ପାରଳାଖେମୁଣ୍ଡି,(ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓଙ୍କ ମାଉସୀ ପି.ତାତାମ୍ମାଙ୍କୁ ଘରେ ପଶି ଦୁର୍ବୃତ୍ତମାନେ ମରଣାନ୍ତ୍ରକ ଆକ୍ରମଣ କରିବା ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପାରଳାଖେମୁଣ୍ଡି ତେଲୁଗୁ ଶୁଣ୍ଢି ସାହିର ଏସ୍.କାନ୍ତାମ୍ମା(୪୦), ଏସ୍.ତେଜା ରାଓ (୨୦) ଏବଂ ଅଙ୍କ ସାହିର ଜି.ରୋହିତ(୧୯) । ବିଧାୟକଙ୍କ ଘରେ ପଶି ତାଙ୍କ ମାଉସୀଙ୍କୁ ହତ୍ୟା କରି ଟଙ୍କା ଲୁଟ୍ କରିବା ପାଇଁ ସେମାନେ ଷଡଯନ୍ତ୍ର କରିଥିଲେ । ତାତାମ୍ମାଙ୍କ ଚିକ୍ରାର ଶୁଣି ସାହି ପଡେ଼ାଶୀ ଆସିଯିବାରୁ ଦୁର୍ବୃତ୍ତଙ୍କ ଲୁଟ୍ ଉଦ୍ୟମ ବିଫଳ ହୋଇଛି । ତାତାମ୍ମାଙ୍କ ଠାରୁ କାନ୍ତାମା ୫ହଜାର ଟଙ୍କା କରଜ ନେଇଥିଲେ । ଏହା ଫେରାଇବା ପାଇଁ ଗତ ବୁଧବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ କାନ୍ତାମା ଆସିଥିଲେ । ସେହି ସମୟରେ ତାତାମ୍ମା ଘରେ ଏକା ଥିଲେ । ଏହା ଜାଣିବା ପରେ କାନ୍ତାମା ତାଙ୍କ ପୁଅ ତେଜାକୁ ଫୋନ୍ କରି ବିଧାୟକଙ୍କ ଘରକୁ ଆସିବା ପାଇଁ କହିଥିଲେ । ତେଜା ତାର ସାଙ୍ଗ ରୋହିତ ସହ ସେଠାରେ ପହଞ୍ଚିଥିଲା । ଏହି ୩ ଜଣ ମିଶି କାନ୍ତାମାଙ୍କୁ ହତ୍ୟା କରିବା ପାଇଁ ତାଙ୍କ ପାଟି ଓ ନାକକୁ ଚିପି ଧରିଥିଲେ । ଏହି ସମୟରେ ତାତାମ୍ମା ପାଟି କରିବାରୁ ପଡ଼ିଶା ଘରର ଲୋକେ ଦୌଡ଼ି ଆସିଥିଲେ । ଗହଳି ହୋଇଯିବାରୁ ୩ଜଣ ଯାକ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ । ସତେବେଳକୁ ତାତାମ୍ମା ଅଚେତ ଅବସ୍ଥାରେ ପଡିଥିବା ଦେଖି ବିଧାୟକଙ୍କ ନିକଟକୁ ଫୋନ୍ କରିଥିଲେ । ହେଲେ ବିଧାୟକ କେ.ନାରାୟଣ ରାଓ ଭୁବନେଶ୍ୱରରେ ଥିବା ଯୋଗୁଁ ତାଙ୍କ ସହଯୋଗୀଙ୍କୁ ଜଣାଇଥିଲେ । ଏହାପରେ ବିଧାୟକଙ୍କ ସହେଯାଗୀ ନୃସିଂହ ଚରଣ ପଟନାୟକ ଏବଂ ଅନ୍ୟମାନେ ସେଠାରେ ପହଞ୍ଚି ତାତାମାଙ୍କୁ ଗୁରତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ । ପୁଲିସ ଏକ ମାମଲା (୨୯୮/୨୦୨୦) ରୁଜୁ କରିି ତଦନ୍ତ କରିଥିଲା । ଏହି ଘଟଣାରେ ପୁଲିସ୍ ଅଭିଯୁକ୍ତମାନେ ବ୍ୟବହାର କରିଥିବା ଗୋଟିଏ ମୋଟର ସାଇକେଲ(ଓଡି-୨୦-୯୫୭୧), ଗୋଟିଏ ସ୍କୁଟି (ଓଡି-୨୦-୮୪୪୬), ୩ଟି ମୋବାଇଲ୍ ଏବଂ ଗୋଟିଏ ଚପଲ ଜବତ କରିଥିବା ପାରଳାଖେମୁଣ୍ଡି ଏସ୍ଡିପିଓ ରାମକୃଷ୍ଣ ପତି କହିଛନ୍ତି ।


Comments are closed, but trackbacks and pingbacks are open.