ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଚାରପତି ସୌମ୍ୟରଞ୍ଜନ ପୃଷ୍ଟିଙ୍କ ଘରୁ ଚୋରିର ପର୍ଦ୍ଧାଫାସ୍ କରିଛି ବଡ଼ଗଡ଼ ଥାନା ପୁଲିସ । କୁଖ୍ୟାତ ଚୋର ବଡ଼ଗଡ଼ ତାରିଣୀ ବସ୍ତିରେ ରହୁଥିବା ଗଞ୍ଜାମ ଭଞ୍ଜନଗରର ସନ୍ତୋଷ କୁମାର ସାହୁ(୨୧)କୁ ପୁଲିସ ଗିରଫ କରିଛି । ସନ୍ତୋଷ ଠାରୁ ପୁଲିସ କିଛି ଚୋରି ସାମଗ୍ରୀ ଜବତ କରିଛି । ସିସିଟିଭି ଫୁଟେଜରୁ ପୁଲିସ ସନ୍ତୋଷକୁ ଗିରଫ କରିବାରେ ସଫଳ ହୋଇଛି । ତା’ର ଅନ୍ୟ ୩ ସହଯୋଗୀ ଫେରାର୍ ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।
ବିଜେବିନଗର କ୍ୱାର୍ଟର୍ସ ନଂ-୩ଆର-୧୨ରେ ରହୁଛନ୍ତି ଭୁବନେଶ୍ୱର କୋର୍ଟର ପ୍ରଥମଶ୍ରେଣୀ ବିଚାରପତି ସୌମ୍ୟରଞ୍ଜନ ପୃଷ୍ଟି । ପୂଜା ଛୁଟିରେ ଶ୍ରୀ ପୃଷ୍ଟି ସପତ୍ନୀକ ରାଇରଙ୍ଗପୁର ଯାଇଥିଲାବେଳେ ତାଙ୍କ ଘରୁ ଚୋରି ହୋଇଥିଲା । ଦୁର୍ବୃତ୍ତ ଆଲମିରା ତାଡ଼ି ସୁନାରୁପା ଅଳଙ୍କାର, ଦାମୀ ଘଡ଼ି, ଟଙ୍କା ଓ ଅନ୍ୟାନ୍ୟ ଜିନିଷ ଚୋରି କରି ନେଇଥିଲେ । ୧୦ ତାରିଖରେ ଚୋରି ସଂପର୍କରେ କେୟାରଟେକରଙ୍କଠାରୁ ଖବର ପାଇ ଭୁବନେଶ୍ୱର ଫେରି ଶ୍ରୀ ପୃଷ୍ଟି ବଡ଼ଗଡ଼ ଥାନାରେ ଏତଲା ଦେଇଥିଲେ । କ୍ୱାର୍ଟର୍ସରେ ଲାଗିଥିବା ସିସିଟିଭି ଫୁଟେଜକୁ ପୁଲିସ ନେଇ ଯାଞ୍ଚ କରିଥିଲା । ସେଥିରୁ ପୁଲିସ ସନ୍ତୋଷକୁ ଚିହ୍ନଟ କରିଥିଲା । ଗତକାଲି ପୁଲିସ ତାରିଣୀ ବସ୍ତିରେ ଚଢ଼ଉ କରି ସନ୍ତୋଷକୁ ଗିରଫ କରିବା ସହ ତା’ ନିକଟରୁ ୨,୭୫୦ ଟଙ୍କା, ଏକ ସୁନା ଚେନ୍, ୪ଟି ଦାମୀ ହାତ ଘଣ୍ଟା, ୩ଟି ସୁନା ମୁଦି, ଲକେଟ ଓ କିଛି ରୁପା ଅଳଙ୍କାର ଜବତ କରିଥିଲା । ସନ୍ତୋଷ ନାମରେ କେବଳ ବଡ଼ଗଡ଼ ଥାନାରେ ୧୨ଟି ଚୋରି ଓ ଲୁଟ୍ପାଟ ମାମଲା ଅଛି । ଏହାବ୍ୟତୀତ କ୍ୟାପିଟାଲ ଥାନା ଓ ଅନ୍ୟାନ୍ୟ ଥାନାରେ ମଧ୍ୟ ମାମଲା ରହିଛି । ଆଜି ଅପରାହ୍ଣରେ ସନ୍ତୋଷକୁ କୋର୍ଟ ଚାଲାଣ କରା ଯାଇଛି । ଏହି ଚୋରିରେ ସଂପୃକ୍ତ ସନ୍ତୋଷର ଅନ୍ୟ ସହଯୋଗୀ ମୁନା, ଉତ୍ତମ ଓ ଶିବ ଫେରାର୍ ହୋଇ ଯାଇଛନ୍ତି ।


Comments are closed, but trackbacks and pingbacks are open.