ତାଳଚେର,(ବି.ବି.ନୁ୍ୟଜ୍): ଗତ ରାତିରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କର କୋଲିୟରୀ ଥାନା ହାଣ୍ଡିଧୂଆସ୍ଥିତ ପୈତୃକ ବାସଭବନରେ କେହି ଦୁର୍ବୃତ୍ତ ନିଅାଁ ଲଗାଇ ଦେଇଛନ୍ତି । ଦୁର୍ବୃତ୍ତମାନେ ଏଭଳି ଘଟଣା ଘଟାଇ ଫେରାର ହୋଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ତଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ଦୁର୍ବୃତ୍ତ ନିଆଁ ଲଗାଇ ଗାଡ଼ି ଓ ଆସବାବପତ୍ର ଜାଳି ଦେଇଥିବା ବେଳେ ଗତକାଲି ତାଙ୍କ ବାସଭବନରେ ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିଳମ୍ବିତ ରାତ୍ରିରେ ବିଧାୟକ ଶ୍ରୀ ପ୍ରଧାନଙ୍କ ବାପା ଶୋଇଥିବା ଘରର ଝରକା ପାଖରେ ଟାୟାର୍ରେ କିରୋସିନ୍ ଢାଳି କେହି ଦୁର୍ବୃତ୍ତ ନିଅାଁ ଲଗାଇ ଦେଇଥିଲା । ସୌଭାଗ୍ୟବଶତଃ ଟାୟାରଟି ଝରକାରୁ ତଳକୁ ପଡ଼ିଯିବାରୁ ଝରକାରେ ନିଅାଁ ଲାଗି ନଥିଲା । ଏକ ବଡ଼ଧରଣର ଅଗ୍ନିକାଣ୍ଡ ଓ ଅଘଟଣରୁ ବର୍ତ୍ତି ଯାଇଥିଲେ ପରିବାର ଲୋକ । ତଳେ ପଡ଼ି ଟାୟାର୍ଟି ଜଳୁଥିବା ବେଳେ କେହି ଜଣେ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସମ୍ପର୍କରେ ବିଧାୟକଙ୍କ ସାନଭାଇ ରାଜକିଶୋର ପ୍ରଧାନ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କୋଲିୟରୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ତାଙ୍କ ଭାଇ ଜଣେ ବିଧାୟକ ହୋଇଥିବାରୁ ରାଜନୈତିକ ଶତ୍ରୁତା କିମ୍ବା ଅନ୍ୟ କାରଣରୁ ଏଭଳି ଘଟଣା ଘଟାଇଥିବା ସେ ତାଙ୍କ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି । କୋଲିୟରୀ ପୁଲିସ ଏ ସମ୍ପର୍କରେ ଏକ କେସ୍ ରୁଜୁ କରି ତଦନ୍ତ ଚଳାଇଛି । ତେବେ ଏହି ଘଟଣାରେ ରାଜନୈତିକ ଶତ୍ରୁତା କିମ୍ବା କୋଇଲା ମାଫିଆମାନଙ୍କ ସଂପୃକ୍ତି ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
Comments are closed, but trackbacks and pingbacks are open.