ବିଓଆଇ ଅଫିସର ସଂଘର ବାର୍ଷିକ ସାଧାରଣ ବୈଠକ:ଗାଁ ଅର୍ଥନୀତିକୁ ଦୁର୍ବଳ କରିବ ବ୍ୟାଙ୍କ ସମ୍ମିଶ୍ରଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କେନ୍ଦ୍ର ସରକାରଙ୍କ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ନିଷ୍ପତ୍ତି ଦେଶର ବହୁ ବ୍ୟାଙ୍କ ଶାଖାରେ ତାଲା ପକାଇବ । ଯାହାକି ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବେ ଭାରତର ଗ୍ରାମୀଣ ଅର୍ଥନୀତିକୁ ଦୁର୍ବଳ କରିବ । ଅଖିଳ ଭାରତ ବ୍ୟାଙ୍କ ଅଧିକାରୀ ମହାସଂଘ (ଏଆଇବିଓସି) ଅଧ୍ୟକ୍ଷ ତଥା ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ ମହାସଂଘର ସାଧାରଣ ସମ୍ପାଦକ ସୁନିଲ କୁମାର ରବିବାର ଏଭଳି କହିଛନ୍ତି ।
ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ) ଅଧିକାରୀ ସଂଘ ଓଡ଼ିଶା ୟୁନିଟ୍ର ୩୮ତମ ବାର୍ଷିକ ସାଧାରଣ ବୈଠକରେ ଯୋଗଦେଇ ଶ୍ରୀ କୁମାର କହିଛନ୍ତି, ବିଶ୍ୱର କୌଣସି ସ୍ଥାନରେ ବ୍ୟାଙ୍କ ସମ୍ମିଶ୍ରଣ ସଫଳ ହୋଇନି । ଭାରତୀୟ ଅର୍ଥ ବ୍ୟବସ୍ଥାରେ ବ୍ୟାଙ୍କ ସମ୍ମିଶ୍ରଣର କୌଣସି ସ୍ଥାନ ନାହିଁ । ଏଠାକାର ଅର୍ଥ ବ୍ୟବସ୍ଥା ହେଉଛି ଗ୍ରାମୀଣ ଅର୍ଥ ବ୍ୟବସ୍ଥା । ଗାଁ ଅର୍ଥନୀତିକୁ ସମୃଦ୍ଧ କରିବାକୁ ହେଲେ ଉପାନ୍ତ ଅଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବାର ଆବଶ୍ୟକତା ରହିଛି । ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ଅଧିକ ଋଣ ଯୋଗାଣ ହେବା ଉଚିତ । କିନ୍ତୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଫଳରେ ବହୁ ବ୍ୟାଙ୍କ ଶାଖା ବନ୍ଦ ହୋଇଯିବ । ଫଳରେ ଲୋକମାନେ ବ୍ୟାଙ୍କିଙ୍ଗ୍ ସୁବିଧାରୁ ବଞ୍ଚିତ ହେବେ । ଯାହାକି ଭାରତର ଗ୍ରାମୀଣ ଅର୍ଥନୀତିକୁ ବହୁମାତ୍ରାରେ ପ୍ରଭାବିତ କରିବ ବୋଲି ସେ କହିଛନ୍ତି ।
ସେହିପରି ଏଆଇବିଓସି ଅଧ୍ୟକ୍ଷ କହିଛନ୍ତି, ଏସ୍ବିଆଇ ବ୍ୟାଙ୍କ ସମ୍ମିଶ୍ରଣ ଓ ବିଓବି ବ୍ୟାଙ୍କ ସମ୍ମିଶ୍ରଣ ଫଳରେ ବହୁ କର୍ମଚାରୀ ନିଯୁକ୍ତି ହରାଇଛନ୍ତି । ଏଣୁ ଏବେକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସମ୍ମିଶ୍ରଣ ପଦକ୍ଷେପ ବି କର୍ମଚାରୀ ଛଟେଇର କାରଣ ପାଲଟିବ । ଏହାପରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ଘରୋଇ କମ୍ପାନିଙ୍କ ହାତକୁ ଟେକିଦେବାକୁ ପଦକ୍ଷେପ ନେବାର ଆଶଙ୍କା କରାଯାଉଛି । ଏଣୁ ଏହାକୁ ବିରୋଧ କରି ସେପ୍ଟେମ୍ବର ୨୫ ତାରିଖ ରାତି ୧୨ଟାରୁ ୨୭ ତାରିଖ ରାତି ୧୨ଟା ଯାଏଁ ଧର୍ମଘଟ ପାଇଁ ଏଆଇବିଓସି ସମେତ ୪ଟି ଅଫିସର ସଂଘ ଆହ୍ୱାନ ଦେଇଛନ୍ତି । ଏଥିରେ ବ୍ୟାଙ୍କ କର୍ମଚାରୀ ସଂଘ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହାପରେ ୨୮ ଓ ୨୯ ତାରିଖ ଯଥାକ୍ରମେ ଚତୁର୍ଥ ଶନିବାର ଓ ରବିବାର ଥିବାରୁ ଛୁଟି ରହିବ । ଏଣୁ ବ୍ୟାଙ୍କିଙ୍ଗ୍ ସେବା ଲଗାତର ୪ ଦିନ ପାଇଁ ପ୍ରଭାବିତ ହେବ । ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ ସଂଘ ଓଡ଼ିଶା ୟୁନିଟ୍ ବାର୍ଷିକ ସାଧାରଣ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଓଆଇଓଏଓୟୁ ସଭାପତି ସ୍ମୃତି ରଞ୍ଜନ ସାହୁ, ବିଓଆଇଓଏ ମହାସଂଘର ସଭାପତି ବି ଏନ୍ ମଧୁସୂଦନ, କାର୍ଯ୍ୟକାରୀ ସଭାପତି ସଞ୍ଜୟ ଦାସ, ମହାସଂଘ ଉପସଭାପତି ସୁନିଲ ଲାକ୍ରାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons