ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବିଶ୍ୱସନୀୟତାର ପ୍ରମାଣ ଦେଇ ନିଜ ଜୀବନ ହାରିଛି, ହେଲେ ବିଷାକ୍ତ ନାଗ ସାପକୁ ବାଟ ଛାଡ଼ି ନଥିଲା । ଏପରିକି ନାଗ ସହ ଲଢିÿ ତାକୁ ମଧ୍ୟ ମାରି ଦେଇଛି । ତା ପରେ ନିଜେ ଶେଷ ନିଃଶ୍ୱାସ ଛାଡ଼ିଛି ଏକ ପୋଷା କୁକୁର । ଏଭଳି ଏକ ସମ୍ବେଦନଶୀଳ ଘଟଣା ଶୁକ୍ରବାର ମଧ୍ୟାହ୍ଣରେ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ରଣ୍ଢା ବଜାରରେ ଦେଖିବାକୁ ମିଳିଛି । ଉଭୟ ନାଗ ଓ କୁକୁରର ଜୀବନ ଯାଇଥିବା ବେଳେ କୁକୁରର ଏଭଳି କାର୍ଯ୍ୟକୁ ଲୋକେ ବେଶ୍ ପ୍ରଶଂସା କରିଛନ୍ତି । ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଏପରିକି ଲୋକେ କୁକୁରକୁ ବୋହି ନେଇ ସମ୍ମାନର ସହ ଘୃତାହୁତି ଦେଇ ଅନ୍ତିମ ସଂସ୍କାର ମଧ୍ୟ କରାଇଛନ୍ତି ।
ଶୁକ୍ରବାର ଦିନ ପ୍ରାୟ ୧୨ଟା । ରଣ୍ଢା ବଜାର ନିକଟ ପଞ୍ଚମା ରୋଡ୍ର ଏକ ଅଳିଆ ଗଦା ପାଖରୁ ଅଚାନକ ବାହାରି ଆସିଥିଲା ଏକ ବିରାଟକାୟ ନାଗ । ପାଖ ବଜାରର ଏକ ମୋବାଇଲ୍ ଦୋକାନ ଆଡ଼କୁ ଅଗ୍ରସର ହେଉଥିଲା । ହେଲେ ଦୋକାନ ମାଲିକ ସନ୍ଦୀପଙ୍କ ପୋଷା କୁକୁର ଏହା ଦେଖି ନାଗ ସମ୍ମୁଖକୁ ଚାଲି ଆସିଥିଲା । ନାଗ ପଛକୁ ହଟିବାକୁ ନାରାଜ । ଫଣା ଟେକି କୁକୁରକୁ ଚୋଟ ପରେ ଚୋଟ ମାରିବାକୁ ପ୍ରୟାସ କରୁଥିଲା । କୁକୁର କିନ୍ତୁ ନାଗକୁ ଆଗକୁ ବଢ଼ିବାକୁ ଦେଉ ନଥିଲା । ପ୍ରାୟ ଘଣ୍ଟାଏ କାଳ ଦୁହିଁଙ୍କ ମଧ୍ୟରେ ଚାଲିଥିଲା ଲଢେ଼ଇ । କୁକୁର ନାଗର ବିଷାକ୍ତ ଚୋଟ ଖାଇବା ସତ୍ତେ୍ୱ ନିଜ ଦାନ୍ତରେ ସାପଟିକୁ ବାରମ୍ବାର କାମୁଡିÿ ଶେଷରେ ମାରି ଦେଇଥିଲା । ଆଉ କିଛି କ୍ଷଣ ପରେ ନିଜେ ବି ଟଳି ପଡ଼ିଥିଲା ।
ଆଖପାଖର ଲୋକ ଏହା ଦେଖି ଭିଡିଓ କରିଥିଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହୋଇଥିଲା । କୁକୁରର ଲଢେ଼ଇ ନିଶ୍ଚିତ ଭାବେ ତାର ମାଲିକଙ୍କ ସହ ଅନେକଙ୍କୁ ବିପଦମୁଖରୁ ରକ୍ଷା କରିଥିଲା । ହାର ମାନିଥିଲା ନାଗ । ଆଉ ପୋଷା କୁକୁରର କାର୍ଯ୍ୟକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଲୋକେ ତାର ବିଧିବଦ୍ଧ ଅନ୍ତିମ ସଂସ୍କାର ମଧ୍ୟ କରିଥିଲେ ।
Comments are closed, but trackbacks and pingbacks are open.