ନବରଙ୍ଗପୁର,(ବି.ବି.ନୁ୍ୟଜ୍): ବିଧବା ବୋହୂକୁ ଝିଅ କରି କନ୍ୟାଦାନ କରିଛନ୍ତି ଶ୍ୱଶୁର । ପୁତୁରାକୁ ଜ୍ୱାଇଁ କରି ବାହା ଦେଇଛନ୍ତି । ଏଥିସହ ନିଜର ସବୁ ସଂପତ୍ତିକୁ ଝିଅଜ୍ୱାଇଁ ଏବଂ ନାତି ନାଁରେ କରିଦେବାକୁ ପ୍ରତିଶ୍ରୁତି ଦେଇ ଉଦାହରଣ ପାଲଟି ଯାଇଛନ୍ତି । ୪ ମାସ ତଳେ କୋଷାଗୁମୁଡା ବ୍ଲକର ଏକରି ଗାଁରେ ଏହି ଘଟଣା ଘଟିଥିବା ବେଳେ ଏବେ ଲୋକଲୋଚନକୁ ଆସିଛି ।
ଏକରି ପଞ୍ଚାୟତର ସମିତ ସଭ୍ୟ କମଳୋଚନ ମାଝୀଙ୍କ ପୁଅ ଲଳିତ ମାଝୀ ୨୦୧୩ରେ ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ତାଙ୍କ ମୃତୁ୍ୟ ପରେ ଦୀର୍ଘ ୬ ବର୍ଷ ହେଲା ବିଧବା ଜୀବନ କଟାଉଥିଲେ ତାଙ୍କ ସ୍ତ୍ରୀ ନୟନା ମାଝୀ । ୫ ବର୍ଷର ନାତି ବି ରହିଥିଲା । ବୋହୂ ଓ ନାତିର ଭବିଷ୍ୟତ ଚିନ୍ତା କରିଥିଲେ କମଳଲୋଚନ । ନିଜ ସଂପର୍କୀୟ ପୁତୁରା କହ୍ନେଇ ଭତ୍ରାଙ୍କ ହାତରେ ବିଧବା ବୋହୂର ମଥାରେ ସିନ୍ଦୂର ପିନ୍ଧାଇଥିଲେ । ଉଭୟଙ୍କ ସହମତିରେ ଏହି ବିବାହ ହୋଇଥିବା କହିଛନ୍ତି କମଳଲୋଚନ । ଲଳିତଙ୍କ ପୁଅକୁ କହ୍ମେଇ ପିତାର ପରିଚୟ ଦେଇଛନ୍ତି । କମଳୋଚନ ତାଙ୍କ ନାଁରେ ଥିବା ୩ ଏକର ଜମିକୁ କହ୍ନେଇ, ବୋହୂ ଓ ନାତିଙ୍କ ନାମରେ କରିଦବେ ବୋଲି ଗାଁ ଲୋକଙ୍କ ନିକଟରେ କଥା ଦେଇଛନ୍ତି । ଏବେ କମଳୋଚନଙ୍କ ପାଖରେ ସେମାନେ ସମସ୍ତେ ମିଳିମିଶି ରହୁଛନ୍ତି । ଆଦିବାସୀ ପରମ୍ପରାରେ ଏଭଳି ଘଟଣା ନୂଆ ନୁହେଁ । କିନ୍ତୁ ତଥାକଥିତ ସଭ୍ୟ ଶିକ୍ଷିତ ସମାଜରେ ଏବେ ବି ବିଧବାଙ୍କୁ ପୁଣିଥରେ ବିବାହ କରିବା ନେଇ ନାନା ଅନ୍ଧବିଶ୍ୱାସ ରହିଛି । ଆଲୋଚନା ହେଉଛି, ଏହି ଘଟଣା ପରେ ସଭ୍ୟ ସମାଜ ଆଖିରେ ବନ୍ଧା ଯାଇଥିବା ଅନ୍ଧବିଶ୍ୱାସର ପଟି ଖୋଲିଯିବ ।
Comments are closed, but trackbacks and pingbacks are open.