ଫୁଲବାଣୀ: ଗତ ଶନିବାର ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାରେ ପୁଲିସ-ମାଓବାଦୀ ଗୁଳି ବିନମୟ ପରେ ଘଟଣାସ୍ଥଳରୁ ପୁଲିସ ବହୁ ମାଓ ସାମଗ୍ରୀ ଜବତ କରିଛି । ମୁହାଁମୁହିଁ ହେବା ପରବର୍ତ୍ତୀ ସର୍ଚ୍ଚ ଅପରେସନରେ ପୁଲିସ ସେଠାରୁ ଜବତ କରିଛି ଦୁଇଟି ଦେଶୀ ବନ୍ଧୁକ, ମାଓ ୟୁନିଫର୍ମ, ରେଡିଓ, ବ୍ୟାଟେରୀ, ଔଷଧ, ତାର, ମାଓ ପୁସ୍ତିକା ସମେତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଗୁଳି ବିନିମୟରେ ଆହତ ହୋଇଥିବା ଯବାନମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । କନ୍ଧମାଳ ଏସ୍ପି ବିନୀତ ଅଗ୍ରୱାଲ୍ ସୋମବାର ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତେବେ ସେ ଚିକିତ୍ସାଧୀନ ଯବାନମାନଙ୍କ ପରିଚୟ, ଏନ୍କାଉଣ୍ଟର୍ରେ ମାଓବାଦୀ ଆହତ ହୋଇଥିବା ନେଇ ପୁଲିସ ଅନୁମାନ କିମ୍ବା ପରବର୍ତ୍ତୀ ସର୍ଚ୍ଚ ଅପରେସନ୍ ବ୍ୟାପକ କରାଯିବା ବାବଦରେ କୌଣସି ତଥ୍ୟ ଦେଇନାହାନ୍ତି ।
ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳ ଏସ୍ପି ଘଟଣା ବାବଦରେ କହିଛନ୍ତି ଯେ- ଗୋଚ୍ଛାପଡା ଥାନା ଅନ୍ତର୍ଗତ ଡୁବାସରା ଗ୍ରାମ ନିକଟ ଜଙ୍ଗଲରେ ମାଓବାଦୀମାନେ ଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଏସ୍ଓଜି ଏବଂ ଡିଭିଏଫ୍ ଯବାନମାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା । ୧୦ ତାରିଖ ସକାଳେ କମ୍ବିଂ ସମୟରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲ ମଧ୍ୟରୁ ଯବାନମାନଙ୍କ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ଜବାବରେ ସୁରକ୍ଷା ବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା । ତେବେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିବା ବେଳେ ଦୁଇ ଜଣ ଏସ୍ଓଜି କମାଣ୍ଡୋ ଆହତ ହୋଇଥିଲେ । ଖବର ପାଇ କୋରାପୁଟ ଓ ମାଲକାନଗିରି ଗସ୍ତରେ ଥିବା ରାଜ୍ୟ ପୁଲିସ ମହାନିଦେ୍ର୍ଧଶକ ଅଭୟ ତାଙ୍କ ଗସ୍ତ ବାତିଲ କରି ସେଠାରେ ପହଞ୍ଚିଥିଲେ । ଆହତ ଯବାନମାନଙ୍କୁ କୌଣସି ପ୍ରକାରେ ବୌଦ୍ଧ ଜିଲ୍ଲା ଘଣ୍ଟାପଡା- ପାଦେଲପଡା ଠାରେ ଥିବା ଏକ ପଡିଆକୁ ଅଣାଯିବା ପରେ ସେଠାରୁ ନିଜେ ଡିଜିପି ହେଲିକପ୍ଟର୍ରେ ସେମାନଙ୍କୁ ନେଇ ଭୁବନେଶ୍ୱର ଏମ୍ସ୍ ଡାକ୍ତରଖାନରେ ଭର୍ତ୍ତି କରିଥିଲେ । ସେମାନେ ଏବେ ଚିକିତ୍ସାଧୀନ ରହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.