ନୂଆଦିଲ୍ଲୀ: ସ୍ୱିଜରଲାଣ୍ଡର ବାସେଲ ଠାରେ ଚାଲିଥିବା ବିଶ୍ୱ ଚାମ୍ପିଅନ୍ସିପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଷ୍ଟାର୍ ମହିଳା ଖେଳାଳି ପିଭି ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତି ଐତିହାସିକ ସଫଳତା ଅର୍ଜନ କରିଛନ୍ତି । ପ୍ରାୟତଃ ସମସ୍ତ ପ୍ରମୁଖ ଟୁର୍ଣ୍ଣାମେଣ୍ଟରେ ପଦକ ହାତେଇ ସାରିଥିବା ସିନ୍ଧୁ ନୂଆ ବିଶ୍ୱ ଚାମ୍ପିଅନ୍ ହେବା ସହ ବ୍ୟାଡ଼ମିଣ୍ଟନ ଇତିହାସ ଫର୍ଦ୍ଦରେ ନିଜକୁ ସାମିଲ କରିଛନ୍ତି ।ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ୍ରେ ସିନ୍ଧୁ ସିଧାସଳଖ ୨୧-୭, ୨୧-୭ ଗେମ୍ରେ ଜାପାନ ତାରକା ନୋଜୋମି ଓକୁହାରାଙ୍କୁ ପରାସ୍ତ କରିଥିଲେ । ତାଙ୍କଠୁ ସେ ୨୦୧୭ ଫାଇନାଲ୍ (ବିଶ୍ୱ ଚାମ୍ପିଅନସିପ୍) ପରାଜୟର ମଧୁର ପ୍ରତିଶୋଧ ନେଇଥିଲେ । ୨୦୧୭ ଫାଇନାଲ୍ରେ ସିନ୍ଧୁ ୧୯-୨୧, ୨୨-୨୦, ୨୦-୨୨ ଗେମ୍ରେ ପରାସ୍ତ ହୋଇଥିଲେ । ୨୦୧୯ରେ ସେ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ପଦକ ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି । ପୂର୍ବରୁ ସେ ୨୦୧୭ ଓ ୨୦୧୮ ସଂସ୍କରଣରେ ଫାଇନାଲ୍ରେ ପ୍ରବେଶ କରିଥିଲେ ମଧ୍ୟ ସ୍ୱର୍ଣ୍ଣ ହାସଲରୁ ବଞ୍ôଚତ ହୋଇଥିଲେ । ତୃତୀୟ ପ୍ରୟାସରେ ସିନ୍ଧୁ ସ୍ୱର୍ଣ୍ଣ ପଦକ ସ୍ୱାଦ ଚାଖିଛନ୍ତି । ବିଶ୍ୱ ଚାମ୍ପିଅନସିପ୍ରେ ଏହା ସିନ୍ଧୁଙ୍କର ପଞ୍ଚମ ପଦକ । ପୂର୍ବରୁ ସେ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ପଦକ ଜିତିଥିଲେ ।ପ୍ରଥମ ଭାରତୀୟ ଖେଳାଳି ଭାବେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସିନ୍ଧୁଙ୍କ ସ୍ୱର୍ଣ୍ଣକୁ ମିଶାଇ ବିଶ୍ୱ ଚାମ୍ପିଅନ୍ସିପ୍ରେ ଭାରତକୁ ମୋଟ୍ ୧୦ଟି ପଦକ ମିଳିଛି । ଏଥିରେ ୩ଟି ରୌପ୍ୟ ଓ ୬ଟି ବ୍ରୋଞ୍ଜ ପଦକ ରହିଛି । ପୂର୍ବରୁ ସିନ୍ଧୁ ୨୦୧୭ ଓ ୨୦୧୮ରେ ରୌପ୍ୟ ପଦକ ଜିତିଥିଲେ । ଏହା ପୂର୍ବରୁ ସେ ୨୦୧୩ ଓ ୨୦୧୪ରେ ବ୍ରୋଞ୍ଜ ପଦକ ହାତେଇଥିଲେ । ସାଇନା ନେହୱାଲ୍ ୨୦୧୫ରେ ରୌପ୍ୟ ଓ ୨୦୧୭ରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ବର୍ଷ ବି ସାଇ ପ୍ରଣିତ ଦ୍ୱିତୀୟ ଭାରତୀୟ ପୁରୁଷ ଖେଳାଳି ଭାବେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ୧୯୮୩ ମସିହାରେ ପ୍ରକାଶ ପାଦୁକୋନ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବିଶ୍ୱ ଚାମ୍ପିଅନ୍ସିପ୍ରେ ପଦକ ଜିତିବାରେ ସେ ଥିଲେ ପ୍ରଥମ ଭାରତୀୟ । ୨୦୧୧ରେ ମହିଳା ଡବଲ୍ସ ଯୋଡି ଜ୍ୱାଲା ଗୁ;ା ଓ ଅଶ୍ୱିନୀ ପୁନାପ୍ପା ବିଶ୍ୱ ଚାମ୍ପିଅନ୍ସିପ୍ରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ବିଶ୍ୱର ଦ୍ୱିତୀୟ ମହିଳା ଖେଳାଳି ଭାବେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍ସିପ୍ରେ ୫ଟି ପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଚୀନ୍ର ଝାଙ୍ଗ ନିଙ୍ଗ ଏହି ପ୍ରତିଯୋଗିତାରେ ୫ଟି ପଦକ ହାସଲ କରିଥିଲେ । ଏଥିରେ ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ରହିଥିଲା । ସିନ୍ଧୁ ସ୍ୱର୍ଣ୍ଣ ପଦକ ଜିତି ନିଙ୍ଗ୍ଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ ।ସିନ୍ଧୁ ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଜାକର୍ତ୍ତା ଏସୀୟ କ୍ରୀଡ଼ା(୨୯୧୮)ରେ ରୌପ୍ୟ ପଦକ ଜିତିଥିଲେ । ଗତ ବର୍ଷ ଅନୁଷ୍ଠିତ ବିଡବ୍ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ଫାଇନାଲ୍ସରେ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ହାସଲ କରି ବିରଳ ସଫଳତା ହାସଲ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ରେ ଓକୁହାରାଙ୍କୁ ସିଧା ସଳଖ ୨୧-୧୯, ୨୧-୧୭ ଗେମ୍ରେ ହରାଇଥିଲେ । ୨୦୧୩ରେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍ସିପ୍ରେ ପଦାର୍ପଣ କରିଥିଲେ । ଏହି ୬ ବର୍ଷ ମଧ୍ୟରେ ସିନ୍ଧୁ ବିଶ୍ୱ ଚାମ୍ପିଅନ୍ସିପ୍ରେ ମୋଟ୍ ୨୧ଟି ମ୍ୟାଚ୍ ଜିତି ସାରିଛନ୍ତି । ବିଶ୍ୱ ଚାମ୍ପିଅନ୍ସିପ୍ ଇତିହାସରେ କୌଣସି ସିଙ୍ଗଲ୍ସ ଖେଳାଳି ଏତେ ସଂଖ୍ୟକ ମ୍ୟାଚ୍ ଜିତି ନାହାନ୍ତି । ୩ଥର ବିଶ୍ୱ ଚାମ୍ପିଅନ୍ କାରୋଲିନା ମାରିନ୍ ଦ୍ୱିତୀୟ ସର୍ବାଧିକ ୨୦ଟି ମ୍ୟାଚ୍ ଜିତିଛନ୍ତି ।ବିଶ୍ୱର ଚତୁର୍ଥ ଖେଳାଳି ଭାବେ ବିଶ୍ୱ ଚାମ୍ପିଅନ୍ସିପ୍ରେ ସିନ୍ଧୁ ସ୍ୱର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତାଙ୍କ ପୂର୍ବରୁ ଲି ଲିଙ୍ଗୱେଇ, ଗଙ୍ଗ ରୁଇନା ଓ ଝାଙ୍ଗ ନିଙ୍ଗ୍ ଏହି ସଫଳତା ଅର୍ଜନ କରିଥିଲେ । ବିଶ୍ୱର ତୃତୀୟ ମହିଳା ଖେଳାଳି ଭାବେ ସିନ୍ଧୁ କ୍ରମାଗତ ୩ବର୍ଷ ବିଶ୍ୱ ଚାମ୍ପିଅନ୍ସିପ୍ର ଫାଇନାଲ୍ ଖେଳିଥିଲେ । ତାଙ୍କ ପୂର୍ବରୁ ହାନ୍ ଆଇପିଙ୍ଗ୍ ଓ ଝାଙ୍ଗ ନିଙ୍ଗ୍ କ୍ରମାଗତ ୩ଟି ବିଶ୍ୱ ଚାମ୍ପିଅନ୍ସିପ୍ ଫାଇନାଲ୍ ଖେଳିଥିଲେ । ସିନ୍ଧୁ ଷଷ୍ଠ ମହିଳା ଖେଳାଳି ଭାବେ ୩ଟି ବିଶ୍ୱ ଚାମ୍ପିଅନ୍ସିପ୍ର ଫାଇନାଲ୍ରେ ପ୍ରବେଶ କରିଥିଲେ । ତାଙ୍କ ପୂର୍ବରୁ ଆଇପିଙ୍ଗ୍, ନିଙ୍ଗ୍, ଲି ଲିଙ୍ଗୱେଇ, ଜି ଜିଙ୍ଗଫାଙ୍ଗ ଓ କାରୋଲିନା ମାରିନ୍ ଏହି ସଫଳତା ଅର୍ଜନ କରିଥିଲେ । ୬ଟି ବିଶ୍ୱ ଚାମ୍ପିଅନ୍ସିପ୍ ଖେଳି ସିନ୍ଧୁ ୫ଟି ପଦକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କୌଣସି ଖେଳାଳି ଏତେ କମ୍ ସଂଖ୍ୟକ ବିଶ୍ୱ ଚାମ୍ପିଅସନ୍ସିପ୍ ଖେଳି ୫ଟି ପଦକ ହାତେଇ ନାହାନ୍ତି । ବିଶ୍ୱ ଚାମ୍ପିଅନ୍ସିପ୍ରେ ସିନ୍ଧୁ କୌଣସି ଚୀନ୍ ଖେଳାଳିଙ୍କ ଠାରୁ ହାରି ନାହାନ୍ତି । ସେ ଇତି ମଧ୍ୟରେ ବିଶ୍ୱ ଚାମ୍ପିଅନ୍ସିପ୍ରେ ୭ଜଣ ଚୀନ୍ ଖେଳାଳିଙ୍କୁ ଭେଟିଛନ୍ତି ଓ ସମସ୍ତଙ୍କୁ ପରାସ୍ତ କରିଛନ୍ତି । ସେ ୱାଙ୍ଗ ୟିହାନ, ସିଜିଆନ ୱାଙ୍ଗ, ଲି ଜୁଏରୁଇ, ସୁନ ୟୁ ଓ ଚେନ ୟୁଫେଇଙ୍କୁ ହରାଇ ସାରିଛନ୍ତି ।ବିଶ୍ୱର ଏକମାତ୍ର ଖେଳାଳି ଭାବେ ସିନ୍ଧୁ ଅଲିମ୍ପିକ୍ସ, ବିଶ୍ୱ ଚାମ୍ପିଅନ୍ସିପ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ପଦକ ହାସଲ କରିଛନ୍ତି । ଗତ ୩ ବର୍ଷ ମଧ୍ୟରେ ସିନ୍ଧୁ ୧୬ଟି ପ୍ରମୁଖ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଖେଳିଛନ୍ତି । ଏଥିରୁ ୫ଟିରେ ସେ ଚାମ୍ପିଅନ୍ ହୋଇଥିବାବେଳେ ଅନ୍ୟ ୧୧ଟି ଫାଇନାଲ୍ରେ ପରାଜିତ ହୋଇଛନ୍ତି । ସେ ତାଇ ଜୁ ୟିଙ୍ଗ ବିପକ୍ଷରେ ୩ଥର, କାରୋଲିନା ମାରିନ, ଆକାନେ ୟାମାଗୁଚି ଓ ନୋଜୋମି ଓକୁହାରାଙ୍କ ବିପକ୍ଷରେ ୨ଥର ଲେଖାଏଁ, ସାଇନା ନେହୱାଲ୍ ଓ ବିୱିନ ଝାଙ୍ଗଙ୍କ ବିପକ୍ଷରେ ଥରେ ଲେଖାଏଁ ପରାଜିତ ହୋଇଛନ୍ତି ।ବିଶ୍ୱ ଚାମ୍ପିଅନ୍ସିପ୍ରେ ଭାରତୀୟ ପ୍ରତିଯୋଗୀ ଦ୍ୱିତୀୟ ଥର ପାଇଁ ଏକ ସଙ୍ଗେ ୨ଟି ପଦକ ସହ ସ୍ୱଦେଶ ଫେରିବେ । ପୂର୍ବରୁ ୨୦୧୭ରେ ସାଇନା ବ୍ରୋଞ୍ଜ ଓ ସିନ୍ଧୁ ରୌପ୍ୟ ପଦକ ହାସଲ କରିଥିଲେ । ଏଥର ସିନ୍ଧୁଙ୍କ ସହ ବି ସାଇ ପ୍ରଣିତ ପଦକ ହାସଲ କରିଛନ୍ତି ।
Comments are closed, but trackbacks and pingbacks are open.