ବିଦେଶୀ ରାଷ୍ଟ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ପାଣ୍ଡେଙ୍କ ଆହ୍ୱାନ:ଭାରତୀୟ ଶ୍ରମଶକ୍ତିର ଲାଭ ଉଠାଅ

Get real time updates directly on you device, subscribe now.

କାଜାନ(ରୁଷ): ଭାରତର ଶ୍ରମଶକ୍ତି ଏବେ ଖୁବ୍ ଶକ୍ତିଶାଳୀ । କେବଳ ସଂଖ୍ୟା ଦୃଷ୍ଟିରୁ ନୁହେଁ, ବରଂ ଉଚ୍ଚ କୁଶଳୀ ଓ କୁଶଳୀ ବର୍ଗର ଶ୍ରମଶକ୍ତି ଏବେ ଅର୍ଥନୀତିରେ ସାମିଲ ହୋଇଛନ୍ତି । ୨୦୨୨ ଓ ୨୦୩୪ ମଧ୍ୟରେ ଏମାନଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ । ସମ୍ଭବତଃ ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ତୁଳନାରେ ଏହା ଅଧିକ ହେବ । ତେଣୁ ବିଦେଶୀ କମ୍ପାନିମାନେ ଏହାର ଫାଇଦା ଉଠାଇବା ଆବଶ୍ୟକ । ଭାରତରେ ବିପୁଳ ପୁଞ୍ଜିନିବେଶ କରି କମ୍ପାନିମାନେ ଦେଶର ଶ୍ରମଶକ୍ତିର ଲାଭ ନେବା ଉଚିତ । ଭାରତର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏଭଳି ଆହ୍ୱାନ ଦେଇଛନ୍ତି । ରୁଷ୍ର କାଜାନ୍ରେ ଅନୁଷ୍ଠିତ ସର୍ବବୃହତ୍ ଅନ୍ତର୍ଜାତୀୟ ଧନ୍ଦାମୂଳକ ଦକ୍ଷତା ପ୍ରତିଯୋଗିତା ‘ୱାର୍ଲଡସ୍କିଲ୍ କାଜାନ୍ ୨୦୧୯’ରେ ଉଦ୍ବୋଧନ ଦେଇ ପାଣ୍ଡେ ଏହା କହିଛନ୍ତି । ସେ କହିଛନ୍ତି, ବିଶ୍ୱ ଏବେ ବୃଦ୍ଧାବସ୍ଥା ଦେଇ ଗତି କରୁଥିବା ବେଳେ ଭାରତ ହେଉଛି ଏକ ଯୁବ ରାଷ୍ଟ୍ର । ବିକଶିତ ରାଷ୍ଟ୍ରଗୁଡ଼ିକର ଅଧିକାଂଶ ଅଞ୍ଚଳରେ ଶ୍ରମଶକ୍ତିର ମଧ୍ୟମ ବୟସ ୪୦ ବର୍ଷ ହୋଇଥିବା ବେଳେ ଭାରତରେ ଏହା ୨୭.୬ ବର୍ଷ ରହିଛି । ୨୦୨୨ରୁ ୨୦୩୪ ପର୍ଯ୍ୟନ୍ତ ଭାରତ ସର୍ବାଧିକ ଶ୍ରମଶକ୍ତି ରାଷ୍ଟ୍ର ପାଲଟିବ । ତେଣୁ ବିଦେଶୀ କମ୍ପାନିମାନେ ଏହାର ଲାଭ ଉଠାଇବା ପାଇଁ ଭାରତରେ ନିବେଶ କରିବା ଦରକାର । ତା’ଛଡ଼ା ଅନ୍ତର୍ଜାତୀୟ ମାନକ ଅନୁସାରେ ଭାରତୀୟ ଶ୍ରମଶକ୍ତିକୁ ପ୍ରସ୍ତୁତ କରାଯାଉଛି । ଦେଶର ଉଚ୍ଚ ଦକ୍ଷତାସମ୍ପନ୍ନ ଲୋକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିବର୍ଷ ଶ୍ରମଶକ୍ତିରେ କୋଟିଏ କୁଶଳୀ ଯୁବ ପ୍ରାର୍ଥୀ ସାମିଲ ହେଉଛନ୍ତି ।ଭାରତର ଏହି ଶ୍ରମଶକ୍ତିର ଫାଇଦା ଉଠାଇ ଦେଶର ଅର୍ଥନୀତିରେ ଯୋଗଦାନ ଦେବାକୁ ବିଦେଶୀ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ପାଣ୍ଡେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ୪୦ ରାଷ୍ଟ୍ରର ମନ୍ତ୍ରୀମାନଙ୍କୁ ପାଣ୍ଡେ କହିଛନ୍ତି, ଭାରତର ଶ୍ରମଶକ୍ତି ତାଲିମ ବ୍ୟବସ୍ଥା ଉ+ୃଷ୍ଟ ରହିଛି । ବ୍ରିଟେନ୍ ଓ ଆମେରିକା ଭଳି ବିକଶିତ ରାଷ୍ଟ୍ରରେ ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ବେଶ୍ ଅଧିକ ରହିଛି । ତେବେ ଭାରତରେ ନିବେଶ କରୁଥିବା କମ୍ପାନିମାନେ ଶ୍ରମଶକ୍ତିର ଅଧିକ ସୁଫଳ ପାଇପାରିବେ ।କାର୍ଯ୍ୟକ୍ରମରେ ରୁଷ୍ର ଉପ ପ୍ରଧାନମନ୍ତ୍ରୀ ତାୟାନା ଗୋଲିକୋଭା, ଶିକ୍ଷା ମନ୍ତ୍ରୀ ଓଲ୍ଗା ବାସିଲ୍ୟେଭା, ଚୀନ୍ର ମାନବ ସମ୍ବଳ ତଥା ସାମାଜିକ ନିରାପତ୍ତା ଉପମନ୍ତ୍ରୀ ତାଙ୍ଗ୍ ତାଓ, ୱାର୍ଲଡସ୍କିଲ୍ସ ଇଣ୍ଟରନ୍ୟାସନାଲ୍ର ରଣନୀତି ବିକାଶ କମିଟି ଜୋସ୍ ଦେ ଗୋୟେ ପ୍ରମୁଖ ଉପସ୍ଥିତ ଥିଲେ । ସେମାନଙ୍କୁ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ପାଣ୍ଡେ କହିଛନ୍ତି, ସ୍ୱଳ୍ପ ସମୟ ମଧ୍ୟରେ ଗୁଣଯୁକ୍ତ ଦକ୍ଷତା ସୁଯୋଗ ପ୍ରଦାନ ପାଇଁ ଭାରତ ୨୦୦ରୁ ୬୦୦ ଘଣ୍ଟାର ଏକ ପ୍ରତିଯୋଗୀସମ୍ପନ୍ନ କାର୍ଯ୍ୟକ୍ରମ ପ୍ରଚଳନ କରିଛି । ଏହି କ୍ଷୁଦ୍ର ଅବଧିର କାର୍ଯ୍ୟକ୍ରମ ଦ୍ୱାରା ଯୁବଗୋଷ୍ଠୀଙ୍କ ନିଯୁକ୍ତି କ୍ଷମତା ବୃଦ୍ଧି କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons