ବିଜେପି ନେତା, ସହଯୋଗୀଙ୍କୁ ହତ୍ୟା

Get real time updates directly on you device, subscribe now.

ମାହାଙ୍ଗା,(ବି.ବି.ନୁ୍ୟଜ): ନୂଆବର୍ଷ ଆରମ୍ଭରୁ କଟକରେ ହତ୍ୟାକାଣ୍ଡ ଘଟିଛି । ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂ ବରାଳଙ୍କୁ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତମାନେ । ଏହାକୁ ନେଇ ମାହାଙ୍ଗା ଅଶାନ୍ତ ହୋଇପଡିଛି । ମୃତ କୁଳମଣିଙ୍କ ଗାଁ ନୃତାଙ୍ଗ ସମେତ ମାହାଙ୍ଗା ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତିକୁ ଦେଖି ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ରାଜନୈତିକ ଶତ୍ରୁତା ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ଘଟଣାରୁ ପ୍ରକାଶ ଯେ, ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଆଜି ସନ୍ଧ୍ୟାରେ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳଙ୍କ ସହ କୌଣସି କାମରେ ଯାଉଥିଲେ । ଜଁକୋଟି ଗ୍ରାମ ନିକଟରେ କିଛି ଦୁର୍ବୃତ୍ତ ଉଭୟଙ୍କ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ । ଧାରୁଆ ଅସ୍ତ୍ର ସହାୟତାରେ କୁଳମଣିଙ୍କ ମୁଣ୍ଡକୁ ପ୍ରହାର କରିଥିଲେ । ଯାହାଫଳରେ ଘଟଣାସ୍ଥଳରେ କୁଳମଣିଙ୍କ ମୃତୁ୍ୟ ହୋଇଥିବା ବେଳେ ଦିବ୍ୟସିଂ ଗୁରୁତର ଆହତ ହୋଇଥିଲେ । ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲ ନିଆଯାଇଥିଲା । ସେଠାରୁ କୁଳମଣିଙ୍କୁ ମୃତ ଘୋଷଣା କରାଯିବା ସହ ଦିବ୍ୟସିଂଙ୍କୁ କଟକ ବଡ ମେଡିକାଲ ପଠାଯାଇଥିଲା । ଏଭଳି ଚାଞ୍ଚଲ୍ୟକର ଘଟଣାକୁ ନେଇ ମାହାଙ୍ଗା ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି । ଖବର ପାଇ ବହୁ ଲୋକ ମାହାଙ୍ଗା ହସ୍ପିଟାଲ ପାଖରେ ରୁଣ୍ଡ ହୋଇଥିବା ବେଳେ ହୋହାଲ୍ଲା କରି ସ୍ଥାନୀୟ ଅଞ୍ଚଳକୁ କମ୍ପାଇଛନ୍ତି ।
ସ୍ଥିତି ନିୟନ୍ତ୍ରଣ କରିବାକୁ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଏସ୍ଡିପିଓ ରଞ୍ଜିତ କୁମାର ପୃଷ୍ଟି, ନିଶ୍ଚିନ୍ତକୋଇଲି ଥାନା ଅଧିକାରୀ ଶୁଭ୍ରାଂଶୁ ପରିଡ଼ା, ସାଲେପୁର ଥାନା ଅଧିକାରୀ ବିଜୟ ବିଶି, ମାହାଙ୍ଗା ଥାନା ଅଧିକାରୀ ରଞ୍ଜନ ପ୍ରଧାନ ପ୍ରମୁଖ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ ପଠାଇଥିଲେ । ମୃତ ଶରୀର ହସ୍ପିଟାଲ ଯିବା ପରେ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ପ୍ରାୟ ଅଧଘଣ୍ଟା କାଳ ଆମ୍ବୁଲାନ୍ସ ଅଟକିରହିଥିଲା । ପରେ ଏସ୍ଡିପିଓ ଶ୍ରୀ ପୃଷ୍ଟି ଲୋକଙ୍କୁ ବୁଝାସୁଝା କରିବାରୁ ଆମ୍ବୁଲାନ୍ସ କଟକ ଅଭିମୁଖେ ଯାଇଥିଲା । ଅନ୍ୟପକ୍ଷରେ ବିଜେପି କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସମେତ ବହୁ ନେତା ହସ୍ପିଟାଲରେ ପହଞ୍ଚô ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସୂଚନା ମୁତାବକ, କୁଳମଣି ମାହାଙ୍ଗା ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ଥିଲେ । କଂଗ୍ରେସ ଦଳରେ ରହି ୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇଥିଲେ । ଜଣେ ପୁରୁଖା ନେତା ଭାବେ ମାହାଙ୍ଗା ଅଞ୍ଚଳରେ ତାଙ୍କର ଖାତିର୍ ଥିଲା । ୨୦୧୯ ମସିହା ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ବିଜେପି ତରଫରୁ ତାଙ୍କୁ ସାଲେପୁର ନିର୍ବାଚନ ମଣ୍ଡଳିର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons