ବିଚାରାଧୀନ ମାଓବାଦୀଙ୍କ ଆତ୍ମହତ୍ୟା

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଧାରୁଆ ଅସ୍ତ୍ରରେ ନିଜ ବେକକାଟି ଆତ୍ମହତ୍ୟା କଲେ ବିଚାରାଧୀଣ କଏଦୀ । ଶୌଚ ଯିବା ବାହାନାରେ ଏହି କାଣ୍ଡ ଘଟାଇଲେ । ମାଲକାନଗିରି ଜିଲ୍ଲା ଉପକାରାଗାରରେ ଗତ ଶନିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । କଏଦୀ ହେଲେ ମାଓବାଦୀ ଦାନୁ ଗୋଲରୀ(୩୫) । ଅନ୍ୟପକ୍ଷରେ, ଜେଲରଙ୍କ ଖାମଖିଆଲ ମନୋଭାବ ଓ ପରିଚାଳନା ଠିକ୍ ନଥିବାରୁ ଦାନୁଙ୍କର ମୃତୁ୍ୟ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜେଲ୍ ପରିସରକୁ ଧାରୁଆ ଅସ୍ତ୍ର କିପରି ଗଲା ବୋଲି ମଧ୍ୟ ପରିବାର ପ୍ରଶ୍ନ କରିଛନ୍ତି ।
ସୂଚନା ଅନୁସାରେ, ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଖଜୁରୀଗୁଡା ଗାଁର ସୁରେନ୍ଦ୍ର ଗୋଲରୀଙ୍କ ପୁଅ ଦାନୁ ଗତ ଅକ୍ଟୋବରରେ ଏକ ମାଓବାଦୀ ମାମଲାରେ ଗିରଫ ହୋଇ ବିଚାରାଧୀନ ଥିଲେ । ଘଟଣାଦିନ ସନ୍ଧ୍ୟାରେ ଦାନୁ ଶୌଚ ପାଇଁ ପାଇଖାନାକୁ ଯାଇଥିଲେ । କିଛି ସମୟ ପରେ ପାଇଖାନା ପାଖରୁ କିଛି ଚିକ୍ରାର ଶୁଭିଥିଲା । ପାଖରେ ଥିବା ଅନ୍ୟ କଏଦୀମାନେ ତୁରନ୍ତ ଏ ବିଷୟରେ ଜେଲ୍ ୱାର୍ଡରଙ୍କୁ ଜଣାଇଥିଲେ । ପାଇଖାନା ପାଖରେ ୱାର୍ଡର ପହଞ୍ଚି ଦେଖିବା ବେଳକୁ ଦାନୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ୱାର୍ଡର ତୁରନ୍ତ ଜେଲ୍ ସୁପରିନ୍ଟେଣ୍ଡଣ୍ଟ ଓ ପୁଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଜେଲ୍ କର୍ତ୍ତୃପକ୍ଷ ପହଞ୍ଚି ତୁରନ୍ତ ଦାନୁଙ୍କୁ ମାଲାକନଗିରି ହସ୍ପିଟାଲକୁ ନେଇଥିଲେ । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କୌଣସି ଧାରୁଆ ଅସ୍ତ୍ରରେ ନିଜ ଗଳାକାଟି ଦାନୁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ରବିବାର ସକାଳେ କଏଦୀଙ୍କ ପରିବାରକୁ ଖବର ଦିଆଯାଇଥିଲା । ଅପରାହ୍ଣରେ ପରିବାର ଲୋକେ ମେଡିକାଲରେ ପହଞ୍ଚି ଥିଲେ । ମାଲକାନଗିରି ଥାନା ଅଧିକାରୀ ରାମପ୍ରସାଦ ନାଗ ମେଡିକାଲରେ ପହଞ୍ଚି ଦାନୁଙ୍କ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ନେଇ ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି ।
ଏକ ମାଓ ମାମଲାକୁ କେନ୍ଦ୍ରକରି ଗତ ଅକ୍ଟୋବରରେ ଦାନୁଙ୍କୁ ଗିରଫ କରିଥିଲା । ଗତ ୨ ମାସ ହେଲା ସେ ଜେଲ୍ରେ ବିଚାରାଧୀନ ଥିଲେ । ଉପକାରାଗାରରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ରହିଛି । ଏପରିସ୍ଥଳେ, ଧାରୁଆ ଅସ୍ତ୍ର ଭିତରକୁ କିପରି ଗଲା ବୋଲି ପ୍ରଶ୍ନ ଉଠିଛି । ଦାନୁଙ୍କ ପରିବାର ଲୋକେ ଏହାକୁ ନେଇ ଜେଲ୍ କର୍ତ୍ତୃପକ୍ଷଙ୍କୁ ସନେ୍ଦହ କରୁଛନ୍ତି । ମାମଲାର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି ।
ସୂଚନାଯୋଗ୍ୟ, ଏହି ଜେଲ୍ରେ ଗତ ୨୩ ଦିନ ମଧ୍ୟରେ ୩ ଜଣ ବିଚାରାଧୀନ କଏଦୀଙ୍କ ମୃତୁ୍ୟ ହୋଇଛି । ଜେଲ୍ ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ରହିଥିବାରୁ ଏଭଳି ଘଟୁଥିବା ଏବେ ବିଭିନ୍ନ ମହଲର ଚର୍ଚ୍ଚା ହେଉଛି । ଗତ ୩ ତାରିଖରେ ହନୁବାଗରୀ ନାମକ ଜଣେ କଏଦୀର ଚିକିତ୍ସା ଅବହେଳାରୁ ମୃତୁ୍ୟ ହୋଇଥିଲା । ସେହିପରି, ଗତ ୧୭ ରେ ବାମନ କୁଜାଂମୀ ନାମକ ଜଣେ ବିଚାରାଧୀନ ମାଓବାଦୀ କଏଦୀଙ୍କର ଜିଲ୍ଲା ମେଡିକାଲରେ ମୃତୁ୍ୟ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons