ବିଧାୟକ ମହାରଥୀଙ୍କୁ ଝୁରୁଛି ବିଧାନସଭା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟେରୋ): ପଞ୍ଚଭୂତରେ ଲୀନ ହେଲା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀର । ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ୟ୍ୟଦା ସହ ତାଙ୍କ ଅନ୍ତିମ ସଂସ୍କାର ଶେଷ ହୋଇଛି । ଶୋକାକୂଳ ପରିବେଶରେ ମହାରଥୀଙ୍କୁ ଶେଷ ବିଦାୟ ଦେଲେ ପରିବାରବର୍ଗ । ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିବା ପରେ ତାଙ୍କ ମରଶରୀର ଉପରେ ଦଳୀୟ ପତାକା ଘୋଡାଇ ଦିଆଯାଇଥିଲା । ଶେଷକୃତ ସମୟ ପରିବାର ଲୋକଙ୍କ ସମେତ ଅନେକ ସମର୍ଥକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ଡାକ୍ତରଖାନାରୁ ଆଜି ପ୍ରଦୀପ ମହାରଥୀଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିଧାନସଭା ପରିସରକୁ ନିଆଯାଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତା ଦିବଂଗତ ମହାରଥୀଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରିଥିଲେ । ଏହା ପରେ ପାର୍ଥିବଶରୀର ବିଜେଡି ପାର୍ଟି ଅଫିସକୁ ନିଆଯାଇଥିଲା । ଦଳୀୟ କର୍ମୀ ଓ ନେତା ସେଠାରେ ମହାରଥୀଙ୍କୁ ଶ୍ରଦ୍ଧାଂଜଳି ଦେବା ପରେ ପୈତୃକ ଗାଁକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା । ପୈତୃକ ଗାଁରେ ଶେଷ ଦର୍ଶନ ପରେ ଶେଷ କୃତ୍ୟ ପାଇଁ ପୁରୀ ସ୍ୱର୍ଗଦ୍ୱାରରେ ପହଞ୍ଚିଥିଲା ପାର୍ଥିବ ଶରୀର ।ବିଧାୟକ ପ୍ରଦୀପ ମହାରଥୀଙ୍କର ଗତକାଲି ବିଳମ୍ବିତ ରାତିରେ ପରଲୋକ ଘଟିଥିଲା । ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହୋଇପଡ଼ିଥିଲା। ଏହାପରେ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ହେଲେ ଶେଷରେ ତାଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ପ୍ରତିଭା ମହାରଥୀ, ପୁତ୍ର ରୁଦ୍ରପ୍ରତାପ ଓ ଝିଅ ପଲ୍ଲବୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା।
ପ୍ରଦୀପଙ୍କ ପରଲୋକ ପରେ ତାଙ୍କୁ ଖୋଜୁଛି ବିଧାନସଭା । ପିପିଲିରୁ ୭ ଥର ବିଧାୟକ ଭାବେ ଜିତିଥିବା ମହାରଥୀଙ୍କ ସହ ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ହେବ ବିଧାନସଭାର ସମ୍ପର୍କ । ବିଧାନସାଭାରେ ଆତଜାତ, ତାଙ୍କ ଠାଣୀ, ଚାହାଣୀ ଓ ମଜାଳିଆ କଥା ସହ ଗୃହ ଭିତରର ପ୍ରଶ୍ନକୁ ଆଜି ସମସ୍ତେ ଝୁରୁଛନ୍ତି ଆଉ ସବୁ ମନ୍ତ୍ରୀ ବିଧାୟକଙ୍କ ସହ ବି ସମ ପରିମାଣରେ ବିଧାନସଭା ଝୁରୁଛି ।
ତେବେ ଆଜି ପ୍ରଦୀପ ମହାରଥୀଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଣିଥିଲେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ନେତା । ଆଜି ମହାରଥୀଙ୍କ ଅବର୍ତମାନରେ ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ମହାରଥୀଙ୍କ ସ୍ମୃତି ଚାରଣ ସମୟରେ ଭାବବିହ୍ୱଳ ହୋଇପଡିଥିଲେ ସମସ୍ତ ବିଧାୟକ । ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖୀତ ଓ ମର୍ମାହତ ବୋଲି ବିବୃତି ରଖିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।
ସେହିପରି ତାଙ୍କର ବିୟୋଗରେ ଗୃହରେ ଭାବବିହ୍ୱଳ ହୋଇପଡିଥିଲେ ବିରୋଧୀ ଦଳ ସଦସ୍ୟ ତାରାପ୍ରସାଦ ବାହିନୀପତି । ବିଜେପି ବିଧାୟକ କୁସୁମ ଟେଟେ କାନ୍ଦି ପକାଇଥିଲେ । ମହାରଥୀଙ୍କ ସ୍ମୃତିଚାରଣ କରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମହାରଥୀଙ୍କୁ ଜଣେ ସଫଳ ରାଜନେତା ଓ ଜନପ୍ରିୟ ନେତା ଥିଲେ । ମହାରଥୀଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଂଜଳି ଜଣାଇ ଆସନ୍ତାକାଲି ସକାଳ ୧୦ଟା ୩୦ ମିନିଟ୍ ପର୍ୟ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହରେ ୧ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ପରେ ଆସନ୍ତାକାଲି ପର୍ୟ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ କହିଲେ ମରିନାହିଁ ମହାରଥୀ ,ସରିନାହିଁ ରାଜନୀତି । ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସାଲୁଜା ସିଂ ମହାରଥୀଙ୍କୁ ମନେ ପକାଇ କହିଥିଲେ ଶହେ ଘୋଡାକୁ ଶହେ ହାତୀ, ଏକା ଲଢିବ ମହାରଥୀ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons