ବିଜେପିର ସଦସ୍ୟତା ଅଭିଯାନ :ଓଡ଼ିଶାର ବିକାଶ ପାଇଁ ମୋଦି ସରକାର ହିଁ ଏକମାତ୍ର ବିକଳ୍ପ: ଶିବରାଜ ସିଂ ଚୌହାନ

Get real time updates directly on you device, subscribe now.

ଖୋର୍ଦ୍ଧା,(ବି.ବି.ନ୍ୟୁଜ୍): ଓଡ଼ିଶାର ବିକାଶ ପାଇଁ ମୋଦି ହିଁ ଏକମାତ୍ର ବିକଳ୍ପ । ସ୍ଥାନୀୟ ଗୀତା ଭବନ ପଡ଼ିଆଠାରେ ଶନିବାର ଅପରାହ୍ନରେ ବିଜେପି ତରଫରୁ ସକ୍ରିୟ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରି ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହା କହିଛନ୍ତି । ଜିଲ୍ଲା ବିଜେପି ସଭାପତି ସୁବାସ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଚୌହାନ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଚୌହାନ ଗୋଟିଏ ଦେଶରେ ଦୁଇ ପ୍ରକାର ସମ୍ବିଧାନ ପ୍ରଚଳନ ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଥିଲେ । କେନ୍ଦ୍ରରେ ଥିବା ବିଜେପି ସରକାର ଏ ପ୍ରଚଳିତ ବ୍ୟବସ୍ଥାକୁ ଭାଙ୍ଗି ଦେଶରେ ଏକ ନୂଆ ଇତିହାସ ସୃଷ୍ଟି କରିଥିବା କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମରେ ପାଦ ଦେଇ ନିଜକୁ ସେ ଧନ୍ୟ ମଣିଛନ୍ତି ବୋଲି କହିଥିଲେ । ଓଡ଼ିଶା ବିକାଶର ବହୁ ପଛରେ ପଡ଼ିବା ପଛରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାର ଦାୟୀ କହି କଡ଼ାଭାଷାରେ ସମାଲୋଚନା କରିଥିଲେ । ତେଣୁ ରାଜ୍ୟର ବିକାଶ ପାଇଁ ମୋଦି ସରକାର ହିଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ଚୌହାନ କହିଥିଲେ ।
ଶ୍ରୀ ଚୌହାନ ଆହୁରି କହିଥିଲେ ଯେ, ଓଡ଼ିଶା ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହୋଇଥିବା ସତ୍ତେ୍ୱ ଆଜି ବେକାରୀ ସଂଖ୍ୟା ବୃଦ୍ଧି ପାଇଛି । ଦେଶରେ ଓଡ଼ିଶା ପ୍ରଗତିଶୀଳ ରାଜ୍ୟ ଭାବେ ପରିଗଣିତ ନହେବାକୁ ନେଇ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଓଡ଼ିଶାର ବହୁ ନେତା ଭ୍ରଷ୍ଟାଚାରରେ ବୁଡ଼ି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ନିରବତାକୁ ନେଇ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ୨୦୨୨ ସୁଦ୍ଧା ସମସ୍ତ ଗରିବ ଲୋକଙ୍କୁ କେନ୍ଦ୍ର ସରକାର ପକ୍କାଘର ଯୋଗାଇବକୁ ସଂକଳ୍ପ ନେଇଥିବା କହିବା ସହ ଓଡ଼ିଶାରେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନହେବାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ । ଓଡ଼ିଶାରେ ବିଜେପି କ୍ଷମତାକୁ ଫେରିଲେ ରାଜ୍ୟର ବିକାଶ ହେବ ବୋଲି ସେ କହିଥିଲେ । ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ କ୍ଷମତା ଦଖଲ କରିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସମ୍ପାଦକ ଯତିନ୍ ମହାନ୍ତି, ଜିଲ୍ଲା ସଦସ୍ୟତା ପ୍ରମୁଖ ସୁଦୀପ୍ତ ରାୟ,ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ କାଳୁ ଚରଣ ଖଣ୍ଡେଇତରାୟ, ରଶ୍ମିରଞ୍ଜନ ମହାପାତ୍ର, ନିକୁଞ୍ଜ ପ;ନାୟକ, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ବଡ଼ଜେନା, ବେଗୁନିଆ ବିଧାୟକ ପ୍ରାର୍ଥୀ ରିଷଭ ନନ୍ଦ, ଜୟଦେବ ବିଜେପି ନେତା ବସନ୍ତ ନାୟକ, ନରି ନାୟକ, ଉର୍ମିଳା ମହାପାତ୍ର, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଅଜୟ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଶ୍ରୀ ଚୌହାନ ଗୀତାଭବନ ପରିସରରେ ବୃକ୍ଷରୋପଣ କରିଥିଲେ । ଶେଷରେ ଶ୍ରୀରଞ୍ଜନ ମଙ୍ଗରାଜ ଧନ୍ୟବାଦ ଅର୍ପଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons