ବିରୋଧ କରିଥିବା ନେତାଙ୍କ ନିର୍ବାଚନ ରଦ୍ଧ କରାଯିବନି:ସୁପ୍ରିମକୋର୍ଟ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ବୟାନ ଦେଇଥିବା କାରଣରୁ ଜଣେ ସାଂସଦଙ୍କ ନିର୍ବାଚନକୁ ରଦ୍ଧ କରିବା ଦାବିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ଏ ସମ୍ପର୍କରେ ପୂର୍ବରୁ କେରଳ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଜଣେ ନେତା ଏଭଳି ବୟାନ ଦେଇଥିଲେ ବି ଏହାଯୋଗୁ ଜନପ୍ରତିନିଧି ଆଇନର ଉଲ୍ଲଂଘନ ହେଉନାହିଁ । କେରଳ ହାଇକୋର୍ଟ ପୂର୍ବରୁ ନିଜ ରାୟରେ କହିଥିଲେ ଯେ ଉକ୍ତ ନେତା ଜଣକ ଯେତେବେଳେ ଏହି ବୟାନ ଦେଇଥିଲେ, ସେତେବେଳେ ନିର୍ବାଚନ ବିଜ୍ଞପ୍ତି ଜାରି କରାଯାଇନଥିଲା କି ସେ ସାଂସଦ ପ୍ରାର୍ଥୀ ହୋଇନଥିଲେ । ତେଣୁ ତାଙ୍କର ବୟାନ ଆଧାରରେ ତାଙ୍କ ନିର୍ବାଚନକୁ ରଦ୍ଧ କରାଯାଇପାରିବ ନାହିଁ ।
କେରଳର କୋଲ୍ଲମ ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ୟୁଡିଏଫର ନେତା ଏନକେ ପ୍ରେମଚନ୍ଦ୍ରନଙ୍କ ବିରୋଧରେ ସେଠାରେ ପରାଜୟ ବରଣ କରିଥିବା ସିପିଏମ ପ୍ରାର୍ଥୀ କେ ଏନ ବାଲଗୋପାଲ ଏହି ଆବେଦନ ଦାଖଲ କରିଥିଲେ । ସେ ନିଜ ଆବେଦନରେ ଦର୍ଶାଇଥିଲେ ଯେ ପ୍ରେମଚନ୍ଦ୍ରନ ଏକ ରାଲିରେ କହିଥିଲେ କି ସିପିଏମ (ଏଲଡିଏଫ) ପ୍ରାର୍ଥୀ ନିର୍ବାଚନରେ ଜିତିଲେ ସବରିମାଳା ମନ୍ଦିର ଭିତରେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ହିନ୍ଦୁମାନଙ୍କର ବିଶ୍ୱାସ ଭାଙ୍ଗିବାକୁ ଉଦ୍ୟମ କରିବେ । ସେହିପରି ସେମାନେ ମସଜିଦ୍ ଭିତରେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇ ମୁସଲମାନ ସମୁଦାୟ ଏବଂ ଚର୍ଚ୍ଚଗୁଡିକର ପରିଚାଳନା ଦାୟିତ୍ୱ ସରକାରୀ ଅଧିକାରୀମାନଙ୍କ ଉପରେ ନ୍ୟସ୍ତ କରି ଖ୍ରୀଷ୍ଟିୟାନ ସମୁଦାୟଙ୍କ ଭାବନାକୁ ଆଘାତ ଦେବା ପାଇଁ ଚେଷ୍ଟା କରିବେ । ତେଣୁ ଏପରି ହରକତ ରୋକିବାକୁ ହେଲେ ଲୋକେ ଆଗାମୀ ନିର୍ବାଚନରେ ତାଙ୍କୁ ବିଜୟୀ କରାନ୍ତୁ ।
ବାଲଗୋପାଲ ଅଭିଯୋଗ କରିଥିଲେ କି ଲୋକଙ୍କ ଧାର୍ମିକ ଭାବନାକୁ ମାଧ୍ୟମ କରି ନିର୍ବାଚନ ଜିତିବା ଲକ୍ଷ୍ୟରେ ପ୍ରେମଚନ୍ଦ୍ରନ ଏଭଳି ବୟାନ ଦେଇଥିଲେ ଯାହାକୁ ଜନ ପ୍ରତିନିଧି ଆଇନ ଅଧୀନରେ ଏକ ବେଆଇନ କାର୍ଯ୍ୟ ଭାବେ ବିବେଚନା କରାଯାଇପାରିବ । ମାତ୍ର ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏପରି ଯୁକ୍ତି ଗ୍ରହଣ କରିନଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons