ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ବିଶ୍ୱକପ୍ ଫାଇନାଲ୍ (ଇଂଲଣ୍ଡ-ନ୍ୟୁଜିଲାଣ୍ଡ) ବିବାଦର ସମୀକ୍ଷା କରାଯିବ । ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଆଇସିସି କ୍ରିକେଟ୍ କମିଟି ବୈଠକରେ ବିଶ୍ୱକପ୍ ବିବାଦର ଆଲୋଚନା ହେବ । ଫାଇନାଲ୍ରେ ବାଉଣ୍ଡାରୀ ଗଣନା ନିୟମରେ ଇଂଲଣ୍ଡକୁ ଚାମ୍ପିଅନ୍ ଘୋଷିତ କରାଯିବାକୁ ନେଇ ବିବାଦ ଉପଜିଥିଲା । ଏହି ମ୍ୟାଚ୍ଟି ପ୍ରଥମେ ଟାଇ ହେବା ପରେ ସୁପର ଓଭର ବି ଟାଇ ହୋଇଥିଲା । ଫଳରେ ବାଉଣ୍ଡାରୀ ଗଣନା ନିୟମରେ ଇଂଲଣ୍ଡ (୨୨-୧୭ରେ) ବିଶ୍ୱ ବିଜେତା ହୋଇଥିଲା ।
ଆଇସିସିର କ୍ରିକେଟ୍ ମହାପ୍ରବନ୍ଧକ ଜିଓଫ୍ ଆଲାର୍ଡିକ୍ କହିଛନ୍ତି, ଆଇସିସିର ଆଗାମୀ କ୍ରିକେଟ୍ କମିଟି ବୈଠକରେ (୨୦୨୦) ବିଶ୍ୱକପ୍ ଫାଇନାଲ୍ ବିବାଦର ସମୀକ୍ଷା କରାଯିବ । ଏଥିରେ ବିବାଦୀୟ ବାଉଣ୍ଡାରୀ ଗଣନା ନିୟମ ଉପରେ ଆଲୋଚନା ହେବ । ୨୦୦୯ରେ ଆଇସିସି ଇଭେଣ୍ଟରେ କୌଣସି ଟାଇ ମ୍ୟାଚ୍ରେ ବୋଲ୍ଡ ଆଉଟ୍ ନିୟମ ବଦଳରେ ସୁପର ଓଭର ନିୟମ ଲାଗୁ କରାଯାଇଥିଲା । ଏହାଛଡ଼ା ବାଉଣ୍ଡାରୀ ଗଣନା ନିୟମ ବି ଲାଗୁ ହୋଇଥିଲା । ବିଶ୍ୱସ୍ତରରେ ବିଭିନ୍ନ ଟି-ଟ୍ୱେଣ୍ଟି ଲିଗ୍ ଏବଂ ପ୍ରଫେସନାଲ କ୍ରିକେଟ୍ରେ ଏହି ନିୟମ ଲାଗୁ କରାଯାଇ ଆସିଛି । ବାଉଣ୍ଡାରୀ ଗଣନା ନିୟମକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ତେଣୁ ଏଥିରେ ପୁନଃବିଚାର କରାଯିବ । ଭବିଷ୍ୟତରେ ଏହି ନିୟମ ଲାଗୁ କରାଯିବ କି ନାହିଁ ତା’ହା କ୍ରିକେଟ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯିବ ।’ ସୂଚନାଯୋଗ୍ୟ, ବିଶ୍ୱକପ୍ ଫାଇନାଲ୍ରେ ବାଉଣ୍ଡାରୀ ଗଣନା ନିୟମରେ ଇଂଲଣ୍ଡ ବିଶ୍ୱ ଚାମ୍ପିଅନ୍ ହୋଇଥିଲା । ଏହି ନିୟମକୁ ନେଇ ଅନେକ ପୂର୍ବତନ ଓ ବର୍ତ୍ତମାନର ଖେଳାଳିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ସେମାନେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ମିଳିତ ଭାବେ ବିଶ୍ୱ ଚାମ୍ପିଅନ୍ ଘୋଷଣା କରାଯିବା ସପକ୍ଷରେ ମତବ୍ୟକ୍ତ କରିଥିଲେ ।
Comments are closed, but trackbacks and pingbacks are open.