ବାସେଲ: ଜାପାନର ଷ୍ଟାର୍ ବ୍ୟାଡ଼ମିଣ୍ଟନ ଖେଳାଳି କେଣ୍ଟୋ ମୋମୋତା ଦ୍ୱିତୀୟ ଥର ବିଶ୍ୱ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛନ୍ତି । ସେ ବିଶ୍ୱ ଚାମ୍ପିଅନସିପ୍ର ପୁରୁଷ ସିଙ୍ଗଲ୍ସ ଚାମ୍ପିଅନ୍ ହୋଇ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲ୍ରେ ସେ ସିଧାସଳଖ ୨୧-୯, ୨୧-୩ ଗେମ୍ରେ ଡେନ୍ମାର୍କ ଖେଳାଳି ଆନ୍ଦ୍ରେସ ଆଣ୍ଟୋନସେନ୍ଙ୍କୁ ପରାସ୍ତ କରିଥିଲେ । ଏଥିସହ ମୋମୋତା ବିଶ୍ୱ ଚାମ୍ପିଅନସିପ୍ରେ ନିଜର ତୃତୀୟ ପଦକ ହାସଲ କରିଛନ୍ତି । ପୂର୍ବରୁ ସେ ୨୦୧୮ ସଂସ୍କରଣରେ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ୨୦୧୫ରେ ବ୍ରୋଞ୍ଜ ପଦକ ଜିତିଥିଲେ ।ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ବିଶ୍ୱର ଏକନମ୍ବର ଖେଳାଳି ମୋମୋତାଙ୍କ ପଲା ଭାରି ରହିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଆଣ୍ଟୋନସେନ୍ । ମୋମୋତାଙ୍କ ସାମ୍ନାରେ ସେ ବେଶି ସମୟ ତିଷ୍ଠି ନଥିଲେ । ଜାପାନ ତାରକା ପ୍ରଥମ ଗେମ୍କୁ ଏକତରଫା ୨୧-୯ରେ ଜିତି ନେଇ ଅଭିଯାନ ଆରମ୍ଭ କରିଥିଲେ । ଦ୍ୱିତୀୟ ଗେମ୍ରେ ବି ତାଙ୍କ ଦବ୍ଦବା ଜାରି ରହିଥିଲା । ସେ ୨୧-୩ରେ ସହଜ ବିଜୟ ହାସଲ କରିଥିଲେ । ଅନ୍ୟପକ୍ଷରେ ଆଣ୍ଟୋନସେନ୍ ପରାଜୟ ସହ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ବିଶ୍ୱ ଚାମ୍ପିଅନସିପ୍ରେ ସେ ପ୍ରଥମ ପଦକ ସଫଳତା ପାଇଥିଲେ । ପୂର୍ବରୁ ମୋମୋତା ସେମି ଫାଇନାଲ୍ରେ ଭାରତର ସାଇ ପ୍ରଣୀଥ୍ଙ୍କୁ (୨୧-୧୩, ୨୧-୮ରେ) ପରାସ୍ତ କରିଥିବାବେଳେ ଆଣ୍ଟୋନସେନ୍ ଥାଇଲାଣ୍ଡ ଖେଳାଳି କଣ୍ଟାଫୋନ୍ ୱାଙ୍ଗଚାରୋଏନ୍ଙ୍କୁ (୨୧-୧୫, ୨୧-୧୦ରେ) ପରାସ୍ତ କରିଥିଲେ । ସେମିରେ ହାରି ପ୍ରଣୀଥ୍ ଓ ଆଣ୍ଟୋନସେନ୍ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ ।
Comments are closed, but trackbacks and pingbacks are open.