ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲମ୍ବା ପ୍ରତୀକ୍ଷା ପରେ ଭୁବନେଶ୍ୱରରୁ ଉଡ଼ିଲା ବିମାନ । ଆଜିଠୁ ଆରମ୍ଭ ହୋଇଛି ଘରୋଇ (ଡୋମେଷ୍ଟିକ) ବିମାନ ସେବା । ୨ ମାସ ପରେ ଆଜି ଭୁବନେଶ୍ୱରରୁ ଦିଲ୍ଲୀ, ବେଙ୍ଗାଲୁରୁକୁ ବିମାନ ଚଳାଚଳ କରିଛି । ଗୋଟିଏ ପଟେ ବିମାନ ସେବା ଟ୍ରାକ୍କୁ ଫେରୁଥିବାବେଳେ ଅନୁମତି ପାଇ ମଧ୍ୟ ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇପାରିନି ।
ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ହାଇଦ୍ରାବାଦ, ଦିଲ୍ଲୀ, ଝାରସୁଗୁଡ଼ା, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତାକୁ ଓ ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ କରିବାର ଥିଲା । ବିଜୁ ପ;ନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ଜାରି କରିଥିବା ସୂଚନା ମୁତାବକ ସୋମବାର ସକାଳ ୮ଟା ୧୦ ମିନିଟରେ ଇଣ୍ଡିଗୋ (୬ଇ ୨୬୬) ବିମାନ ହାଇଦ୍ରାବାଦରୁ ଆସି ଭୁବନେଶ୍ୱରରେ ପହଞ୍ଚିବାର ଥିଲା । ଏହି ବିମାନ ଭୁବନେଶ୍ୱରରୁ ପୁଣି ସକାଳ ୮ଟା ୪୦ରେ ଉଡ଼ାଣ ଭରିଥାନ୍ତା । ଏଠାରୁ ବି ଯାତ୍ରୀ ଯାଇଥାନ୍ତେ । ମାତ୍ର ଏହି ବିମାନ ଆଜି ବାତିଲ ହୋଇଛି । ସେହିପରି ସକାଳ ୧୦ଟା ୧୦ରେ ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଆସି ପୁଣି ଭୁବନେଶ୍ୱରରୁ ୧୦ଟା ୪୦ରେ ଝାରସୁଗୁଡ଼ା ଯିବାକୁ ଥିବା ବିମାନ ମଧ୍ୟ ବାତିଲ ହୋଇଛି । ଏହାବାଦ୍ କୋଲକାତା, ମୁମ୍ବାଇକୁ ବିମାନ ସେବା ବାତିଲ୍ କରାଯାଇଛି । ଆସନ୍ତାକାଲିଠାରୁ ଚେନ୍ନାଇକୁ ବିମାନ ଚାଲିବାର ଥିଲା । ତାହା ମଧ୍ୟ ବାତିଲ ହୋଇଛି । କେବଳ ଦିଲ୍ଲୀ ଓ ବାଙ୍ଗାଲୋରକୁ ଭୁବନେଶ୍ୱରକୁ ବିମାନ ଯା’ ଆସ କରିଛି ।
ବିଜୁ ପ;ନାୟକ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଆଜି ସକାଳେ ଦିଲ୍ଲୀରୁ ଦିଲ୍ଲୀରୁ ଭିସ୍ତାରା ବିମାନ ଆସିଥିଲା । ଏଥିରେ ୭୦ଜଣ ଯାତ୍ରୀ ଭୁବନେଶ୍ୱର ଆସିଥିଲେ । ଭୁବନେଶ୍ୱରରୁ ଏହି ବିମାନରେ ୬୪ଜଣ ଦିଲ୍ଲୀ ଯାତ୍ରା କରିଥିଲେ । ବିମାନବନ୍ଦର ନିଦେ୍ର୍ଧଶକଙ୍କ କହିବାନୁଯାୟୀ ପଶ୍ଚିମବଙ୍ଗ, ତାମିଲନାଡ଼ୁ ଓ ମହାରାଷ୍ଟ୍ରରେ କିଛି ସମସ୍ୟା ଥିବାରୁ ବିମାନ ସେବା ପ୍ରଭାବିତ ହୋଇଛି । ସକାଳେ ଭିସ୍ତାରା ବିମାନ ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରିଛି । ସନ୍ଧ୍ୟା ସାଢେ଼ ୬ଟାରେ ଏୟାର ଇଣ୍ଡିଆର ଆଉ ଏକ ବିମାନ ଦିଲ୍ଲୀରୁ ଆସିଥିଲା । ବେଙ୍ଗାଲୁରୁରୁ ଏୟାର ଏସିଆ ସନ୍ଧ୍ୟା ୭ଟା ୩୫ରେ ଆସିଥିଲା । ବେଙ୍ଗାଲୁରୁରୁ ଇଣ୍ଡିଗୋ ବିମାନ ସନ୍ଧ୍ୟା ୮ଟା ୩୫ରେ ଆସିଥିବାବେଳେ ରାତି ସାଢେ଼ ୧୦ଟାରେ ଇଣ୍ଡିଗୋରର ଏକ ବିମାନ ଦିଲ୍ଲୀରୁ ଆସିଥିଲା । ଏହି ସବୁ ବିମାନ ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ପୁଣି ସେହି ସବୁ ସ୍ଥାନକୁ ଯାତ୍ରା କରିଥିଲା । ବିମାନ ଚାଲିବା ଯୋଗୁ ରାଜ୍ୟରେ ଅଟକି ଥିବା ବାହାର ରାଜ୍ୟର ଲୋକେ ଓ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ବେଶ୍ ଖୁସି ଜାହିର କରିଛନ୍ତି । ଆଜି ବିମାନରେ ସକାଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ମଧ୍ୟ ଆସିଥିବା ଦେଖାଯାଇଥିଲା । ଲକ୍ଡାଉନ୍ ଯୋଗୁ ସେ ଦିଲ୍ଲୀରେ ଅଟକି ଯାଇଥିଲେ । ନିଜ ମାଟିକୁ ଫେରୁଥିବାରୁ ସମସ୍ତେ ଖୁସି ଜାହିର କରିଥିଲେ । କେତେକ ଖୁସିରେ କାନ୍ଦି ପକାଇଥିଲେ ।
ବିମାନବନ୍ଦରରେ ଯାତ୍ରୀ ପହଞ୍ଚିବା ପରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରାଯାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଯାଞ୍ଚ ବ୍ୟବସ୍ଥା ମଧ୍ୟ ସାମାଜିକ ଦୂରତାରେ କରାଯାଇଥିଲା ।
ଅପରପକ୍ଷରେ ସରକାରଙ୍କ ଅନୁମତି ସତ୍ତେ୍ୱ ଆଜି ରାଜ୍ୟରେ ବସ୍ ସେବା ଆରମ୍ଭ ହୋଇପାରିନି । ବସ୍ ମାଲିକ ସଂଘ ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, ଏଯାଏଁ ବସ୍ ଚଳାଚଳ ନେଇ ସରକାର ଆମ ସହ କିଛି ଆଲୋଚନା କରିନାହାନ୍ତି । ସରକାର ଆଲୋଚନା କରିବା ପରେ ବୈଠକରୁ ଯାହା ନିର୍ଯ୍ୟାସ ବାହାରିବ, ସେ ନେଇ ଆମେ ଆଞ୍ଚଳିକ ସଂଘ ସହ ଆଲୋଚନା କରିବୁ । ତା’ ପରେ ଯାହା ନିଷ୍ପତ୍ତି ନେବୁ ।
ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଲକ୍ଡାଉନ ଯୋଗୁ ବସ୍ କର୍ମଚାରୀମାନେ ଏବେ ନାହାନ୍ତି । ବସ୍ ମାଲିକ ସଂଘର ବିଭିନ୍ନ ଦାବି ଉପରେ ବିଚାର କରାଯାଉଛି । ରୋଡ୍ ଟିକସ ଛାଡ଼ ସହ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି ।
Comments are closed, but trackbacks and pingbacks are open.