ନୂଆଦିଲ୍ଲୀ: ଦେଶରେ ଦୁଇଚକିଆ ଯାନ ଚଳାଇବା ପାଇଁ ଦୁଇଟି ବର୍ଗରେ ଲାଇସେନ୍ସ ପ୍ରଦାନ କରାଯାଉଛି । ଗୋଟିଏ ହେଉଛି ୧୬ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଏବଂ ଅନ୍ୟଟି ହେଉଛି ୧୮ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ । ୧୬ରୁ ୧୮ ବର୍ଷ ବୟସର କିଶୋରଙ୍କ ପାଇଁ ବିନା ଗିୟର ଥିବା ୫୦ ସିସି ଇଞ୍ଜିନ କ୍ଷମତା ଥିବା ଗାଡି ଚଳାଇବାକୁ ଅନୁମତି ମିଳିଛି । କିନ୍ତୁ ବିଡମ୍ବନାର ବିଷୟ ଦେଶରେ ଏଭଳି ଗାଡି ଆଉ ନିର୍ମାଣ ହେଉନାହିଁ ।
ଦେଶରେ ୨୦୧୦ ମସିହାରୁ ୫୦ ସିସିରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ ଗାଡିର ନିର୍ମାଣ ବନ୍ଦ ହୋଇସାରିଲାଣି । ବର୍ତ୍ତମାନ ଆଉ କୌଣସି କମ୍ପାନି ୫୦ ସିସିରୁ କମ୍ କ୍ଷମତାର ଗାଡି ନିର୍ମାଣ କରୁନାହାନ୍ତି । ସେଥିପାଇଁ ୧୮ ବର୍ଷରୁ କମ୍ ବୟସର ପିଲାମାନେ ୫୦ ସିସି ଗାଡି ଚଳାଇବାର ଲାଇସେନ୍ସ ନେବା ପରେ ୧୦୦ କିମ୍ବା ତାଠାରୁ ଅଧିକ ସିସିର ଗାଡି ଚଳାଉଛନ୍ତି । ଟିଭିଏସ୍ କମ୍ପାନି ସବୁଠାରୁ କମ୍ ୯୯.୭ ସିସି ଇଞ୍ଜିନର ଗାଡି ନିର୍ମାଣ କରୁଛି । ଅନ୍ୟପକ୍ଷରେ ହିରୋ ମୋଟୋକର୍ପ ଓ ବଜାଜ ଭଳି କମ୍ପାନି ଏତେ କମ୍ ସିସିର ଗାଡି ନିର୍ମାଣ କରୁନାହାନ୍ତି ।
ଦେଶରେ ଚାଲୁଥିବା ୫୦ ସିସିଠାରୁ କମ୍ ଇଞ୍ଜିନ କ୍ଷମତା ବିଶିଷ୍ଟ ଗାଡି ହେଉଛି କାଇନେଟିକ ଲୁନା ଟିଏଫଆର । ୩୫ ସିସି କ୍ଷମତା ବିଶିଷ୍ଟ ଏହି ଗାଡି ୧୯୭୨ରେ ନିର୍ମାଣ ଆରମ୍ଭ ହୋଇଥିଲା ଏବଂ ୨୦୦୦ ମସିହା ପର୍ଯ୍ୟନ୍ତ ମାର୍କେଟରେ ଚାଲିଥିଲା । ଏହା ପରେ ଲୁନା ସୁପର ଆସିଲା । ଯାହାର ଇଞ୍ଜିନ କ୍ଷମତା ଥିଲା ୬୦ ସିସି । ମହାରାଷ୍ଟ୍ରର ସୋଲାପୁର ଏଆରଟିଓ ସଞ୍ଜୟ ଡୋଲେଙ୍କ କହିବାନୁଯାୟୀ ମୋଟର ଯାନ ଆଇନ ଅନୁସାରେ ୫୦ ସିସି ବାଇକ ଚଳାଇବା ଲାଗି ଲାଇସେନ୍ସ ପ୍ରଦାନ କରାଯାଉଛି । କିନ୍ତୁ ବର୍ତ୍ତମାନ ଏହି କ୍ଷମତାର ଗାଡି ନିର୍ମାଣ ହେଉ ନଥିବାରୁ ଆଇନରେ ପରିବର୍ତ୍ତନ କରାଯିବା ଉଚିତ । ୩୫ ସିସିରୁ ଆରମ୍ଭ ହୋଇଥିବା ଗାଡି ନିର୍ମାଣ ଏବେ ୧ ହଜାର ସିସି ଅତିକ୍ରମ କଲାଣି । ଦେଶରେ ୫୦୦ ଓ ୬୦୦ ସିସିର ଗାଡି ଉପଲବ୍ଧ ହେଲାଣି । କିନ୍ତୁ ଆରଟିଓ ଆଇନରେ ପରିବର୍ତ୍ତନ ହୋଇପାରିନାହିଁ । ଫଳରେ ଲାଇସେନ୍ସକୁ ନେଇ ସେହି ପୁରୁଣା ଆଇନ ପ୍ରଚଳନ ହେଉଛି ।
ସେହିଭଳି ସୋସାଇଟି ଅଫ ଇଣ୍ଡିଆନ ଅଟୋମୋବାଇଲ ମାନୁଫ୍ୟାକଚରର ମହାନିର୍ଦ୍ଦେଶକ ବିଷ୍ଣୁ ମାଥୁରଙ୍କ କହିବାନୁଯାୟୀ ବଜାର ଚାହିଦାକୁ ଦୃଷ୍ଟିରେ ରଖି ଗାଡି ନିର୍ମାଣ କରାଯାଉଛି । ବଜାରରେ ଯେଉଁ ଗାଡିର ଡିମାଣ୍ଡ ଅଧିକ ହେଉଛି ସେହି ସିସିର ଗାଡି ଅଧିକ ନିର୍ମାଣ କରାଯାଉଛି । ଯଦି କୌଣସି ଗାଡିର ଡିମାଣ୍ଡ ହେଉନାହିଁ, ତେବେ ତାହା କିଭଳି ନିର୍ମାଣ ହେବ? ଯଦି ୫୦ ସିସିରୁ କମ୍ କ୍ଷମତା ବିଶିଷ୍ଟ ଗାଡି ନିର୍ମାଣ ହେଉନାହିଁ, ତେବେ ସେକଥା ଗାଡି ନିର୍ମାଣକାରୀ କମ୍ପାନିମାନଙ୍କୁ ପଚରାଯିବା କଥା । ମହାରାଷ୍ଟ୍ରର ପରିବହନ କମିଶନର ଶେଖର ଚନେଙ୍କ କହିବାନୁଯାୟୀ ୫୦ ସିସି କ୍ଷମତାର ଗାଡି ଚଳାଇବା ଲାଗି ୧୬ରୁ ୧୮ ବର୍ଷ ବୟସର କିଶୋରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଉଛି । ଯଦି ଏହି ସିସି କ୍ଷମତାର ଗାଡି ନମିଳିବ ତେବେ ଲାଇସେନ୍ସ ମଧ୍ୟ ଦିଆଯିବା ଉଚିତନୁହେଁ ।
Comments are closed, but trackbacks and pingbacks are open.