ନୂଆଦିଲ୍ଲୀ:କେତେକ ବିକାଶମୁଖୀ ରାଷ୍ଟ୍ରଗୁଡିକ ବିରୋଧରେ ବିଦ୍ରୋହଭାବ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏମାନେ ଦ୍ରୁତ ବେଗରେ ବଢ଼ୁଥିବା ସତ୍ତେ୍ୱ କ’ଣ ପାଇଁ ବିକାଶମୁଖୀ ରାଷ୍ଟ୍ରର ମାନ୍ୟତା ଧରି ବସିଛନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଏସବୁ ରାଷ୍ଟ୍ରଗୁଡିକୁ ପ୍ରଦାନ କରାଯାଉଥିବା ଅନୁଚିତ ସୁବିଧାଗୁଡିକୁ ୯୦ ଦିନ ମଧ୍ୟରେ ପ୍ରତ୍ୟାହାର କରିନେବା ପାଇଁ ସେ ବିଶ୍ୱ ବାଣିଜ୍ୟ ସଂଘ(ଡବ୍ଲ୍ୟୁଟିଓ) ଉପରେ ଚାପ ପକାଇଛନ୍ତି । ତେବେ ଏସବୁ ମଧ୍ୟରେ ତାଙ୍କ ଟାର୍ଗେଟ୍ରେ ଚୀନ୍ ଏବଂ ଭାରତ ରହିଛନ୍ତି । ଯଦିଓ ତାଙ୍କ ସ୍ମାରକପତ୍ରରେ ଭାରତର ନାଁ ନାହିଁ ତଥାପି ଏହା ମଧ୍ୟ ତାଙ୍କ ନଜରରେ ଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଡବ୍ଲ୍ୟୁଟିଓ ନିୟମ ଅନୁସାରେ ବିକାଶମୁଖୀ ରାଷ୍ଟ୍ରଗୁଡିକୁ ବିଭିନ୍ନ ପ୍ରକାର ସୁବିଧା ମିଳିଥାଏ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡବ୍ଲ୍ୟୁଟିଓ ନିକଟରେ ଅନୁରୋଧ କରିଛନ୍ତି ଯେ, ବିକାଶମୁଖୀ ରାଷ୍ଟ୍ରର ସଂଜ୍ଞା ବଦଳାଯାଉ । ଦ୍ରୁତ ଅର୍ଥନୈତିକ ପ୍ରଗତି ଜରିଆରେ ଆଗକୁ ବଢ଼ିଚାଲିଥିବା ରାଷ୍ଟ୍ରଗୁଡ଼ିକ ପାଇଁ ବିକାଶମୁଖୀ ପାହ୍ୟା ଜାରି ରଖିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଟ୍ରମ୍ପ କହିଛନ୍ତି । ଆତ୍ମଘୋଷିତ ବିକାଶମୁଖୀ ରାଷ୍ଟ୍ରଗୁଡିକଠାରୁ ସୁବିଧା ଛିନ୍ନ କରିବା ପାଇଁ ସେ କହିଛନ୍ତି ।
ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସେ ନିଜର ବାଣିଜ୍ୟ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ବ୍ୟବସ୍ଥା ଆମେରିକା ଅର୍ଥନୀତିକୁ ହାନି ପହଞ୍ଚାଉଥିବା ସେ କହିଛନ୍ତି । ସେ କହିଛନ୍ତି ଯେ, ଡବ୍ଲ୍ୟୁଟିଓରେ ସଦସ୍ୟ ଥିବା ରାଷ୍ଟ୍ରଗୁଡିକ ମଧ୍ୟରୁ ପ୍ରାୟ ଦୁଇ ତୃତୀୟାଂଶ ନିଜକୁ ବିକାଶମୁଖୀ ରାଷ୍ଟ୍ର ଭାବେ ଦର୍ଶାଇ ବିଭିନ୍ନ ପ୍ରକାର ସୁବିଧା ପାଉଛନ୍ତି । ଏହା ଏକ ପ୍ରକାର ଛଳ ବୋଲି ସେ କହିଛନ୍ତି ।
ଟ୍ରମ୍ପ ଶୁକ୍ରବାର ଟୁଇଟ୍ କରି କହିଥିଲେ ଯେ, ବିଶ୍ୱର ଧନୀ ରାଷ୍ଟ୍ରଗୁଡିକ ଯେତେବେଳେ ଡବ୍ଲ୍ୟୁଟିଓ ନିୟମ ଅନୁସାରେ ସ୍ୱତନ୍ତ୍ର ସୁବିଧାମାନ ପାଉଛନ୍ତି ସେତେବେଳେ ଡବ୍ଲ୍ୟୁଟିଓ ଭଗ୍ନ ବୋଲି ଜଣାଯିବ । ଆଉ ଅଧିକ ନୁହେଁ । ଭାରତ ଏବଂ ଚୀନ୍କୁ ଆକ୍ଷେପ କରି ଯେ କହିଛନ୍ତି ଯେ, ରାଷ୍ଟ୍ରଗୁଡିକ ବିକାଶମୁଖୀ ଦେଶ ଆଳରେ ବ୍ୟବସ୍ଥାକୁ ଠକିଚାଲିଛନ୍ତି । ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି । ଟ୍ରମ୍ପଙ୍କ ନିର୍ଦ୍ଦେଶ ପରେ ଯୁକ୍ତରାଷ୍ଟ୍ର ଆମେରିକା ବାଣିଜ୍ୟ ପ୍ରତିନିଧି ରୋବର୍ଟ ଲାଇଟ୍ହାଇଜର ଏକ ବିବୃତି ଜାରି କରିଛନ୍ତି ।
ସେ କହିଛନ୍ତି, ଦୀର୍ଘ ଦିନ ଧରି ଧନୀ ରାଷ୍ଟ୍ରଗୁଡିକ ଡବ୍ଲ୍ୟୁଟିଓକୁ ଅନ୍ଧାରରେ ରଖି ସ୍ୱତନ୍ତ୍ର ସୁବିଧାମାନ ପାଇ ଆସୁଛନ୍ତି । ଏସବୁ ଅର୍ଥନୀତିଗୁଡିକ ପ୍ରଗତି ପଥରେ ଦ୍ରୁତ ଗତିରେ ଆଗେଇ ଚାଲିଥିବା ସତ୍ତେ୍ୱ ଛଳ କରି ସୁବିଧାମାନ ପାଇଚାଲିଛନ୍ତି । ଏହା ଯୁକ୍ତିଯୁକ୍ତ ନୁହେଁ । ଡବ୍ଲ୍ୟୁଟିଓରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନର୍ଦ୍ଦେଶର ପାଳନ କରାଯାଇ ପ୍ରସଙ୍ଗକୁ ଆଗକୁ ନିଆଯିବ ବୋଲି ଲାଇଟ୍ହାଇଜର ପ୍ରକାଶ କରିଛନ୍ତି ।
ଆମେରିକାର ପ୍ରସ୍ତାବ ଅନୁସାରେ, ଏହା ବିକାଶମୁଖୀ ରାଷ୍ଟ୍ରଗୁଡିକର ମାନ୍ୟତାକୁ ସମୀକ୍ଷା କରିବ । ଏହା ଅଦ୍ଭୁତଜନକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଏବେ କ’ଣ ଆମେରିକା ସ୍ଥିର କରିବ କେଉଁ ରାଷ୍ଟ୍ର ବିକାଶମୁଖୀ ଏବଂ କିଏ ବିକଶିତ? ଏଭଳି ପ୍ରଶ୍ନ ଏବେ ବିଶେଷଜ୍ଞମାନେ ଉଠାଉଛନ୍ତି ।
Comments are closed, but trackbacks and pingbacks are open.