ବିଡିଓଙ୍କ ଭିଡିଓ ଭାଇରାଲ: ଆକ୍ସନ ମୋଡ୍‌ରେ ଆଇନ୍‌ ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ବର: ସାମ୍ବାଦିକ ହୁଅନ୍ତୁ କିମ୍ବା ସମାଜସେବୀ ସମସ୍ତଙ୍କ ଫେସ୍‌ବୁକ ଆଇଡିରେ ରହିଛି ବାଲିଆପାଳ ବିଡିଓଙ୍କ କଳାକାରନାମାର ଦୃଶ୍ୟ। ଏହି ଘଟଣାରେ ପରେ ଆକ୍ସନ ମୋଡ୍‌ରେ ଆଇନ୍ ମନ୍ତ୍ରୀ। କରୋନା ଯୋଗୁଁ ହଜାର ହଜାର ପ୍ରବାସୀ ଏବେ ଘର ମୁହାଁ । ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାଶାସନିକ ଅଧିକାରୀମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ପ୍ରବାସୀ । ଏନେଇ ବିଭିନ୍ନ ଅଞ୍ଚଳରୁ ବିଡିଓମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏପରିକି ନିଜ ଗାଁ ଠାରୁ ୧୦୦କିମି ଦୂର କ୍ବାରେଣ୍ଟାଇନ୍ ସେଣ୍ଟରେ ରହିଥିବା ମହିଳା ସେମାନଙ୍କ ସମସ୍ୟା ନେଇ ବିଡିଓଙ୍କୁ ଜଣାଇବାରୁ ବିଡିଓ ସେମାନଙ୍କୁ ଗାଳି ଦେଉଥିବାର ଅଡିଓ ମଧ୍ୟ ଭାଇରାଲ ହୋଇଛି । ସେପଟେ ସଟ୍‌ ଡାଉନ୍‌କୁ ନେଇ ଚଣ୍ଡିଖୋଲର ସୁଙ୍ଗୁଡା ପଞ୍ଚାୟତର ସରପଞ୍ଚ ଓ ବିଡିଓ ମୁହାଁମୁହିଁ ହୋଇଛନ୍ତି।
କରୋନା ସଂକ୍ରମଣ ଭୟରେ ନିଜ ଭିଟାମାଟିକୁ ଫେରୁଛନ୍ତି ପ୍ରବାସୀ । ଏଭଳି ସମୟରେ ପ୍ରବାସୀ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରଚଣ୍ଡ ଖରାରେ ଛିଡା ହୋଇଥିବା ପ୍ରବାସୀ ପାଣି ମାଗିବାରୁ ବାଲିଆପାଳ ବିଡିଓ କିପରି ଅସଭ୍ୟ ଭାଷାରେ ଗାଳି ଦେଉଥିବାର ଭିଡିଓ ଆପଣ ଦେଖିଥିଲେ । ଉକ୍ତ ବିଡିଓଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବି କରି ଆଜି ରାସ୍ତାକୁ ଓହ୍ଲାଇଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ । ସେପଟେ ଅଭିଯୋଗ ପ୍ରମାଣ ହେଲେ ବିଡିଓଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇନ ମନ୍ତ୍ରୀ ଆଜି ପ୍ରତିକ୍ରିୟା ରଖିଛନ୍ତି।
ସେହିଭଳି ଅନୁଗୋଳ ଛେଣ୍ଡିପଦା ବିଡିଓଙ୍କ ବିରୋଧରେ ଆସିଛି ସମାନ ଅଭିଯୋଗ । ୩ଜଣ ପ୍ରବାସୀ ମହିଳାଙ୍କୁ ସେମାନଙ୍କ ଘରଠାରୁ ୧୦୦ କିଲୋମିଟର ଦୂର ବରପଦା ହାଇସ୍କୁଲରେ କ୍ବାରେଣ୍ଟେଇନ ସେଣ୍ଟରରେ ରଖାଯାଇଛି ।ଏ ନେଇ ଛେଣ୍ଡିପଦା ବିଡିଓଙ୍କୁ ମହିଳାମାନେ ପ୍ରତିବାଦ କରିବାକୁ ଛେଣ୍ଡିପଦା ବିଡିଓ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ସେପଟେ ଜିଲ୍ଲାପାଳ କ୍ଷମତାକୁ ନେଇ ସରପଞ୍ଚ ଓ ବିଡିଓ ମୁହାଁମୁହିଁ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ସୁଙ୍ଗୁଡା ସରପଞ୍ଚ ଚାଚାଲିନ ସ୍ବାଇଁ ଗତକାଲି ସଂଧ୍ୟାରୁ ୪୮ ଘଣ୍ଟା ପାଇଁ ଜିଲ୍ଲାପାଳଙ୍କ କ୍ଷମତା ଆଧାରରେ ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କରିଥିଲେ । ଚଣ୍ଡିଖୋଲ ଛକରେ ବାହାର ରାଜ୍ୟ ଲୋକ ଚଳପ୍ରଚଳ କରୁଥିବାରୁ ସଂକ୍ରମଣ ଆଶଙ୍କାରେ ସେ ସଟ୍‌ଡାଉନ୍‌ କରିଥିଲେ । ତେବେ ବଡ଼ଚଣା ବିଡିଓ କହିଛନ୍ତି, କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲୋକ ନିୟମ ମାନୁ ନଥିଲେ ସରପଞ୍ଚ ସଟ୍‌ଡାଉନ୍‌ ଘୋଷଣା କରିପାରିବେ । ତେଣୁ ସରପଞ୍ଚଙ୍କ ସଟ୍‌ଡାଉନ୍‌ ଘୋଷଣାକୁ ବିଡିଓ ସ୍ଥଗିତ ରଖିଛନ୍ତି । ସରପଞ୍ଚ ଓ ବିଡିଓଙ୍କ ମଧ୍ୟରେ ଟଣାଓଟରାକୁ ନେଇ ଦ୍ବନ୍ଦରେ ପଡିଯାଇଛନ୍ତି ଲୋକେ
ଯାଜପୁର ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳାଙ୍କୁ ସ୍ଥାନୀୟ ଡିଲର ତାଙ୍କ ହକ୍‌ ଚାଉଳ କୋଟାରୁ ୫କିଲୋ କାଟିଦେଇଥିବାରୁ ଉକ୍ତ ମହିଳା ସ୍ଥାନୀୟ ବିଡିଓଙ୍କ ପାଦତଳେ ପଡି ଗୁହାରି କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons