ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବିଜେପି ପକ୍ଷରୁ ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନକୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭାରମ୍ଭ କରିଛନ୍ତି । ଆଜି ଭୁବନେଶ୍ୱରର ଭୀମଟାଙ୍ଗିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଅଭିଯାନର ଶୁଭାରମ୍ଭ ହୋଇଛି । ବର୍ତ୍ତମାନ ରାଜ୍ୟରେ ୩୬ ଲକ୍ଷ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି । ଓଡ଼ିଶାରେ ୧୨୦ ମିଶନ ପୂରା କରିବାକୁ ଏହି ସଂଖ୍ୟା ୫୦ ଲକ୍ଷରେ ପହଞ୍ଚାଇବାକୁ ଦଳୀୟ ନେତାଙ୍କୁ ଟାର୍ଗେଟ୍ ଦେଇଛନ୍ତି ଧର୍ମେନ୍ଦ୍ର ।
ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମତିଥିରେ ଏହି ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଭୀମଟାଙ୍ଗିର ଗୋଖିବାବା କଲ୍ୟାଣ ମଣ୍ଡପ ପରିସରରେ ବୃକ୍ଷରୋପଣ କରି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ଧର୍ମେନ୍ଦ୍ର । ଦଳୀୟ ନେତା ଓ କର୍ମୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ନିକଟରେ ନିର୍ବାଚନ ନାହିଁ ଭାବି ବସି ରୁହନି । ଆମକୁ ବୁଥ୍ସ୍ତରରୁ ମଜବୁତ ହେବାକୁ ପଡ଼ିବ । ଏଥିପାଇଁ ସଦସ୍ୟତା ସଂଖ୍ୟା ବଢ଼ାଇବାକୁ ପଡ଼ିବ । ଆମକୁ ବୁଥ୍କୁ ଯିବାକୁ ପଡ଼ିବ । ରାଜ୍ୟର ସମସ୍ତ ୩୬ ହଜାର ବୁଥ୍ରେ ଏହି ସଦସ୍ୟତା ଅଭିଯାନକୁ ବ୍ୟାପକ କରିବାକୁ ପଡ଼ିବ ।
ଧର୍ମେନ୍ଦ୍ର କହିଛନ୍ତି, ଏଥର ନିର୍ବାଚନରେ ଆମକୁ ୧ କୋଟି ଲୋକଙ୍କ ଭୋଟ୍ ମିଳିଥିଲା । କିନ୍ତୁ ସରକାର ଗଢ଼ିବାକୁ ପୂର୍ଣ୍ଣାଙ୍ଗ ସଫଳତା ମିଳିଲାନି । ଜଣେ ସଦସ୍ୟ ୩ଟି ଭୋଟ୍ କରିପାରିବ । ଏଣୁ ଆମକୁ ସେହି ଲକ୍ଷ୍ୟ ନେଇ ସଦସ୍ୟତା ସଂଗ୍ରହ ଅଭିଯାନକୁ ଆଗକୁ ବଢ଼ାଇଲେ ଆଗକୁ ବଡ଼ ସଫଳତା ମିଳିବ । ଆଗାମୀ ଦିନରେ ଦେଢ଼ କୋଟି ଲୋକଙ୍କ ସମର୍ଥନ ପାଇଁ କାମ କରିବାକୁ ପଡ଼ିବ । ୩୭ ହଜାର ବୁଥ୍ରେ ୫୧ ପ୍ରତିଶତ ଭୋଟ୍ ଜିତିବାକୁ ବୁଥସ୍ତରରେ ଆହୁରି ଅଧିକ କସରତ କରିବା । ଓଡ଼ିଶାରେ ସଶକ୍ତ ଓ ମଜବୁତ ସଂଗଠନ ତିଆରି କରିବା ଲକ୍ଷ୍ୟରେ କାମ କରିବାକୁ ଧର୍ମେନ୍ଦ୍ର ମନ୍ତ୍ର ଦେଇଥିଲେ ।
ସେ ପୁଣି କହିଛନ୍ତି, ଆମର କାମ ଖାଲି ଶାସକ ଦଳକୁ ଅଙ୍ଗୁଳି ଦେଖାଇବା ନୁହେଁ । ବରଂ ମୁଖ୍ୟ ବିରୋଧୀ ଦଳ ଭାବେ ସବୁ ଅଞ୍ଚଳରେ ସାମାଜିକ ନେତୃତ୍ୱ ନେବାର ଦାୟିତ୍ୱ ଆମ ଉପରେ ଅଛି । ପ୍ରତି ବୁଥ୍ରେ ସଦସ୍ୟତା ସଂଗ୍ରହ ଅଭିଯାନ ସହ ୫ଟି ଗଛ ଲଗାଯିବ । ଏ ଅଭିଯାନରେ ସ୍ୱଚ୍ଛ ଭାରତ ଅଭିଯାନକୁ ମଧ୍ୟ ଯୋଡ଼ାଯିବ । ସମାଜ ପ୍ରତି ନିଜର ଦାୟିତ୍ୱବୋଧକୁ ତୁଲାଇବାକୁ ଧର୍ମେନ୍ଦ୍ର ଉପସ୍ଥିତ ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଥିଲେ ।
ବିଜେପିରେ ପ୍ରତି ୩ ବର୍ଷରେ ଥରେ ସଦସ୍ୟତା ସଂଗ୍ରହ କାର୍ଯ୍ୟକ୍ରମ ହୋଇଥାଏ । ଚଳିତବର୍ଷ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ସଦସ୍ୟତା ଗ୍ରହଣ କରାଯିବ । ନିଜ ମୋବାଇଲ ନମ୍ବରରୁ ‘୮୯୮୦୮-୦୮୦୮୦’ ନମ୍ବରରେ ମିସ୍ଡ କଲ୍ ଦେଇ ସଦସ୍ୟତା ଗ୍ରହଣ କରିପାରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସଦସ୍ୟତା ଅଭିଯାନ ରାଜ୍ୟ ପ୍ରଭାରୀ ଅନନ୍ତ ନାୟକ କହିଥିଲେ, ପ୍ରଥମ ଥର ମତଦାତା ହୋଇଥିବା ଯୁବକ ଓ ଯୁବତୀଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଓ ବସ୍ତିରେ ବାସ କରୁଥିବା ଲୋକଙ୍କୁ ସଦସ୍ୟ କରିବାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ , ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, କନକବର୍ଦ୍ଧନ ସିଂହଦେଓ , ରାଜ୍ୟ ଉପସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ଦାମୋଦର ରାଉତ ଓ ଅନ୍ୟ ପ୍ରମୁଖ ନେତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.