ବିଜୟୱାଡା : କରୋନା ଲକ୍ଡାଉନ୍ ଯୋଗୁ ଦୀର୍ଘ ଦିନରୁ ଆନ୍ଦ୍ରପ୍ରଦେଶର ବିଜୟୱାଡାରେ ଫସିରହିଥିବା ଯୁବ ପ୍ରବାସୀମାନେ ଶେଷର ଉପାୟ ନ ପାଇ ସାଇକେଲରେ ଓଡ଼ିଶା ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରବାସୀ ଓଡ଼ିଆ ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ । ସେମାନେ ବିଜୟୱାଡାରୁ ଏନ୍ଏଚ୍-୧୬ ଦେଇ ଘରକୁ ବାହାରୁଛନ୍ତି । ବିଜୟୱାଡାରୁ ସେମାନଙ୍କ ଘର ପ୍ରାୟ ୮୫୦ କି.ମି. ହେବ । ଲକ୍ଡାଉନ୍ ଦିନକୁ ଦିନ ବଢ଼ୁଥିବାରୁ ବିଜୟୱାଡାରେ ରହିବା ସେମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ । କଷ୍ଟ ସହି ନ ପାରିବାରୁ ସେମାନେ ସାଇକେଲରେ ଘର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ବିଜୟୱାଡାରୁ ଏକାଧିକ ଯୁବକ ଓଡ଼ିଶା ଆସୁଛନ୍ତି ।ଏମାନଙ୍କ ମଧ୍ୟରେ ଥିବା ଶୁଭନାଥ ପଣ୍ଡା କହିଛନ୍ତି, ବିଜୟୱାଡାରେ ରହିବା ଆମ ପାଖରେ ଆଉ ସମ୍ଭବ ନୁହେଁ । ଆମେ ଦୀର୍ଘ ଦିନ ହେଲା ଘର ଠାରୁ ଦୂରରେ ଫସି ରହିଛୁ । ଓଡ଼ିଶା ଯିବାକୁ ଆମେ ପୁରୁଣା ସାଇକେଲ କିଣି ଯାତ୍ରା ଆରମ୍ଭ କରିଛୁ । ବିଜୟୱାଡାରେ ଏକ ହୋଟେଲରେ ଆମେ କାମ କରୁଥିଲୁ । ଲକ୍ଡାଉନ୍ ଯୋଗୁ ସବୁ କିଛି ବନ୍ଦ । ଆମେ ହୋଟେଲ ପାଖରେ ରହୁଥିବା ସାଇକେଲ ଡିଲରଙ୍କ ଠାରୁ ଅଧା ଦାମରେ ଏହାକୁ କିଣିଛୁ । ସୋମବାର ଠାରୁ ଆମେ ଯାତ୍ରା ଆରମ୍ଭ କରିଛୁ । ଆମକୁ ଜଗତସିଂହପୁରର ଝଙ୍କେଡେଶ୍ୱର ଯିବାକୁ ଅଛି । ଆମେ ୧୦ ଜଣ ଗୋଟିଏ ଗ୍ରୁପରେ ସାଇକେଲ ଯାତ୍ରା ଆରମ୍ଭ କରିଛୁ ।
Comments are closed, but trackbacks and pingbacks are open.