ବିଦ୍ୟୁତ୍ ଆଘାତରେ ୨ ମୃତ

Get real time updates directly on you device, subscribe now.

ବାଲେଶ୍ୱର,(ବି.ବି.ନ୍ୟୁଜ୍): ବିଦ୍ୟୁତ୍ ଲାଇନ କାମ କରୁଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏଭଳି ଘଟଣା ଶନିବାର ସଦର ବ୍ଲକ ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡ଼ିଗାଁରେ ଘଟିଛି । ମୃତକ ଦ୍ୱୟ ହେଲେ ଚାନ୍ଦିପୁର ଥାନା ଅନ୍ତର୍ଗତ ହିଡ଼ିଗାଁ ଗ୍ରାମର ନାରାୟଣ ଚନ୍ଦ୍ର ଜେନାଙ୍କ ପୁଅ ପ୍ରଦୀପ (୨୪), ଟାଉନ୍ ଥାନା ଅନ୍ତର୍ଗତ ସୁନହଟ୍ର ଅଞ୍ଚଳର ଲାଇନ୍ ମ୍ୟାନ୍-ସି ସତ୍ୟନାରାୟଣ ଦାସ (୪୨) ।
ଘଟଣାରୁ ପ୍ରକାଶ, ହିଡ଼ିଗାଁରେ ଏଲଟି (ଲୋ ଭୋଲଟେଜ) ଲାଇନ୍ର କାମ ଚାଲୁଥିଲା । ବିଭାଗୀୟ ଯନ୍ତ୍ରୀଙ୍କ ସହ ଅନ୍ୟ ଲାଇନ ମ୍ୟାନ୍ମାନେ ତାର ଟାଣୁଥିଲେ । ତାର ଟାଣିବାରେ ଅସୁବିଧା ହେବାରୁ ଗ୍ରାମବାସୀମାନେ ଗଛର ଡାଳ ହାଣୁଥିଲେ । ଅପରାହ୍ନରେ ପ୍ରଦୀପ ନିଜ ଘର ପାଖରେ ଥିବା ଗଛର ଡାଳ ହାଣୁଥିବା ବେଳେ ଅଜାଣତରେ ଏଲଟି ତାର ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲା । ଫଳରେ ସେ ବିଦ୍ୟୁତ୍ ଆଘାତ ପାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଯାଇ ତଳେ ଥିବା ଲାଇନମ୍ୟାନ୍ ସତ୍ୟନାରାୟଣ ପ୍ରଦୀପଙ୍କ ସଂସ୍ପର୍ଶରେ ଆସିଥିଲେ । ଫଳରେ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପ୍ରଚାର ପରେ ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସମ୍ଭବ ଭିଡ଼ ହୋଇଥିଲା । ଖବର ପାଇ ନେସ୍କୋର ଉଚ୍ଛ ପଦସ୍ଥ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚିଥିଲେ । ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ରିପୋର୍ଟ ଲେଖା ହେବା ସୁଦ୍ଧା ଲାଇନମ୍ୟାନ୍ ସତ୍ୟନାରାୟଣଙ୍କ ପରିବାର ସସଦ୍ୟଙ୍କୁ ନେସ୍କୋ ପକ୍ଷରୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଏହା ବ୍ୟତୀତ ତହସିଲଦାର ରେଡ୍କ୍ରସ୍ ପାଣ୍ଠିରୁ ଉଭୟ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଡିଏସପି ଉମେଶ ଚନ୍ଦ୍ର ପଣ୍ଡା, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ଅପରପକ୍ଷରେ ଏହି ଘଟଣାରେ ସତ୍ୟନାରାୟଣଙ୍କ ସ୍ତ୍ରୀଙ୍କୁ ନେସ୍କୋ ପକ୍ଷରୁ ଚାକିରି ଦେବାକୁ ଦାବି ହୋଇଛି । ମୃତ ଲାଇନ୍ମ୍ୟାନ ସତ୍ୟନାରାୟଣ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ରୋଜଗାର ଉପରେ ପରିବାର ନିର୍ଭର କରୁଥିଲା । କିଛି ଦିନ ତଳେ ବାପା ବ୍ରେନ ଷ୍ଟ୍ରୋକ୍ର ଶିକାର ହୋଇ ଶଯ୍ୟାଶାୟୀ ଅଛନ୍ତି । ସେହିପରି ଲାଇନ କାମ ବେଳେ ଯଦି କୌଣସି ସମସ୍ୟା ଉପୁଜେ, ତେବେ ଏହାର ସମାଧାନ ବିଭାଗୀୟ କର୍ମଚାରୀ କରିବା କଥା । କେଉଁ କାରଣରୁ ପ୍ରଦୀପଙ୍କୁ ଡାକି ବିଭାଗୀୟ କର୍ମଚାରୀ ଏହି କାମରେ ନିୟୋଜିତ କରିଥିଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପ୍ରଦୀପଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ନେସ୍କୋ ସହାୟତା ରାଶି ପ୍ରଦାନ କରୁ ବୋଲି ସେମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons