ବିଧାୟକଙ୍କୁ ତାଲା ପକାଇ ଗାଡ଼ି ଜାଳିଦେଲେ

Get real time updates directly on you device, subscribe now.

ତାଳଚେର: ଘରେ ଶୋଇଥିବା ଥିବା ଅବସ୍ଥାରେ ବିଧାୟକଙ୍କୁ ବାହାର ପଟୁ ତାଲା ପକାଇ ଗାଡ଼ିରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଅନୁଗୁଳ ଜିଲ୍ଲାରେ।

ସୂଚନା ଅନୁସାରେ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗତକାଲି ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁ ସ୍ଥିତ କ୍ୟାମ୍ପ ଅଫିସରେ ଶୋଇଥିଲେ। ରାତି ପ୍ରାୟ ୨ଟା ସମୟରେ କିଛି ଦୁର୍ବୃତ୍ତ ବିଧାୟକଙ୍କ କ୍ୟାମ୍ପ୍‌ ଅଫିସ୍‌କୁ ଆସି ଗ୍ୟାରେଜ୍‌ରେ ଥିବା ଫର୍ଚୁନର୍‌ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏହାସହ ବିଧାୟକଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ। ଏନେଇ ବିଧାୟକଙ୍କ କର୍ମୀମାନେ ଜାଣିବା ପରେ ତାଲା ଖୋଲି ବିଧାୟକଙ୍କୁ ଘର ବାହାରକୁ ଆଣିଥିଲେ।

ତେବେ କେଉଁ କାରଣରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଇଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ। ତେବେ ବ୍ୟବସାୟିକ କିମ୍ବା ରାଜନୈତିକ ଶତ୍ରୁତା କାରଣରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି।

ଏନେଇ ଥାନାରେ ଅଭିଯୋଗ ହୋଇଛି। ବିକ୍ରମପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ସୂଚନାଥାଉ କି, ବିଧାୟକଙ୍କ ସହ ଏଭଳି ଘଟଣା ଘଟିବା ଏହା ପ୍ରଥମ ନୁହେଁ। କାରଣ ଏହା ପୂର୍ବରୁ ମଧ୍ୟ ତାଙ୍କ ସହ ଦୁଇ ଦୁଇ ଥର ଏମିତି ଘଟଣା ଘଟି ସାରିଛି। ଭୁବନେଶ୍ୱର ସ୍ଥିତ ତାଙ୍କ ସରକାରୀ ବାସଭବନରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଏଥିରେ କିଛି ଗାଡ଼ି ପୋଡ଼ି ଯାଇଥିଲା। ସେହିପରି ନଭେମ୍ବର ମାସରେ ବିଧାୟକଙ୍କ ପୈତୃକ ବାସଭବନରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ।

ଅନ୍ୟପକ୍ଷରେ ବିଧାୟକଙ୍କ ସହ ବାରମ୍ବାର ଏଭଳି ଘଟଣା ଘଟିବା ନେଇ ତାଙ୍କର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons