କାଲିମେଳା,(ବି.ବି.ନୁ୍ୟଜ୍): ଦୀର୍ଘ ୫୦ ବର୍ଷର ପୋଟେରୁ ପୋଲ ହୋଇଯାଇଛି ଦୁର୍ବଳ । ପୋଲ ଛାତ ତଳ ଓ ପାଶ୍ୱର୍ରୁ କଂକ୍ରିଟ ଖଣ୍ଡ ଖସୁଛି । ଲୁହା ଛଡସବୁ ବାହାରକୁ ଦେଖା ଦେଉଛି । ଅନେକ ସମୟରେ ଛାତରୁ ବଡ ସିମେଣ୍ଟ ଖଣ୍ଡ ମଧ୍ୟ ଖସୁଛି । ପୋଲ ଖମ୍ବଗୁଡିକ ଦୁର୍ବଳ ହୋଇଥିବା ବେଳେ ଉପରେ ବଡ ଖାଲମାନ ମଧ୍ୟ ସୃଷ୍ଟି ହୋଇଛି । ଯାନବାହନ ଅତି ସତର୍କତାର ସହ ଯିବା ଆସିବା କରୁଛନ୍ତି ।
ଏହି ରାସ୍ତା ଜାତୀୟ ରାଜପଥ-୩୨୬ ମାନ୍ୟତା ପାଇବା ପରେ ପୋଲର ଉଭୟ ପ୍ରବେଶ ପଥରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ସତର୍କ ସୂଚନା ମଧ୍ୟ ଲଗାଯାଇଛି । ‘ଦୁର୍ବଳ ପୋଲ, ଗାଡି ଧୀରେ ଚଳାନ୍ତୁ’ ବୋଲି ଏଥିରେ ଉଲ୍ଲେଖ ରହିଛି । ଏପରିସ୍ଥଳେ, କୌଣସି ଅଘଟଣ ଘଟିବା ପୂର୍ବରୁ ପୋଲର ମରାମତି ଅବା ପୁନଃନିର୍ମାଣ ଅଞ୍ଚଳବାସୀ ଦାବି କରିଛନ୍ତି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତ୍ୱରିତ ପଦକ୍ଷେପ ନେବାକୁ ଲୋକେ ନିବେଦନ କରିଛନ୍ତି ।
ପୋଲର ସୁରକ୍ଷା ବାଡ ମଧ୍ୟ ବିପଦସଂକୁଳ ଅବସ୍ଥାରେ ରହିଛି । ଭାଙ୍ଗିରୁଜି ଯାଇଥିବା ଏହି ସୁରକ୍ଷା ବାଡର ମରାମତି ମଧ୍ୟ କରାଯାଉନି । ପ୍ରତିବର୍ଷ ବର୍ଷାଦିନେ ପୋଲ ଉପରେ ୪ ରୁ ୫ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଚଳିତ ବର୍ଷ ଏହି ସମସ୍ୟା ଯୋଗୁ ପ୍ରାୟ ୫ ଥର କାଲିମେଳା, ମୋଟୁ ଓ ପଡିଆ ଅଞ୍ଚଳ ମାଲକାନଗିରିଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଥିଲା । ଏଥିସହ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ସେତେବେଳେ ଜିଲ୍ଲାପାଳ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ତୁରନ୍ତ ପୋଟେରୁ, ଉଣ୍ଡୁରୁକୋଣ୍ଡାଠାରେ ଉଚ୍ଚ ପୋଲ ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା ।
ସୂଚନାଯୋଗ୍ୟ, ମାଲକାନଗିରି ସଦରମହକୁମାରୁ କାଲିମେଳା, ମୋଟୁ ଓ ପଡିଆ ଅଞ୍ଚଳକୁ ଯୋଗାଯୋଗ ପାଇଁ ୩୨୬ ନମ୍ବର ଜାତୀୟ ରାଜପଥରେ ଏହି ପୋଲ ରହିଛି । ଡିଏନକେ ପ୍ରକଳ୍ପ ସମୟରେ କାଲିମେଳା, ମୋଟୁ ଓ ପଡିଆ ସମେତ ପଡେ଼ାଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସଂଯୋଗ କରିବାକୁ ପୋଟେରୁ ନଦୀ ଉପରେ ଏହାର ନିର୍ମାଣ କରାଯାଇଥିଲା । ପୋଲଟି ଏବେ ବିପଦସଂକୁଳ ଅବସ୍ଥାରେ ରହିଥିବାରୁ ପ୍ରତିଦିନ ଲୋକେ ଜୀବନକୁ ବାଜି ଲଗାଇ ଏହା ଉପରେ ଯା ଆସ କରୁଛନ୍ତି । ପ୍ରତିଦିନ ଶତାଧିକ ଟ୍ରକ, ବସ୍ ଓ ଅନ୍ୟାନ୍ୟ ଭାରିଯାନ ଏହି ପୋଲ ଉପରେ ଯାତାୟତ କରୁଛି । ଅନେକ ସମୟରେ ପୋଲ କ୍ଷମତାଠାରୁ ଅଧିକ ଓଜନର ଭାରିଯାନ ଚାଲୁଛି ।
Comments are closed, but trackbacks and pingbacks are open.