ବିଡିଏ ହାତକୁ ଗଲା ନିକୋ ପାର୍କ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଶେଷରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ନିକୋପାର୍କ ବା ବିଡିଏ ସିଟି ସେଣ୍ଟରକୁ ନିଜ ଅଧୀନକୁ ନେଇଛି । ସନ୍ଟେକ ସିଟି ସହ ବିଡିଏ କରିଥିବା ଚୁକ୍ତି ବାତିଲ କରାଯାଇଛି । ଏଣିକି ବିଡିଏ ନିଜେ ଏହି ପାର୍କର ରକ୍ଷଣାବେକ୍ଷଣା ସହ ପରିଚାଳନା ଦାୟିତ୍ୱ ତୁଲାଇବ ।
‘ଫୋନି’ ପରଠାରୁ ବିଡିଏ ସିଟି ସେଣ୍ଟର ବନ୍ଦ ହୋଇ ପଡ଼ିଥିଲା । ବିଭିନ୍ନ ଖେଳ ଉପକରଣ ସହ ଅନ୍ୟ ଭିତ୍ତିଭୂିମି ଭାଙ୍ଗିରୁଜି ଯାଇଥିଲା । କିନ୍ତୁ ପରିଚାଳନା ଦାୟିତ୍ୱରେ ଥିବା ସନ୍ଟେକ୍ ସିଟି ଏହାର ମରାମତି କରୁନଥିଲା । ଏପରିକି କର୍ମଚାରୀମାନେ ତିନି ମାସ ହେଲାଣି ଦରମା ପାଉନଥିଲେ । ବାରମ୍ବାର ଗୁହାରି ସତ୍ତେ୍ୱ ସନଟେକ୍ ସିଟି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଥିଲେ ।
ତେବେ ଏହାକୁ ନେଇ ପାର୍କର ଅସ୍ଥାୟୀ ଓ ସ୍ଥାୟୀ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ବକେୟା ଦରମା ପ୍ରଦାନ ଓ ପାର୍କକୁ ଚାଲୁ କରିବା ଦାବିରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ, ବିଡିଏ ଉପାଧ୍ୟକ୍ଷ, ଶ୍ରମ କମିଶନରଙ୍କୁ ଭେଟିଥିଲେ । ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅବଗତ କରାଇଥିଲେ । ଏହାପରେ ବିଡିଏ କର୍ତ୍ତୃପକ୍ଷ ଏବେ ସନଟେକ ସିଟି ସହ ପୂର୍ବରୁ କରିଥିବା ଚୁକ୍ତିକୁ ବାତିଲ କରି ପାର୍କର ସମସ୍ତ ପରିଚାଳନା ଦାୟିତ୍ୱ ନିଜ ଅଧିନକୁ ନେଇଛି ।
ପ୍ରାୟ ୨୫ ଏକର ପରିମିତ ଜାଗାରେ ଥିବା ଏହି ପାର୍କଟି ରାଜଧାନୀର ଏକ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ର । ୧୯୯୮ ମସିହାରେ ପ୍ରଥମେ ନିକୋ ଗ୍ରୁପ୍ ସହ ମିଶି ବିଡିଏ ଏହି ପାର୍କକୁ ବିକାଶ କରିଥିଲା । ଏହାର ନାଁ ବିଡିଏ ନିକୋ ପାର୍କ ଦିଆଗଲା । ଏଥିରେ ନିକୋ ଗ୍ରୁପ୍ର ୫୧ପ୍ରତିଶତ ଓ ବିଡିଏର ୪୯ପ୍ରତିଶତ ଅଂଶଧନ ରହିଥିଲା । କିଛି ଦିନ ଭିତରେ ଏହା ରାଜଧାନୀର ଏକ ଲୋକପ୍ରିୟ ପାର୍କ ପାଲଟିଲା । ଏଠାରେ ମ୍ୟୁଜିକାଲ ୱାଟର ଫାଉଣ୍ଟେନ, ଛୋଟ ପିଲାଙ୍କ ଜଳକ୍ରୀଡା, ବିବାହ ଓ ଅନ୍ୟ ଉତ୍ସବ ପାଇଁ ମଣ୍ଡପ ସୁବିଧା ରହିଥିଲା ।
୧୯୯୮ରେ ନିକୋ ଗ୍ରୁପ୍ ଚୁକ୍ତିରୁ ଓହରି ଯାଇଥିଲା । ପରେ ସନ୍ଟେକ ସିଟି ନିକୋର ଅଂଶଧନକୁ କିଣି ନେଇଥିଲା । ସେବେଠାରୁ ଏହା ବିଡିଏ ସିଟି ସେଣ୍ଟର ଭାବେ ନାମିତ ହେଲା । କିଛି ବର୍ଷ ଯାଏ ଏହି ପାର୍କ ଭଲ ଭାବେ ଚାଲିଥିଲା । ବର୍ଷକୁ ପ୍ରାୟ ଦେଢ ଲକ୍ଷ ଲୋକେ ପାର୍କକୁ ବୁଲିବାକୁ ଆସୁଥିଲେ । କିନ୍ତୁ ଧୀରେ ଧୀରେ ଏଥିରେ ବ୍ୟାପକ ଅନିୟମିତତାର ଅଭିଯୋଗ ଆସିଥିଲା । ପାର୍କର ରକ୍ଷଣାବେକ୍ଷଣ ଠିକ୍ରେ କରାଗଲାନି । ବିବାହ ଓ ଅନ୍ୟ ଉତ୍ସବ ଆୟୋଜନକୁ ଗୁରୁତ୍ୱ ଦିଆଗଲା । ପ୍ରତି ଉତ୍ସବ ପାଇଁ ୬୦ରୁ ୬୫ ହଜାର ଟଙ୍କା ଧାର୍ଯ୍ୟ କରାଗଲା । ଏହାବାଦ୍ କ୍ୟାଟେରିଂ ଓ ସାଜସଜ୍ଜା ବାବଦରେ ଆଦାୟ ହେଉଥିବା ଟଙ୍କା ବିଡିଏ-ସିଟି ସେଣ୍ଟର ଖାତାକୁ ନ ଆସି ଏଥିରେ ବାଟମାରଣା ହେଉଥିଲା ବୋଲି ଅନେକ କର୍ମଚାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିିଛନ୍ତି । ଏ ବାବଦରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ବୋଲି ସେମାନେ ଅଭିଯୋଗ ଉଠାଇଛନ୍ତି । ଏସବୁର ତୁରନ୍ତ ଅଡିଟ୍ କଲେ ଦୁର୍ନୀତି ଧରା ପଡିବ ବୋଲି ସେମାନେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons