୍ପାନି ନିକଟରେ ୪ଜି ସ୍ପେକ୍ଟ୍ରମ୍ ବି ନାହିଁ । ୨୦୦୪-୦୫ରୁ ମୋବାଇଲ ଉପଭୋକ୍ତା ବଜାରରେ କମ୍ପାନିର ବଜାର ଅଂଶ ଅଧା ଖସିଯାଇଛି । ବର୍ତ୍ତମାନ ଏହା ପାଖାପାଖି ୧୦ଧ ରହିଛି ।
କିଛି ମାସ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଏସ୍ଏନ୍ଏଲ୍ର ସ୍ଥିତିକୁ ସମୀକ୍ଷା କରିଥିଲେ । ବିଏସ୍ଏନ୍ଏଲ୍ ଅଧ୍ୟକ୍ଷଙ୍କ ଦ୍ୱାରା ସ୍ଥିତି ଉପସ୍ଥାପନ କରାଯାଇଥିଲା । ପାଖାପାଖି ୧.୭ ଲକ୍ଷ କର୍ମଚାରୀବିଶିଷ୍ଟ ଏହି କମ୍ପାନି କିପରି ତିଷ୍ଠିବ ତାହା ଉପରେ ଏ ଯାଏ କୌଣସି ସ୍ପଷ୍ଟ ସମାଧାନ ହୋଇପାରିନାହିଁ । ବିଶେଷ କରି ବଡ଼ ସଂଖ୍ୟାରେ କର୍ମଚାରୀ ରହିଥିବାରୁ ଦରମା ଏବଂ ଅନ୍ୟାନ୍ୟ ସୁବିଧା ବାବଦ ପାଣ୍ଠି ସଂଗ୍ରହ କରିବା କମ୍ପାନି ପାଇଁ କଷ୍ଟକର ପାଲଟିଛି । କମ୍ପାନି ଉପରେ ଏହାର ଋଣ ପ୍ରଦାନକାରୀ ଏବଂ ଯୋଗାଣକାରୀମାନଙ୍କ ପ୍ରଚୁର ବକେୟା ଥିବା ଜଣେ ଯୋଗାଣକାରୀ କହିଛନ୍ତି ।
Comments are closed, but trackbacks and pingbacks are open.