ଚେନ୍ନାଇ: ଏଠାକାର ଡାକ୍ତରମାନେ ନିକଟରେ ଅସ୍ତ୍ରୋପଚାର କରି ଗୋଟିଏ ପିଲା ପାଟିରୁ ୫୨୬ଟି ଅତିରିକ୍ତ ଦାନ୍ତ ବାହାର କରିଛନ୍ତି । ଜଣକ ପାଟିରେ ଏତେ ସଂଖ୍ୟକ ଦାନ୍ତ ସୃଷ୍ଟି ହେବା ଏକ ଅତି ବିରଳ ଘଟଣା । ରବୀନ୍ଦ୍ରନାଥ ନାମକ ଏହି ୭ ବର୍ଷୀୟ ଶିଶୁଟିର ଡାହାଣ ପଟ ଗାଲ ସବୁବେଳେ ଫୁଲୁଥିଲା । ଏହା ଦେଖି ତା’ର ମାତାପିତା ତା’କୁ ଡାକ୍ତରଙ୍କ ପାଖକୁ ଆଣିଥିଲେ । ସେଠାରେ ତା’ର ଏକ୍ସ-ରେ ଏବଂ ସିଟି ସ୍କାନ କରାଯିବା ପରେ ତା’ ପାଟିରେ ୫୨୬ଟି ଅତିରିକ୍ତ ଦାନ୍ତ ଥିବାର ଜଣାପଡିଥିଲା ।
ତା’ର ପାଟିର ଡାହାଣ ପଟ ତଳ ମାଢ଼ିର ଅସ୍ଥି ଭିତରେ ଏହି ଦାନ୍ତଗୁଡିକ ସୃଷ୍ଟି ହୋଇଥିଲା । ତେଣୁ ବାହାରକୁ ସେଗୁଡିକ ଦୃଶ୍ୟମାନ ହେଉନଥିଲା । ଏହାପରେ ଡାକ୍ତରମାନେ ପିଲାଟିର ତୁରନ୍ତ ଅପରେସନ କରାଯିବାର ଆବଶ୍ୟକତା ରହିଛି ବୋଲି ତା’ର ଅଭିଭାବକଙ୍କୁ ବୁଝାଇଥିଲେ । ଚଳିତ ମାସ ୧୧ ତାରିଖରେ ଚେନ୍ନାଇର ସବିଥା ଡେଣ୍ଟାଲ କଲେଜରେ ଏହି ଅପରେସନ କରାଯାଇଥିଲା ଏବଂ ଏଥିପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗିଥିଲା । ଅବଶ୍ୟ ଏହା ପୂର୍ବରୁ ପିଲାଟି ସହିତ ସେଠାକାର ଡାକ୍ତର ଏବଂ ସ୍ନାତ୍ତକୋତ୍ତର ମେଡିକାଲ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ଘଣ୍ଟା ଘଣ୍ଟା ଧରି କଥା ହୋଇ ତା’କୁ ବୁଝାଇଥିଲେ ଯାହାପରେ ସେ ଡାକ୍ତରମାନଙ୍କୁ ସହଯୋଗ କରିଥିଲା । ତା’ର ପାଟିରେ ସ୍ୱାଭାବିକ ଭାବେ ରହିବା ପାଇଁ ଆବଶ୍ୟକ ୨୧ଟି ଦାନ୍ତକୁ ଛାଡି ବାକି ୫୨୬ଟି ଦାନ୍ତକୁ ଓପାଡି ଦିଆଯାଇଥିଲା । ଏବେ ଡାକ୍ତରମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିବା ସହିତ ପିଲାଟିକୁ ଗଣମାଧ୍ୟମ କର୍ମୀଙ୍କ ସହିତ ଭେଟ କରାଇଛନ୍ତି ।
ଡାକ୍ତରମାନେ କହିଛନ୍ତି କି ଜଣକ ପାଟିରେ ଏତେ ସଂଖ୍ୟକ ଦାନ୍ତ ସୃଷ୍ଟି ହେବା ସମ୍ପର୍କରେ ସେମାନେ ଆଗରୁ କେବେ ଜାଣିନଥିଲେ । ତେଣୁ ଏହା ନିଶ୍ଚିତ ଭାବେ ଏକ ବିରଳ ଘଟଣା । କିନ୍ତୁ କେଉଁ କାରଣରୁ ପିଲାଟି ଦେହରେ ଏଭଳି ବିକୃତି ଦେଖାଦେଇଥିଲା, ତାହା ସ୍ପଷ୍ଟ ହୋଇପାରିନାହିଁ । ଡାକ୍ତରମାନେ କହିଛନ୍ତି କି ମୋବାଇଲ ଟାୱାରରୁ ହେଉଥିବା ବିକିରଣ କିମ୍ବା କିଛି ଜିନଗତ ତ୍ରୁଟି ଯୋଗୁ ଏଇ ପିଲାଟି ଦେହରେ ଏଭଳି ବ୍ୟତିକ୍ରମ ଦେଖାଦେଇଥାଇପାରେ ।
Comments are closed, but trackbacks and pingbacks are open.