ଗୁଣପୁର,(ବି.ବି.ନୁ୍ୟଜ୍): ପ୍ରଥମେ ମୋବାଇଲକୁ ମେସେଜ ଆସୁଛି ନେଗେଟିଭ୍ । କିଛି ସମୟ ବ୍ୟବଧାନ ପରେ ପୁଣି ଫୋନ୍ କଲ୍ ଆସୁଛି ଆପଣଙ୍କ ରିପୋର୍ଟ ପଜିଟିଭ୍ । ମାତ୍ର ଅଧାଘଣ୍ଟା ବ୍ୟବଧାନରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଦୁଇଟି ସୂଚନା ଦିଆଯାଉଛି । କରୋନା ପରୀକ୍ଷା କରୁଥିବା ଶତାଧିକ ବ୍ୟକ୍ତିଙ୍କ କ୍ଷେତ୍ରରେ ଘଟୁଛି ଏଭଳି ଅବ୍ୟବସ୍ଥା । ଗୁଣପୁର ସହରଠାରୁ ଆରମ୍ଭ କରି ବ୍ଲକ୍ ଅଞ୍ଚଳ, ରାମନାଗୁଡା, ପଦ୍ମପୁର, ଗୁଡାରୀ ଆଦି ଅଞ୍ଚଳରେ ଦୁଇଦିନ ହେଲା ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଯାହାକୁ ନେଇ ଆକ୍ରାନ୍ତ ପରିବାର ବିଭ୍ରାନ୍ତିରେ ପଡିଯାଇଛନ୍ତି । କେତେକ ମିଛଟାରେ ଆମକୁ ପଜିଟିଭ୍ କହି ନିଆଯାଉଛି ବୋଲି କହୁଛନ୍ତି ତ ଆଉ କେତେକ ଚୁପଚାପ୍ ଘରେ ସଂଗରୋଧରେ ରହି ସମୟ କାଟିଦେବା ଭଲ ବୋଲି କହୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରଶାସନ ପକ୍ଷରୁ ରାମନାଗୁଡା ବ୍ଲକ୍ ପଡାଲପଦର ଅଞ୍ଚଳର ୩୨ ଜଣ ଆକ୍ରାନ୍ତ ଥିବା ଘୋଷଣା କରାଯାଇଥିଲା । ଶନିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କୁ ବସ୍ ଯୋଗେ ସ୍ଥାନାନ୍ତର କରାଯାଇଥିଲା । ହେଲେ ଅଧା ରାସ୍ତାରେ ସେମାନଙ୍କ ପାଖକୁ ଫୋନ୍ରେ ନେଗେଟିଭ୍ ବୋଲି ମେସେଜ୍ ଆସିଥିଲା । ଯାହାଫଳରେ ସେମାନେ ହଟ୍ଟଗୋଳ କରିଥିଲେ ମଧ୍ୟ ଯାନ୍ତ୍ରିକ ତ୍ରୁଟି କଥା କହି ବିଷମକଟକ କୋଭିଡ କେୟାର ସେଣ୍ଟରକୁ ନିଆଯାଇଥିଲା । ସ୍ଥାନୀୟ ସହର ତଥା ଆଖପାଖ ଅଞ୍ଚଳରେ ମଧ୍ୟ ବହୁତ ଲୋକଙ୍କ କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ହୋଇଥିବା ନଜର ଆସିଛି । ଯାହାକୁ ନେଇ କରୋନା ପରୀକ୍ଷା ପ୍ରତି ଲୋକଙ୍କ ବିଶ୍ୱାସ କମିବାରେ ଲାଗିଛି ।
ଏ ସମ୍ପର୍କରେ ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡ. ରମେଶ ଚନ୍ଦ୍ର ସାହୁ କହିଛନ୍ତି, ସଫ୍ଟୱେର ସମସ୍ୟା ପାଇଁ ସାରା ରାଜ୍ୟରେ ଏଭଳି ଅସୁବିଧା ହୋଇଛି । ଆଜି ଠିକ୍ ହୋଇଯିବ । ସ୍ଥାନୀୟ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଟ୍ରେସିଂ ଓ ଟେଷ୍ଟିଂର ପରିମାଣ ବଢାଇ ଦିଆଯିବା ପରେ ଏବେ ପଜିଟିଭ୍ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଗତ ଦୁଇ ଦିନର ନୂଆ ଆକ୍ରାନ୍ତଙ୍କୁ ମିଶାଇ ଗୁଣପୁର ବ୍ଲକ୍ ଓ ପୌରାଞ୍ଚଳରେ ମୋଟ ପଜିଟିଭ୍ ସଂଖ୍ୟା ୩୪୩ରେ ପହଞ୍ଚିଛି । ରାମନାଗୁଡାରେ ୧୬୪, ପଦ୍ମପୁରରେ ୧୨୯, ଗୁଡାରୀରେ ୧୨୩ରେ ପହଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପକ୍ଷରେ ସରକାରଙ୍କ ନୂଆ ନିୟମ ଅନୁଯାୟୀ ପ୍ରଶାସନର କୋହଳ ନୀତି ପରେ ଏବେ କିଏ ସଂକ୍ରମିତ ଏବଂ କିଏ ଭଲ ଲୋକ ଜାଣିବା ମୁସ୍କିଲ ହୋଇପଡୁଛି । ଅଧିକାଂଶ ଲୋକ ନିଜ ଘରେ ସଂଗରୋଧରେ ରହିବା ପାଇଁ ପସନ୍ଦ କରୁଛନ୍ତି । ସେମାନଙ୍କ ଘର ସମ୍ମୁଖରେ ସଂଗରୋଧ ଅବଧି ଲେଖାଯାଇ ଚିହ୍ନଟ ପତ୍ର ଲଗାଯିବା କିମ୍ବା କଣ୍ଟେନମେଣ୍ଟ କରି ବ୍ୟାରିକେଡ୍ କରିବା ଭଳି କିଛିବି ପଦକ୍ଷେପ ନିଆଯାଉ ନାହିଁ । ଯାହାଫଳରେ କେତେକ ଆକ୍ରାନ୍ତଙ୍କ ପରିବାରର ଲୋକେ ବାହାରେ ସାଧାରଣ ଭାବେ ବୁଲାବୁଲି କରୁଛନ୍ତି । ଦୋକାନ ବଜାର ଯାଉଛନ୍ତି ଓ ବିଭିନ୍ନ କାମ କରୁଛନ୍ତି । ଏଣୁ ଯେତେ ଟ୍ରେସିଂ ଓ ଟେଷ୍ଟିଂ କଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି । ଗୁଣପୁର ବ୍ଲକ୍ରେ ଶନିବାର ୧୭ ନୂଆ ଚିହ୍ନଟ ହୋଇଛନ୍ତି । ଶନିବାର ସହରରେ ୧୧ ଓ ରବିବାର ୭ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ପଦ୍ମପୁରରେ ଶନିବାର ୮, ରାମନାଗୁଡାରେ ୧୩ ଏବଂ ରବିବାର ୩୭, ଗୁଡାରୀରେ ଶନିବାର ୮ ଚିହ୍ନଟ ହୋଇଥିବା ଜଣାପଡିଛି ।
Comments are closed, but trackbacks and pingbacks are open.