“ବିଚ୍’ ବୈଠକରେ ଲାଗୁ ହେଲା ନୂଆ ନିୟମ:୧୫୦ ଟଙ୍କା ଟିକେଟ୍ରେ ବୋଟ୍ ନେଇ ବୁଲିବେ ପର୍ଯ୍ୟଟକ

Get real time updates directly on you device, subscribe now.

ରାଜନଗର,(ବି.ବି.ନ୍ୟୁଜ୍): ଭିତରକନିକା ଇକୋ ଟୁରିଜିମ୍ ଆଣ୍ଡ ଇକୋ ଡେଭଲପ୍ମେଣ୍ଟ ସୋସାଇଟି (ବିଚ୍)ର ଏକ ଉଚ୍ଚସ୍ତରୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜନଗର ଡିଏଫ୍ଓଙ୍କ କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଛି । ବୈଠକରେ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କେତେକ ନୂଆ ନିୟମ ଲାଗୁ କରାଯାଇଛି । ଏଣିକି ପର୍ଯ୍ୟଟକମାନେ ଆଉ ବୋଟ୍ ନପାଇ ନିରାଶରେ ଫେରିବେନି । ମାତ୍ର ଦେଢ଼ଶହ ଟଙ୍କାରେ ଟିକେଟ୍ କରି ପର୍ଯ୍ୟଟକମାନେ ଜଳପଥରେ ଭିତରକନିକା ବୁଲିବାର ସୁଯୋଗ ପାଇବେ । ପୂର୍ବରୁ ଜଣେ ହେଉ କି ଦୁଇଜଣ କିମ୍ୱା ୫ ଜଣ ପର୍ଯ୍ୟଟକ ଭିତରକନିକାକୁ ଜଳପଥରେ ବୁଲିବାକୁ ଚାହିଁଲେ ପୁରା ବୋଟ୍କୁ ରିଜର୍ଭ କରିବାକୁ ପଡୁଥିଲା । ଏଥିପାଇଁ ଅଢ଼େଇ ହଜାର ଟଙ୍କା ଦେବାକୁ ପଡୁଥିଲା । ଫଳରେ ପର୍ଯ୍ୟଟକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିଲା । ଏପରିକି ନିମ୍ନବର୍ଗର ଲୋକେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିପାରୁନଥିଲେ । ମାତ୍ର ଆଜି ଅନୁଷ୍ଠିତ ବୈଠକରେ ପୂର୍ବ ନିୟମକୁ ବାତିଲ୍ କରାଯାଇ ପର୍ଯ୍ୟଟକଙ୍କ ପାଇଁ ଏହି ନୂଆ ନିୟମ ଲାଗୁ କରାଯାଇଛି । ଚଳିତ ବର୍ଷ ନଭେମ୍ୱର ୧୫ ରୁ ଡିସେମ୍ୱର ୧୬ ତାରିଖ ଯାଏ ୧ ମାସ ୧ ଦିନ ଧରି ଗୁପ୍ତିରୁ ଭିତରକନିକାକୁ ପରୀକ୍ଷାମୂଳକ ଭାବେ ଏଭଳି ବୋଟ୍ ଚାଲିବ । ଏହି ବ୍ୟବସ୍ଥା ସଫଳ ହେଲେ ପରବର୍ତ୍ତୀ ଅବସ୍ଥାରେ ସବୁଦିନ ପାଇଁ ଏହା ଲାଗୁ କରାଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି ।
ଡିଏଫ୍ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଆହୁରି ମଧ୍ୟ ନିଷ୍ପତ୍ତି ନିଆଯାଇଛି ଯେ, ଅକ୍ଟୋବର ୨ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ, ଜାନୁଆରୀ ୨୩ ନେତାଜୀ ଜୟନ୍ତୀ, ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ଭଳି ଜାତୀୟ ଦିବସଗୁଡ଼ିକରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିନା ଏଣ୍ଟ୍ରି ଫି’ରେ ଭିତରକନିକା ବୁଲିପାରିବେ । ଏଥିସହ ଗୁପ୍ତିରୁ ଡାଙ୍ଗମାଳ, ଗୁପ୍ତିରୁ ହାବଳଖଟି, ଖୋଳାରୁ ଡାଙ୍ଗମାଳ, ଖୋଳାରୁ ହାବଳଖଟି, ଜୟନଗରରୁ ଡାଙ୍ଗମାଳ ବୋଟ୍ ଭଡା ୨୦୦ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି । ବନ ବିଭାଗର ବୋଟ୍ ଭଡ଼ା ଅପରିବର୍ତ୍ତିତ ରହିଛି । ଏଥିସହ ଏଣିକି ଭିତରକନିକାକୁ ପଲିଥିନ୍ମୁକ୍ତ କରିବାକୁ ତନଖି କଡ଼ାକଡ଼ି କରାଯିବ । ସମସ୍ତ ଏଣ୍ଟ୍ରି ପଏଣ୍ଟରେ ପର୍ଯ୍ୟଟକମାନଙ୍କୁ ତନଖି କରାଯାଇ ସେମାନେ ଆଣିଥିବା ପଲିଥିନ୍କୁ କାଢ଼ି ରଖାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ପର୍ଯ୍ୟଟକମାନେ ଟିକେ ବିଳମ୍ୱରେ ଆସିଲେ ହାବଳଖଟି ଓ ହୁକିଟୋଲା ଯିବାକୁ ବୋଟ୍ ପାଉନଥିଲେ । ମାତ୍ର ଏବେ ହାବଳଖଟି ଯିବାପାଇଁ ଗୁପ୍ତିଠାରେ ଓ ହୁକିଟୋଲା ଯିବା ପାଇଁ ଜମ୍ୱୁଠାରେ ବନ ବିଭାଗ ପକ୍ଷରୁ ଗୋଟିଏ ଲେଖାଏଁ ବୋଟ୍ ରଖାଯିବ ବୋଲି ମଧ୍ୟ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ଡିଏଫ୍ଓ ଅମ୍ଲାନ ନାୟକ, ୱାଇଲ୍ଡ ଲାଇଫ୍ ଅଫିସର ପ୍ରଦୀପ୍ତ କୁମାର ସାହୁ, ଡବ୍ଲୁଡବ୍ଲୁଏଫ୍ର ରାଜ୍ୟ ନିର୍ଦ୍ଦେଶକ ମାଇକେଲ ପିଟର, ଜିଲ୍ଲା ପରିବେଶ ସମିତି ସଂଯୋଜକ ଗୋପିନାଥ ଦାସ, ଅବୈତନିକ ଡିଏଫ୍ଓ ବିଜୟ କବି, ପିପୁଲ ଫର୍ ଆନିମଲର ସୁଧାଂଶୁ ପରିଡା, ଏସିଏଫ୍ ବିଜୟ କୁମାର ପରିଡା, ସୁବ୍ରତ କୁମାର ପାତ୍ର, ଅମରେଶ ନାଥ ପ୍ରଧାନ, ହରେକୃଷ୍ଣ ମଲ୍ଲିକ, ରାଜନଗର ତହସିଲଦାର ଦିବ୍ୟେନ୍ଦୁ ଶେଖର ଦାସଙ୍କ ସମେତ ଜିଲ୍ଲା ମତ୍ସ୍ୟ ଅଧିକାରୀ, ବଗପାଟିଆ, ଗୁପ୍ତି ଓ ଡାଙ୍ଗମାଳର ଇକୋ ଡେଭଲପ୍ମେଣ୍ଟ ସୋସାଇଟି ସଭାପତିମାନେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons