ରାଉରକେଲା,(ବି.ବି.ନ୍ୟୁଜ୍): ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଜଣେ ବ୍ୟବସାୟୀଙ୍କ ଜରିଆରେ ଦୁର୍ବୃତ୍ତମାନେ ୧୦ ଲକ୍ଷ ଟଙ୍କା ବଟି ଦେବାକୁ ଦାବି କରିଛନ୍ତି । ଦୁର୍ବୃତ୍ତମାନେ ଜଗଦାସ୍ଥିତ ଖାଦାନଢ଼ିପାରେ ରହୁଥିବା ସୁଶାନ୍ତ କୁମାର ଜେନାଙ୍କ ଘର ପାଚେରିରେ ଏଭଳି ପୋଷ୍ଟର ଲଗାଇଥିଲେ । ଏ ନେଇ ଝିରପାଣି ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ପୋଷ୍ଟର ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଖାଦାନଢ଼ିପାରେ ଶ୍ରୀ ଜେନା ନିଜ ଭିଣୋଇ ଖଗେନ୍ଦ୍ରଙ୍କ ସହ ବସବାସ କରନ୍ତି । ଗତକାଲି ରାତି ପ୍ରାୟ ୧୨ଟାରେ ପରିବାର ଲୋକେ ଖାଇ ସାରି ଶୋଇଥିଲେ । ଆଜି ସକାଳେ ସେ ଉଠିବା ପରେ ନିଜର ଟାଟାଏସି ଧୋଇବା ଲାଗି ପଦାକୁ ବାହାରିଥିଲେ । ଟାଟାଏସିର ଡାହାଣ ପଟ ଟାୟାରକୁ କେହି ଦୁର୍ବୃତ୍ତ ଜାଳିବା ଲାଗି ଉଦ୍ୟମ କରିଥିବା ଦେଖିବାକୁ ପାଇଥିଲେ । କିଛି ସମୟ ପରେ ଘରର କାନ୍ଥରେ ଏକ ପୋଷ୍ଟର ଲାଗିଥିବା ଦେଖିଥିଲେ । ଆମେ ଝିରପାଣି ଥାନାରେ ଗୋଟିଏ ଗାଡ଼ି ଜଳାଇଥିଲୁ । ତୁମ ବିଧାୟକଙ୍କୁ କୁହ ୧୦ ଲକ୍ଷ ଟଙ୍କା ନେଇ ସ୍ଥାନୀୟ କୃପା ହୋଟେଲରେ ଦେବେ । ନହେଲେ ଝିରପାଣିସ୍ଥିତ ଅଟୋ ଷ୍ଟାଣ୍ଡ ନିକଟରେ ଥିବା ପାଣିଟାଙ୍କି କାନ୍ଥରେ ହଁ କି ନାହିଁ ବୋଲି ଲେଖିବ । ଯଦି ନା ହେଲା ତେବେ ଗୋଟିଏ ଜାଳିଛୁ, ଆହୁରି ୧୦୦ ଗାଡ଼ି ଜାଳିବୁ । ହେଲେ ସୁଶାନ୍ତଙ୍କ ଘର କାନ୍ଥରେ କିଏ ଓ କାହିଁକି ଏଭଳି ପୋଷ୍ଟର ଲଗାଇଛି । ସୁଶାନ୍ତଙ୍କ ଜରିଆରେ ବିଧାୟକଙ୍କୁ କଣ ପାଇଁ ଟଙ୍କା ଦାବି କରାଯାଇଛି ସେ ସବୁର ଖିଅ ଖୋଜିବାରେ ଲାଗିଛି ପୁଲିସ୍ ।
ଏ ସମ୍ପର୍କରେ ବିଧାୟକଙ୍କୁ ପଚରାଯିବାରେ ସେ କହିଥିଲେ, ଏହି ଘଟଣାକୁ ନେଇ ମୁଁ ବିଚଳିତ ନୁହେଁ । ପୁଲିସ୍ ପ୍ରଶାସନ ଉପରେ ମୋର ଯଥେଷ୍ଟ ଭରସା ରହିଛି । ପୁଲିସ୍ ନିଜ କାମ କରିବ । ମୁଁ ରାଉରକେଲା ବାସିନ୍ଦାଙ୍କ ପାଇଁ ଦିନରାତି କାମ କରୁଛି ଏବଂ ସୁନ୍ଦରଗଡ଼ ଜିଲ୍ଲାର ସାମଗ୍ରିକ ବିକାଶ କରିବି । ଏହି ଘଟଣା ରାଉରକେଲା ସମେତ ଜିଲ୍ଲାରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
Comments are closed, but trackbacks and pingbacks are open.