ବିଧାୟକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର୍ ହୋଇଛି ଟଙ୍କା

Get real time updates directly on you device, subscribe now.

କଟକ,(ବି.ବି.ନୁ୍ୟଜ): ଟାଟା ମୋଟର୍ସ କମ୍ପାନୀରେ ନିଯୁକ୍ତି ଦେବା ନାଁରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବୀ ଜ୍ୱାଇଁ ଆକାଶ ପାଠକ ଚାକିରି ଆଶାୟୀମାନଙ୍କୁ ମନଇଚ୍ଛା ଠକିଛନ୍ତି । ଜାଲ୍ ନିଯୁକ୍ତି ପତ୍ର ଏବଂ ନକଲି ଟ୍ରେନିଂ ଦେଇ ବହୁ ଶିକ୍ଷିତ ଯୁବକ ଯୁବତୀଙ୍କଠାରୁ ପଦବି ଅନୁସାରେ ମୁଣ୍ଡ ପିଛା ମୋଟା ଅଙ୍କର ଟଙ୍କା ହାତେଇଛନ୍ତି । ଆକାଶଙ୍କ ଭାବୀ ଶ୍ୱଶୁର ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ଲାଞ୍ଚ ଟଙ୍କା ବିଭିନ୍ନ ସମୟରେ ପଠାଇଛନ୍ତି ବହୁ ଚାକିରି ଆଶାୟୀ । ଯାହାର ପ୍ରମାଣ ଲାଗିଛି କ୍ରାଇମ୍ବ୍ରାଞ୍ଚ୍ ହାତରେ । ଏହି ଚାଞ୍ଚଲ୍ୟକର ଠକେଇ ଓ ଜାଲିଆତି ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ସାଇବର ଥାନା ପୁଲିସ୍ ହାତରେ ଏ ସଂପର୍କିତ ତଥ୍ୟ ପ୍ରମାଣ ପଡିଥିବା କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଗଣମାଧ୍ୟମକୁ କହିଛନ୍ତି ।
ଏଡିଜି ଶ୍ରୀ ପ୍ରିୟଦର୍ଶୀ ଗଣମାଧ୍ୟକୁ ସୂଚନା ଦେବା ଅବସରରେ କହିଛନ୍ତି, ଅଭିଯୁକ୍ତ ଆକାଶ ପାଠକ ଏବଂ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ଚାକିରି ଆଶାୟୀମାନଙ୍କୁ ଚାକିରି କରାଇ ଦେବା ନାଁରେ ବିରାଟ ଠକେଇ କରିଛନ୍ତି । ଅଭିଯୁକ୍ତ ଆକାଶ ଟାଟା ମୋଟର୍ସ ଇନ୍ଚାର୍ଜ ମ୍ୟାନେଜିଂ ଡାଇରେକ୍ଟର ବୋଲି ନିଜକୁ ପରିଚୟ ଦେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ବାହାରେ ମଧ୍ୟ ଲୋକଙ୍କୁ ଠକିଛନ୍ତି । ପ୍ରତିÂିତ ଟାଟା ମୋଟର୍ସ କମ୍ପାନୀ ନାଁରେ ଜାଲ୍ ଇମେଲ୍ ଆଇଡିଠାରୁ ଆରମ୍ଭ କରି କମ୍ପାନୀର ନକଲି ଲୋଗୋ, ଜାଲ୍ ପରିଚୟ ପତ୍ର ଏବଂ ନକଲି ନିଯୁକ୍ତି ପତ୍ର ଆଦି ଯାବତୀୟ କାଗଜପତ୍ର ପ୍ରସ୍ତୁତ କରି ଚାକିରି ଆଶାୟୀଙ୍କଠାରୁ ଦରଖାସ୍ତ ଗ୍ରହଣ କରିଥିଲେ । ଅଭିଯୁକ୍ତ ଆକାଶ ପାଠକ ଶିକ୍ଷିତ ବେକାରଙ୍କୁ ଠକେଇ କରିବାରେ ବିଧାୟକ ଡ. ପାଣିଗ୍ରାହୀ ସହଯୋଗ କରିଥିଲେ । ଆକାଶ ବିଧାୟକ ଡ. ପାଣିଗ୍ରାହୀଙ୍କ ଭାବୀ ଜ୍ୱାଇଁ ବୋଲି ଅନେକ ଚାକିରି ଆଶାୟୀ ପ୍ରାର୍ଥୀଙ୍କର ଭରସା ବଢ଼ିଥିଲା । ଏହି ମଉକାରେ ଭାବୀ ଜ୍ୱାଇଁ ଏବଂ ଶ୍ୱଶୁର ଏକ ର୍ୟାକେଟ୍ ପ୍ରସ୍ତୁତ କରି ଯୋଜନାବଦ୍ଧ ଭାବେ ଜାଲିଆତି କରିଥିଲେ ।
ଆକାଶ ପାଠକଙ୍କ ଠକେଇ ସମ୍ପର୍କରେ ଟାଟାର ଡେପୁଟି ମ୍ୟାନେଜର୍ (ଏଥିକ୍ସ) ତ୍ରିଲୋଚନ ମହାନ୍ତିଙ୍କ ଏତଲାକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଗତ ୨୩ ତାରିଖରେ ରୁଜୁ ହୋଇଥିବା ମାମଲାର ତଦନ୍ତ ସମୟରେ ଏବେ ସୁଦ୍ଧା ଯେଉଁ ୬ ଜଣ ଅଭିଯୋଗ କରିଛନ୍ତି ସେଥିରୁ ବହୁ ଠକେଇର ପ୍ରମାଣ ମିଳିଛି ବୋଲି କ୍ରାଇମ୍ବ୍ରାଞ୍ଚ୍ ସୂଚନା ଦେଇଛି । ଚାକିରି ପାଇଁ ୨ ଜଣ ଅଭିଯୋଗକାରୀ ବିଧାୟକ ଡ. ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ସିଧାସଳଖ ଟ୍ରାନ୍ସଫର କରିଥିବା ବେଳେ ଆଉ ୪ ଜଣ ବିଧାୟକଙ୍କ ସହଯୋଗୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥିବାର ଏଡିଜି ଶ୍ରୀ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜଣେ ଅଧିକାରୀଙ୍କ କହିବା ମୁତାବକ ବିଧାୟକ ଡ. ପାଣିଗ୍ରାହୀ ନିଜ ସମର୍ଥକଙ୍କ ଜରିଆରେ ଚାକିରି ଆଶାୟୀଙ୍କଠାରୁ ବହୁ ଅର୍ଥ ସଂଗ୍ରହ କରିଥିବା ଜଣାପଡିଛି । ଠକେଇ ର୍ୟାକେଟ୍ରେ ଅନେକ ବେକାର ଶିକ୍ଷିତ ଯୁବକ ଯୁବତୀ ଶିକାର ହୋଇଛନ୍ତି । ମାତ୍ର ଉକ୍ତ ଘଟଣାରେ ବିଧାୟକଙ୍କ ସମେତ ତାଙ୍କ ସହଯୋଗୀମାନେ ସମ୍ପୃକ୍ତ ଥିବାରୁ ଭୟରେ ଏବଂ ଚାପରେ ଅନେକ ନିରାଶ ପ୍ରାର୍ଥୀ ଥାନାରେ ଅଭିଯୋଗ କରିନାହାନ୍ତି ବୋଲି ଏଡିଜି କହିଛନ୍ତି । ଏବେ ମାମଲା ଯେଉଁ ସ୍ତରକୁ ଯାଇଛି ଭୟ ନକରି ଏବଂ ଚାପ ମୁକ୍ତ ହୋଇ ଆକାଶ ଏବଂ ଅଭିଯୁକ୍ତ ବିଧାୟକ କିମ୍ବା ତାଙ୍କ ସହଯୋଗୀ ଯେଉଁମାନେ ଚାକିରି କରାଇଦେବା ନାଁରେ ଠକେଇ କରିଛନ୍ତି ସେମାନଙ୍କ ବିରୋଧରେ ଏତଲା ଦାୟର କରିବାକୁ ଅତିରିକ୍ତ ଡିଜି ଶ୍ରୀ ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି । ଠକେଇ ସମ୍ପର୍କରେ ଅଭିଯୋଗ ଆସିଲେ ହିଁ ଘଟଣାର ଅଧିକ ଛାନ୍ଭିନ୍ କରାଯିବା ସହ ଭାବୀ ଜାଇଁ ଏବଂ ଶ୍ୱଶୁରଙ୍କ କଳା କାରନାମା ସହିତ ଆହୁରି ଅନେକ ଜାଲିଆତି ଘଟଣା ଲୋକଲୋଚନକୁ ଆସିପାରିବ ବୋଲି କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons