
ନୂଆପଡ଼ା,(ବି.ବି.ନୁ୍ୟଜ): ନୂଆପଡ଼ା ଏବେ ସବୁଜ ଓ ସଶକ୍ତ । ନୂଆପଡ଼ାର ତିନିଟି ମୁଖ୍ୟ ସମସ୍ୟା ଥିଲା ପିଇବା ପାଣି, ଜଳସେଚନ ଓ ଯୋଗାଯୋଗ । ଫ୍ଲୋରାଇଡ଼ଯୁକ୍ତ ପାଣି ଯୋଗୁ ଲୋକମାନେ ନାନା ପ୍ରକାର ରୋଗର ଶିକାର ହେଉଥିଲେ । ଜଳସେଚନ ଅଭାବରୁ ଚାଷବାସରେ ଅସୁବିଧା ହେଉଥିଲା । ଫଳରେ ଲୋକଙ୍କର ଆର୍ଥିକ ଉନ୍ନତି ସାଧିତ ହୋଇପାରୁନଥିଲା । କିନ୍ତୁ କିଛି ବର୍ଷ ମଧ୍ୟରେ ନୂଆପଡ଼ାର ଏହି ତିନି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିଛି । ନୂଆପଡ଼ା ଓଡ଼ିଶାର ବିକାଶ ଇତିହାସରେ ଏବେ ନୂଆ ଫର୍ଦ୍ଧ ଯୋଡ଼ିଛି । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ବୁଧବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ମୁଖ୍ୟମନ୍ତୀ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା ସହ ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ପଡ଼ିଆଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତକରିଥିଲେ । ସେ କହିଲେ, ସ୍ୱାଧୀନତା ସଂଗ୍ରାମରେ ନୂଆପଡ଼ାର ବହୁତ ବଡ଼ ଭୂମିକା ଥିଲା । ବିଶେଷ କରି ମା’ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ନୂଆପଡ଼ା ଭେଲା ଗାଁର ମା’ ମାନଙ୍କ ସଂଗ୍ରାମ ଆଜି ସମସ୍ତଙ୍କୁ ପ୍ରେରଣା ଦେଉଛି । ୨୦୨୨ରେ ଆମେ ସ୍ୱାଧୀନତାର ୭୫ବର୍ଷ ପାଳନ କରିବା । ସେହି ଅବସରରେ ଭେଲାର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସୁନ୍ଦର ମେମୋରିଆଲ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।
ନିଜ ଭାଷଣରେ ମୁଖ୍ୟମନ୍ତ୍ରୀ ନୂଆପଡ଼ାବାସୀଙ୍କ ଆବେଗକୁ ଛୁଇଁବାକୁ ନୂଆପଡ଼ା ସ୍ୱତନ୍ତ୍ର ଜିଲ୍ଲା ଗଠନ ପ୍ରସଙ୍ଗ ଉଠାଇ ନିଜ ବାପାଙ୍କ ସ୍ମୃତି ଚାରଣ କରିଥିଲେ । ସେ କହିଲେ, ୧୯୯୩ ରେ ନୂଆପଡ଼ାକୁ ବିଜୁବାବୁ ଏକ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛିଲୋକ ତାଙ୍କୁ ପ୍ରଶ୍ନ କରିଥିଲେ, ନୂଆପଡ଼ା ଭଳି ଏକ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା ମାନ୍ୟତା ପ୍ରଦାନ କଲେ? ବିଜୁ ବାବୁ କହିଥିଲେ, ନୂଆପଡ଼ା ଓଡିଶା ମା’ର ସବୁଠାରୁ ସାନପିଲା । ସବୁ ବାପା ମା’ ଯେପରି ଦୂରରେ ଥିବା ପିଲାଙ୍କୁ ଅଧିକ ଭଲ ପାଆନ୍ତି, ମୁଁ ମଧ୍ୟ ସେପରି ନୂଆପଡ଼ାକୁ ସ୍ୱତନ୍ତ୍ର ଧ୍ୟାନ ଦେଉଛି । ବିଜୁବାବୁଙ୍କ ସେ ଦିନର ସାନପିଲା ନୂଆପଡ଼ା ଆଜି ବଡ ହୋଇଛି । ସଶକ୍ତ ଓ ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନୂଆପଡ଼ା ବିକାଶର ନୂଆ ଇତିହାସ ଲେଖୁଛି ।
ମୁଖ୍ୟମନ୍ତ୍ରୀ କହିିଲେ, ଆଜି ନୂଆପଡ଼ାର ରୂପାନ୍ତରକୁ ଆପଣମାନେ ଦେଖି ପାରୁଛନ୍ତି, ଅନୁଭବ କରି ପାରୁଛନ୍ତି । ନୂଆପଡ଼ାର ଲୋୟର ଇନ୍ଦ୍ର ପ୍ରକଳ୍ପ ସାରା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ । ଏ ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ଖଡ଼ିଆଳ, ବୋଡେନ ଓ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା, ମୁରିବାହାଲ, ଟିଟିଲାଗଡ ବ୍ଲକର ୨ଶହ ଗାଁର ୧ ଲକ୍ଷ ୮୦ ହଜାର ଚାଷୀ ଉପକୃତ ହେବେ । ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଲାରେ ୨୨୦ କୋଟିର ମେଗା ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ । ଏଥିରେ ନୂଆପଡ଼ା, କୋମନା, ବୋଡେନ ଓ ସିନାପାଲି ଅଞ୍ଚଳର ୧୮ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ । ଲୋୟର ଇନ୍ଦ୍ର ପ୍ରକଳ୍ପ ଅଣ୍ଡର ଗ୍ରାଉଣ୍ଡ ପାଇପ ଲାଇନ ଟେକ୍ନୋଲୋଜିରେ ହୋଇଛି । ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇ ଦେବାକୁ ପଦକ୍ଷେପ ନିଆଯିବ । ନୂଆପଡ଼ା ଭଳି ଏକ ଚିର ମରୁଡ଼ିପ୍ରବଣ ଅଞ୍ଚଳରେ ଆଜି ନୂଆ ସବୁଜିମା ସୃଷ୍ଟି ହୋଇଛି । ଜିଲ୍ଲାର ଜଳସେଚନ ସୁବିଧା ୫୪ ପ୍ରତିଶତକୁ ବଢିଛି । ଏବେ ଜିଲ୍ଲାର ଦେଢଲକ୍ଷ ଏକର ଜମିକୁ ପାଣି ସୁବିଧା ମିଳିଛି । ଧାନ ଉତ୍ପାଦନ ବଢିଛି । କପା ଓ ମକା ଚାଷ ବି ବଢିଛି । ଲୋୟର ଇନ୍ଦ୍ର ଡ୍ୟାମ ପାଖରେ ସାଇନ୍ସ ପାର୍କ ଓ ମୁ୍ୟଜିୟମ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିଭଳି ପାନୀୟ ଜଳ ହେଉଛି ନୂଆପଡ଼ା ଜିଲ୍ଲାର ସବୁଠାରୁ ବଡ ସମସ୍ୟା । ଫ୍ଲୋରାଇଡଯୁକ୍ତ ପାଣି ଯୋଗୁଁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ନୂଆପଡ଼ାରେ ୫୫ ପ୍ରତିଶତ ଘରକୁ ପିଇବା ପାଣି ଯୋଗାଇ ଦେଇପାରିଛୁ । ଫ୍ଲୋରାଇଡ ପାଣିର ବିଶୁଦ୍ଧ ପାଇଁ ହଜାରେରୁ ଅଧିକ ପ୍ଲାଣ୍ଟ ବସିଛି । ୨ ଶହରୁ ଅଧିକ ଗାଁକୁ ଫ୍ଲୋରାଇଡ ସମସ୍ୟା ମୁକ୍ତ କରିଛୁ । ନୂଆପଡ଼ାର ଏକ ଲକ୍ଷ ପରିବାରକୁ ପାଇପ ପାଣି ସୁବିଧା ମିଳିଛି । ୨୦୨୨ସୁଦ୍ଧା ଜିଲ୍ଲାର ସବୁ ପରିବାରକୁ ପାଇପ ପାଣି ଯୋଗାଇ ଦିଆଯିବ । ଏଥିପାଇଁ ୭ଶହ କୋଟି ଟଙ୍କାର ୨୦୫ଟି ପାଇପ ଜଳ ଯୋଗାଣ ପ୍ରକଳ୍ପ ଓ ଗୋଟିଏ ମେଗା ଜଳଯୋଗାଣ ପ୍ରକଳ୍ପ କାମ ଚାଲିଛି । ଅନୁରୂପ ଭାବରେ ବିଜୁ ଏrପ୍ରେସ ୱେରେ ସବୁଠାରୁ ଅଧିକ ଲାଭପାଇଛି ନୂଆପଡ଼ା । ୬୮୦ କୋଟିରେ ୧୩୨ କିମି ରାସ୍ତା କେବଳ ନୂଆପଡ଼ା ଜିଲ୍ଲାରେ ହିଁ ତିଆରି ହୋଇଛି । ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାଜ୍ୟର ବଡବଡ ସହରର ହସ୍ପିଟାଲଠାରୁ କିଛି କମ ନୁହେଁ । ଗତ ୧୦ବର୍ଷ ଭିତରେ ହଜାର ହଜାର ଶିଶୁଙ୍କ ଜୀବନ ବଞ୍ଚାଇପାରିଛୁ । ଫଳରେ ନୂଆପଡ଼ାରେ ଶିଶୁ ମୃତୁ୍ୟହାର କମିଛି । ସେହିପରି ମା’ ମାନଙ୍କ ଜୀବନ ରକ୍ଷା କରାଯାଇପାରିଛି ।
ଉପସ୍ଥିତ ଲୋକଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ଓଡିଶା ଆଜି କ୍ରୀଡା କ୍ଷେତ୍ରରେ ବହୁତ ଆଗକୁ ଯାଇଛି । ରାଜ୍ୟରେ କ୍ରୀଡା କ୍ଷେତ୍ରରେ ନୂଆପଡ଼ା ଯୋଡି ହୋଇଛି । ଏଣୁ ନୂଆପଡ଼ା ଓ ଖଡ଼ିଆଳରେ ଦୁଇଟି ଇନ୍ଡୋର ଷ୍ଟାଡିୟମ କରାଯିବ । ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ । ଜିଲ୍ଲାର ଖେଳ ଭିତ୍ତଭୂମିକୁ ମଜବୁତ କରି ଯୁବକ ଓ ଯୁବତୀଙ୍କ ପ୍ରତିଭାର ବିକାଶରେ ସହାୟକ ହେବ ।
ଆଜି ପୂର୍ବାହ୍ନ ୧୧.୪୦ରେ ମୁଖ୍ୟମନ୍ତ୍ରୀ ଲୋୟର ଇନ୍ଦ୍ର ପ୍ରକଳ୍ପ ନିକଟରେ ଏକ ସ୍ୱତନ୍ତ୍ର ହେଲିକପ୍ଟରେ ଓହ୍ଲାଇଥିଲେ । ସେଠାରେ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଲୋକାର୍ପଣ କରି ରିମୋଟ ସାହାଯ୍ୟରେ ପ୍ରକଳ୍ପର ମୁଖ୍ୟ ସ୍ପିଲୱେକୁ ଖୋଲି ଜଳ ନିଷ୍କାସନ କରିଥିଲେ । ମଧ୍ୟାହ୍ନ ୧୨ଟା ୫ରେ ଖଡ଼ିଆଳସ୍ଥିତ ରାଜା ଆର୍ତ୍ତତ୍ରାଣ ପଡିଆରେ ପହଞ୍ଚି ଜଣସାଧାରଣଙ୍କ ଉଦେ୍ଧଶ୍ୟରେ ଉଦ୍ବୋଧନ ଦେଇଥିଲେ । ଏହି ଅବସରରେ ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିୟାନ, ଗୃହ ଓ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ସୁଜିତ କୁମାର, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତା ପ୍ରଧାନ, ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ସ୍ୱତନ୍ତ୍ର ସଚିବ ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଜିଲ୍ଲାପାଳ ସ୍ୱଧାଦେବ ସିଂ ସ୍ୱାଗତ ଭାଷଣ ସହ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ମଞ୍ଚ ପରିଚାଳନା ଥିଲେ । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।
Comments are closed, but trackbacks and pingbacks are open.