ବାଲିଆପାଳ,(ବି.ବି.ନ୍ୟୁଜ୍): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ତାପୁଣ୍ଡିଆ ଗ୍ରାମରେ ବିଷାକ୍ତ ଭୋଗ ଖାଇ ଗ୍ରାମର ୩୦ରୁ ଊଦ୍ଧ୍ୱର୍ ଆକ୍ରାନ୍ତ ହୋଇଛନ୍ତି । ଅସୁସ୍ଥଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅଛନ୍ତି । ସମସ୍ତ ଅସୁସ୍ଥ ସ୍ଥାନୀୟ ଜଣେ ଘରୋଇ ଡାକ୍ତରଙ୍କ ଠାରେ ଚିକିିତ୍ସିତ ହେଉଥିବା ବେଳେ ଖବର ପାଇ ଗ୍ରାମରେ ଏକ ୩ ଜଣିଆ ଡାକ୍ତରୀ ଦଳ ପହଞ୍ଚିି ଅସୁସ୍ଥମାନଙ୍କର ଚିକିତ୍ସା କରି ଫେରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ତାପୁଣ୍ଡିଆ ଗ୍ରାମର ନରେନ୍ଦ୍ର ଗିରିଙ୍କ ବାସଭବନରେ ସୋମବାର ସନ୍ଧ୍ୟାରେ ଶିବ ପୂଜା ଅନୁଷ୍ଠିତ ହୋଇଥିଲା । ପଡ଼ୋଶୀ ୧୫ରୁ ୨୦ ପରିବାରର ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ପାଖାପାଖି ୧୦୦ ଲୋକ ନିମନ୍ତ୍ରଣ ପାଇ ତାଙ୍କ ଘରେ ଖାଇଥିଲେ । ମଙ୍ଗଳବାର ଦ୍ୱିପ୍ରହର ଠାରୁ ଭୋଗ ଖାଇଥିବା ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପର୍ଯ୍ୟାୟ କ୍ରମେ ବାନ୍ତି, ଝାଡ଼ା ସହ ଜ୍ୱର ଅନୁଭୂତ ହୋଇଥିଲା । ପରିବାର ଲୋକେ ଅସୁସ୍ଥମାନଙ୍କୁ ନିକଟସ୍ଥ ଜନୈକ ବେସରକାରୀ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ ।
ଅସୁସ୍ଥମାନଙ୍କ ମଧ୍ୟରେ ବିଜୟ କୁମାର ଗିରି (୩୦), ରାମକୃଷ୍ଣ ଗିରି (୩୬), ପୂଜା ଗିରି (୧୨), ସରୋଜ ଗିରି(୧୭), ଅଭିଷେକ ପ୍ରଧାନ (୬), ନିହାରିକା ପ୍ରଧାନ (୧୦), ସତ୍ୟଜିତ୍ ଗିରି (୯), ବର୍ଷା ରାଣୀ ଗିରି (୧୫), ସାଇକୃଷ୍ଣ ଗିରି (୧୪), ଚନ୍ଦନ କୁମାର ଗିରି (୨୨), ମମତା ରାଣି ଗିରି (୪୫), ଆଶିଷ ପ୍ରଧାନ (୬), ଲିଜା ରାଣୀ ପ୍ରଧାନ (୧୨), କାହ୍ନୁ ଗିରି(୨୪), ସୁଶ୍ରୀ ରୁଚିବାଳା ଗିରି (୧୨), ଆୟୁଷୀ ପ୍ରଧାନ (୧୦), ଗିରିବାଳା ଗିରି (୧୨) ସମେତ ୩୦ରୁ ଊଦ୍ଧ୍ୱର୍ ଅସୁସ୍ଥ ହୋଇପଡ଼ିଥିଲେ । ଖବର ପାଇ ଆଜି ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୩ଜଣିଆ ଡାକ୍ତରୀ ଟିମ୍ ଗ୍ରାମରେ ପହଞ୍ଚି ଅସୁସ୍ଥମାନଙ୍କର ଚିକିତ୍ସା କରି ଫେରିଛନ୍ତି । ଅସୁସ୍ଥମାନଙ୍କ ମଧ୍ୟରୁ ଆନେକଙ୍କ ଝାଡ଼ା ଲାଗି ରହିଥିବା କହିଛନ୍ତି । ତେବେ କୌଣସି କାରଣରୁ ଭୋଗ ବିଷାକ୍ତ ହୋଇଥିବା ଅନୁମାନ କରାଯାଉଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡା. ଭାଗିରଥୀ ମୁର୍ମୁ କହିଛନ୍ତି ।
Comments are closed, but trackbacks and pingbacks are open.