ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭୁବନେଶ୍ୱର ବିମାନବନ୍ଦରରେ ଥମୁନି ସୁନା ସ୍ମଗ୍ଲିଙ୍ଗ । ଆଜି ପୁଣି ୫ ଲକ୍ଷ ୩୩ ହଜାର ଟଙ୍କାର ସୁନା ଜବତ ହୋଇଛି । ଉତ୍ତରପ୍ରଦେଶର ଜଣେ ସ୍ମଗ୍ଲର ବ୍ୟାଙ୍କକ୍ରୁ ଏୟାରଏସିଆ ବିମାନ ଯୋଗେ ସୁନା ଆଣି ଆସୁଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମସ୍ ବିଭାଗର ଅଧିକାରୀଙ୍କ ହାବୁଡ଼ରେ ପଡ଼ିଛନ୍ତି । ସ୍ମଗ୍ଲର ଜଣକ ଅତି ଚତୁରତାର ସହ ସାର୍ଟ କଲାର ଭିତରେ ସୁନାଚେନ୍କୁ ଲୁଚାଇ ଆଣି ଆସୁଥିଲେ । ତାଙ୍କୁ ଅଟକ ରଖାଯାଇ ଜେରା ଚାଲିଥିବା ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଆସିଷ୍ଟାଣ୍ଟ୍ କମିଶନର ଅଫ୍ କଷ୍ଟମସ୍ ବି ବି ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଏୟାରଏସିଆ ଫ୍ଲାଇଟ୍ ଏଫ୍ଡି-୧୧୨ ମଙ୍ଗଳବାର ରାତିରେ ବ୍ୟାଙ୍କକ୍ରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ଗୁଇନ୍ଦା ପଦକ୍ଷେପ ସ୍ୱରୂପ ଏଠାରେ କଷ୍ଟମସ୍ ଏୟାର ଇଣ୍ଟଲଜେନି୍ସ ୟୁନିଟ୍ ପକ୍ଷରୁ ଯାତ୍ରୀମାନଙ୍କୁ ଯାଞ୍ଚ କରା ଯାଇଥିଲା । ଉତ୍ତରପ୍ରଦେଶର ଜଣେ ଯାତ୍ରୀଙ୍କୁ ଯାଞ୍ଚ କରା ଯାଉଥିବା ବେଳେ ତାଙ୍କ ସାର୍ଟ କଲାର ଭିତରେ ସୁନା ଚେନ୍ ଲୁଚାଇ ରଖିଥିବା ଜଣା ପଡ଼ିଥିଲା । ଉକ୍ତ ସୁନାଚେନ୍କୁ ଜବତ କରାଯାଇ ଓଜନ କରିବାରେ ତାହା ୧୫୦.୯୨୦ଗ୍ରାମ ହୋଇଥିଲା । ଯାହାର ମୂଲ୍ୟ ୫ ଲକ୍ଷ ୩୩ ହଜାର ୩୫୧ ଟଙ୍କା ହେବ । ଏତେ ପରିମାଣର ସୁନା ସେ କେଉଁଠିକୁ ଚାଲାଣ କରୁଥିଲେ ସେ ନେଇ ତାଙ୍କୁ ପଚରାଉଚରା ଜାରି ରହିଥିବା ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.