ଠାକୁରମୁଣ୍ଡା,(ବି.ବି.ନ୍ୟୁଜ୍): ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ର ଖମଡ଼ିହା ଅଞ୍ଚଳରେ ଆଜି ଜନୈକ ନାବାଳକର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ଗତ ୧୦ଦିନ ତଳେ ଝଡ଼ବର୍ଷାରେ ଖୁଣ୍ଟ ଉପୁଡ଼ିବା ସହିତ ତାର ତଳକୁ ଝୁଲି ରହିଥିଲା । ଜୀବନ୍ତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ନାବାଳକ ଆସିଯିବାରୁ ଏହି ମର୍ମନ୍ତୁଦ ଘଟଣା ଘଟିଛି । ନାବାଳକର ମୃତ୍ୟୁ ପାଇଁ ବିଦ୍ୟୁତ ବିଭାଗର ଅବହେଳାକୁୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେମାନେ ଅପରାହ୍ନ ୧ଟାରୁ ରାତି ୭ଟା ୪୫ଯାଏଁ ଠାକୁରମୁଣ୍ଡା-ଆନନ୍ଦପୁର ୫୩ନମ୍ବର ରାଜ୍ୟ ରାଜପଥକୁ ଅବରୋଧକରି ରଖିଥିଲେ । ଫଳରେ ଯାତାୟାର ବାଧାପ୍ରାପ୍ତ ହେବା ସହ ପଥଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଦ୍ୟୁତ ବିଭାଗ ତଥା ସ୍ଥାନୀୟ ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ବିଭିନ୍ନ ସହାୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତା ଅବରୋଧହଟିଛି ।
ପ୍ରକାଶ ଯେ ୧୦ଦିନ ତଳେ ଠାକୁରମୁଣ୍ଡାର ଖମଡିହା ଛକ ନିକଟରେ ବିଦ୍ୟୁତ ଖୁଣ୍ଟ ପବନରେ ଉପୁଡ଼ି ପଡ଼ିଥିଲା । ବିଦ୍ୟୁତ ବିଭାଗ କର୍ମଚାରୀମାନେ ଖୁଣ୍ଟ ଉଠାଇବା ବେଳେ ଟଣାଯାଇଥିବା ତାର ଝୁଲି ରହିଥିଲା । ଅଧିକ ଗୋଟିଏ ଖୁଣ୍ଟ ଲଗାଇ ତାର ଟାଣି ରଖିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଥିଲେ । ମାତ୍ର ବିଦ୍ୟୁତ୍ ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିଲା । ଆଜି ଦିନ ପ୍ରାୟ ୧ଟାବେଳେ ବାଘମୁଣ୍ଡା ଡଙ୍ଗାଚୁଆର ବାସିନ୍ଦା ଘନଶ୍ୟାମ ବୁଡିଉଲିଙ୍କ ପୁଅ ସାଦ(୧୬) ଗୋରୁ ଚରାଉଥିବାବେଳେ ବଳଦକୁ ଫେରାଇ ଆଣିବାକୁ ଉଦ୍ୟମ କରିବା ସମୟରେ ଜୀବନ୍ତ ତାର ଦେହରେ ଲାଗିଯାଇଥିଲା ।ତତ୍କ୍ଷଣାତ ସେହିଠାରେ ହିଁ ସାଦର ପ୍ରାଣବାୟୁ ଉଡ଼ିଯାଇଥିଲା ।
ପ୍ରକାଶ ଥାଉକି, ଘନଶ୍ୟାମଙ୍କର ୨ପୁଅ ମଧ୍ୟରୁ ବଡପୁଅ ୮ବର୍ଷ ତଳୁ ନିଖୋଜ ଅଛି । ସାନପୁଅ ସାଦ ଅଷ୍ଟମ ଶ୍ରେଣୀରୁ ପାଠ ଛାଡିଛି । ଘରେ ବାପାଙ୍କୁ ସାହାଯ୍ୟ କରେ । ଚାଷ କାମ ପରେ ବଳଦଙ୍କୁ ଚରାଇବା ପାଇଁ ୧୭ତାରିଖ ସେ ଜଙ୍ଗଲ ଆଡକୁ ନେଇ ଆସିଥିଲା । ଠିକ୍ ୧୯ ବର୍ଷ ତଳେ ସେହି ସ୍ଥାନରେ ଛେଳି ପିଁ ଡାଳ ନେଇ ଫେରୁଥିବା ବେଳେ ନବିଜାନ ନାମକ ଜନୈକ ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ସଂପୃକ୍ତ ସ୍ଥାନରେ ଜଙ୍ଗଲ ଜାଗାରେ ଦିଗଧର ଗ୍ରାମ ପଂଚାୟତ ତରଫରୁ ଏକ ପୋଖରୀ ଖୋଳାଯାଇଥିଲା । ସେଠାରେ ୨୧ଟି ବଡ଼ଶାଳ ଗଛ ଓ ଅନ୍ୟାନ୍ୟ ଗଛ ଥିବାରୁ ଅଭିଯୋଗ ପରେ ଅଧାଖୋଳା ଅବସ୍ଥାରେ କାମ ଅଟକି ରହିଥିଲା । ସେଠାରେ ଥିବା ବିଦ୍ୟୁତ ଖୁଣ୍ଟ ସେବେ ଠାରୁ ନାହିଁ ଏବଂ ତାର ଝୁଲି ରହିଛି । ଯେଉଥି ପାଇଁ ଆଦିବାସୀ ନାବାଳକ ସାଦଙ୍କର ଅମୂଲ୍ୟ ଜୀବନ ଗଲା ।
ଆଜି ର ଏହି ଅଘଟଣ ପରେ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧକରି ବସିରହିଥିଲେ । ଫଳରେ ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତା ଦୀର୍ଘ ୬ଘଣ୍ଟା ଧରି ବନ୍ଦ ରହିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ିମୋଟର ଅଟକି ରହିବା ସହିତ ଲୋକାମାନେ ହନ୍ତସନ୍ତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ,ଥାନାଧିକାରୀ ଧିରେଶ କୁମାର ଦାସ,ମହୁଲଡିହା ଥାନାଧିକାରୀ ସଞ୍ଜୟ କୁମାର ପ୍ରଧାନ,ଠାକୁରମୁଣ୍ଡା ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଏବଂ ଏସ.ଡି.ପି.ଓ ନାରୟଣ ନାୟକ ପହଞ୍ôଚ ଜନସାଧାରଣଙ୍କୁ ବୁଝାସୁଝା କରିଥିଲେ । ରାସ୍ତା ଅବରୋଧକାରୀଙ୍କ ଦାବି ମୁତାବକ କ୍ଷତିପୂରଣ ବାବଦରେ ମୃତକଙ୍କ ପରିବାରକୁ ବିଦ୍ୟୁତ ବିଭାଗ ୫୦ଜହାର ଟଙ୍କା ଦେବାକୁ ରାଜି ହେବା ପରେ ଲୋକମାନେ ରାତି ୭.୪୫ମିନିଟରେ ରାସ୍ତାରୁ ହଟିଛନ୍ତି । ତହସିଲଦାରଙ୍କ ଜରିଆରେ ୨୫ ହଜାର ଟଙ୍କା ନଗଦ ହସ୍ତାନ୍ତର କରାଯାଇଛି । ବାକି ୨୫ ହଜାର ଟଙ୍କା ମଙ୍ଗଳବାର ଦିଆଯିବ ବୋଲି ପ୍ରତିଶ୍ରୃତି ଦିଆଯାଇଛି । ଏଥିସହିତ ବ୍ଲକ ପ୍ରଶାସନ ପକ୍ଷରୁ ସାଦଙ୍କ ପରିବାରକୁ ବିଜୁ ପକ୍କା ଘର,ଭତ୍ତା ଏବଂ ୨୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ପ୍ରତିଶ୍ରୃତି ଦେଇଛନ୍ତି ।
Comments are closed, but trackbacks and pingbacks are open.