ମାଲକାନଗିରି, (ବି.ବି.ନୁ୍ୟଜ୍): ଜମିବାଡି ବିବାଦକୁ କେନ୍ଦ୍ର କରି ଘଟିଛି ଅମାନୁଷିକ କାଣ୍ଡ । ଜଣେ ବିଧବା ମହିଳାଙ୍କ ସମେତ ତାଙ୍କ ପରିବାରର ୬ ଜଣଙ୍କୁ ଗଛରେ ବନ୍ଧାଯାଇ ନିସ୍ତୁକ ମାଡ଼ ମରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଞ୍ଚଳରେ । ଏ ସଂପର୍କରେ ପୋଟେରୁ ଥାନାରେ ଏତଲା ଦିଆଯାଇଛି । ଘଟଣାଟି ଗତ ୧୦ ତାରିଖରେ ଘଟିଥିବା ବେଳେ ଆଜି ଲୋକଲୋଚନକୁ ଆସିଛି । କାଲିମେଳା ପୁଲିସ ଘଟଣାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଆରମ୍ଭ କରିଛି ତନାଘନା । ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ପର୍ଯ୍ୟନ୍ତ ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁମ୍କା ପଞ୍ଚାୟତ ଏମପିଭି-୧୦ଗାଁର ସେଫାଳି ବିଶ୍ୱାସ(୬୦)ଙ୍କ ପଟ୍ଟାଜମିରେ ସେହି ଗାଁରେ ରହୁଥିବା ତାଙ୍କ ସମ୍ପର୍କୀୟ ବିଜନ ମଜୁମଦାର, ରତନ ମଜୁମଦାର, ସପନ ମଜୁମଦାର, ଚନ୍ଦନ ମଜୁମଦାର, ତିଲକ ମଜୁମଦାର ପ୍ରମୁଖ ଜୋର ଜବରଦସ୍ତ ଚାଷ କରୁଥିଲେ । ଏହା ଦେଖି ସେଫାଳି ଓ ତାଙ୍କ ପରିବାର ବିରୋଧ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ମଜୁମଦାର ପରିବାରର ଲୋକମାନେ ବିଧବା ସେଫାଳିଙ୍କ ସହ ତାଙ୍କ ପୁଅ ଗୋପାଳ, ବୋହୁ ନୀଳିମା, ନାତି ବିଜୟ, ସୁଜୟ, ଧନଞ୍ଜୟଙ୍କୁ ଜମିରେ ଥିବା ଏକ ମହୁଲ ଗଛରେ ବାନ୍ଧିଦେଇ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ସେମାନଙ୍କ ଚିକ୍ରାର ଶୁଣି ଗାଁ ଲୋକେ ସେଠାରେ ପହଞ୍ଚିଥିଲେ । ରଶି ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ପରଦିନ ସେଫାଳି ପୋଟେରୁ ଫାଣ୍ଡିରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁଲିସ ୮୮/୨୦ରେ ମାମଲା ରୁଜୁ କରିଥିଲା । ଆଜି ଏକ ସ୍ୱତନ୍ତ୍ର ଟିମ୍ ଗାଁର ପହଞ୍ଚି ତଦନ୍ତ କରିଥିଲା ।
ଜମିକୁ ଆସିଲେ ପେଟ୍ରେଲ ଢାଳି ମାରିଦିଆଯିବ ବୋଲି ମଜୁମଦାର ପରିବାର ଧମକ ଦେଇଥିବା ବୃଦ୍ଧା ସେଫାଳି ଏତଲାରେ ଉଲ୍ଲେଖ କରିଛନ୍ତି । ପୁଲିସ୍ ଏଭଳି ସ୍ୱର୍ଶକାତର ଘଟଣାକୁ ପ୍ରଥମେ ସେତିକି ଗୁରୁତ୍ୱ ଦେଇନଥିବା ଅଭିଯୋଗ ହୋଇଛି । ଜମି ବିବାଦକୁ ନେଇ ଜଣେ ବୃଦ୍ଧାଙ୍କୁ ଅମାନୁଷିକ ଭାବେ ଗଛରେ ବାନ୍ଧି ମାଡ ମରାଯିବା ଘଟଣା ଲୋକଲୋଚନକୁ ଆସିବା ପରେ ବିଭିନ୍ନ ମହଲରେ ଏହାକୁ ନିନ୍ଦା କରାଯାଇଛି । ଏ ସମ୍ପର୍କରେ କାଲିମେଳା ଥାନା ଅଧିକାରୀ ସୁରଜ କୁମାର ଝାଙ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ଘଟଣାର ତଦନ୍ତ ଚାଲିଛି । ଜମି ମାପିବା ପାଇଁ ତହସିଲଦାରଙ୍କୁ ଚିଠି କରାଯିବ । ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ।
Comments are closed, but trackbacks and pingbacks are open.