ନୂଆଦିଲ୍ଲୀ:୨୦୧୯ ବିଶ୍ୱ ନବୀନତା ସୂଚୀ(ଜିଆଇଆଇ)ରେ ଭାରତ ୫ଟି ସ୍ଥାନ ଉପରକୁ ଉଠିଛି । ୨୦୧୮ରେ ଏହା ଉକ୍ତ ସୂଚୀରେ ୫୭ ତମ ସ୍ଥାନରେ ଥିବାବେଳେ ଏ ବର୍ଷ ୫୨କୁ ଉନ୍ନୀତ ହୋଇଛି । ଗତ ୫ ବର୍ଷରେ ଭାରତ ଏହି ସୂଚୀରେ ୨୯ଟି ସ୍ଥାନ ଉପରକୁ ଉଠିଛି । କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ବୁଧବାର ଜିଆଇଆଇ ର୍ୟାଙ୍କିଙ୍ଗ୍ ଜାରି କରିଛନ୍ତି । ଏହି ର୍ୟାଙ୍କିଙ୍ଗ୍ ବାର୍ଷିକ ଆଧାରରେ ବିଶ୍ୱ ବୌଦ୍ଧିକ ସମ୍ପତି ସଂଗଠନ(ଡବ୍ଲ୍ୟଆଇପିଓ), କରୋନେଲ ବିଶ୍ୱବିଦ୍ୟାଳୟ ଏବଂ ଜିଆଇଆଇ ନଲେଜ୍ ପାର୍ଟନର ଦ୍ୱାରା ପ୍ରକାଶ କରାଯାଇଥାଏ । ସୂଚନାଯୋଗ୍ୟ,୨୦୧୭ରେ ଭାରତର ର୍ୟାଙ୍କ ଏହି ସୂଚୀରେ ୬୦, ୨୦୧୬ରେ ୬୬ ଏବଂ ୨୦୧୫ରେ ୮୧ ଥିଲା । ତେବେ ସୁଇଜରଲାଣ୍ଡ ପ୍ରଥମ ସ୍ଥାନ ବଜାୟ ରଖିଥିବାବେଳେ ପ୍ରଥମ ଥର ପାଇଁ ଇସ୍ରାଏଲ୍ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନିତ ହୋଇଛି ।
ଭାରତ ଭଳି ଅନ୍ୟ ଅର୍ଥନୀତିଗୁଡ଼ିକ ସବୁ ସ୍ତରୀୟ ବିକାଶ ଦିଗରେ ନବୀନତା ଆଣୁଛନ୍ତି । ଦେଶର ଅର୍ଥନୈତିକ ଏବଂ ସାମାଜିକ ବିକାଶ ଦିଗରେ ନୂତନ ଢ଼ାଞ୍ଚା ଏମାନେ ଆପଣାଉଥିବା ରିପୋର୍ଟରୁ ଜଣାଯାଇଛି ।
ନବୀନତା ମାଧ୍ୟମରେ ଔଦ୍ୟୋଗିକତାକୁ ବଢ଼ାଇବା ଆମର ଲକ୍ଷ୍ୟ । ୨୦୨୨ ସୁଦ୍ଧା ନୂତନ ଭାରତ ଗଠନ ଦିଗରେ ଆମର ପ୍ରୟାସ ଜାରି ରହିଛି । ଭାରତ ବିଶ୍ୱ ନବୀନତା ସୂଚୀରେ ଉପରକୁ ଉଠିବା ଦ୍ୱାରା ଏହା ପ୍ରମାଣିତ ହେଉଛି ଯେ, ଭାରତୀୟଙ୍କ ନିକଟରେ େଔଦ୍ୟୋଗିକତା କୌଶଳ ରହିଛି । ର୍ୟାଙ୍କିଙ୍ଗ୍ ଜାରି କରି ବାଣିଜ୍ୟ ଏବଂ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏହା କହିଛନ୍ତି ।
ଭାରତ ପାଇଁ ନବୀନତା ନୁଆ ନୁହେଁ । ବର୍ଷ ବର୍ଷ ଦରି ଭାରତ ଏ ଦିଗରେ ସକ୍ରିୟ । ଗବେଷଣା ଏବଂ ବିକାଶରେ ଅଧିକ ପୁଞ୍ଜି ବ୍ୟୟ କରି ଭାରତ ଅର୍ଥନୀତିକୁ ମଜଭୂତ କରୁଥିବା ଗୋୟଲ କହିଛନ୍ତି ।
୧୨ ତମ ସଂସ୍କରଣରେ ଜିଆଇଆଇ ୮୦ଟି ମାପକ ଆଧାରରେ ୧୨୯ଟି ଅର୍ଥବ୍ୟବସ୍ଥାକୁ ର୍ୟାଙ୍କ ପ୍ରଦାନ କରିଛି । ଏହି ମାପକଗୁଡିକ ମଧ୍ୟରେ ବୌଦ୍ଧିକ ସମ୍ପତ୍ତି ପାଇଁ ଆବେଦନ ଜମା ପ୍ରକ୍ରିୟାଠାରୁ ଆରମ୍ଭ କରି ମୋବାଇଲ ଆପ୍ର ସୃଜନ, ଶିକ୍ଷା ଉପରେ ଖର୍ଚ୍ଚ ଏବଂ ବୈଜ୍ଞାନିକୀ ଏବଂ ପ୍ରଯୁକ୍ତିଗତ ପ୍ରକାଶନ ଆଦି ରହିଛି । ଏହି ସୂଚକାଙ୍କରେ ଶ୍ରେଷ୍ଠ ୧୦ ସ୍ଥାନରେ ସ୍ୱିଡେନ୍, ଆମେରିକା, ନେଦରଲାଣ୍ଡ, ବ୍ରିଟେନ, ଫିନ୍ଲାଣ୍ଡ, ଡେନ୍ମାର୍କ, ସିଙ୍ଗାପୁର, ଜର୍ମାନି ଏବଂ ଇସ୍ରାଏଲ୍ ଆଦି ରାଷ୍ଟ୍ର ଅଛନ୍ତି ।
ଭାରତର ର୍ୟାଙ୍କିଙ୍ଗରେ ସୁଧାର ଆସିବ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ଏବେ ଲକ୍ଷ୍ୟ ହେଉଛି ଶୀର୍ଷ ୨୫ରେ ସ୍ଥାନ ପାଇବା । ଏହା ଗୋୟଲ କହିଛନ୍ତି ।
ଭାରତୀୟ ଅର୍ଥନୀତିକୁ ଯଦି ଧ୍ୟାନ ଦେବା ତେବେ ଏହା ଚଳିତ ବର୍ଷ ବ୍ରିଟେନ୍କୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ୍ ଅର୍ଥନୀତି ପାଲଟିବାକୁ ଯାଉଛି । ଚୀନ୍ ପରେ ଏସିଆ ପାସିଫିକ୍ରେ ଏହା ଦ୍ୱିତୀୟ ବୃହତ୍ ଅର୍ଥନୀତି ପାଲଟିବାକୁ ଯାଉଛି ।
Comments are closed, but trackbacks and pingbacks are open.