ଜଗମୋହନପୁର, (ବି.ବି.ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତର ଡିମିରିମୁଣ୍ଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି । ବିଷ ପିଇ ଗୋଟିଏ ପରିବାରର ଭାଇର ମୃତ୍ୟୁ ଘଟିଥିବାବେଳେ ଭଉଣୀ ମୃତ୍ୟୁ ସହ ସଂଗ୍ରାମ କରୁଛି । ମୃତକ ହେଲେ ଗ୍ରାମର ମାୟାଧର ପ୍ରଧାନଙ୍କ ପୁଅ ଗଗନ ପ୍ରଧାନ(୨୮) ଏବଂ ଗୁରୁତର ହେଲେ ମାୟାଧରଙ୍କ ଝିଅ ଗୀତାଞ୍ଜଳି ପ୍ରଧାନ(୨୫) । ଭାଇ, ଭଉଣୀ ଦୁହେଁ ନିଜ ନିଜ ବୈବାହିକ ଜୀବନରେ ଖୁସି ନଥିଲେ । ତେଣୁ ଏଭଳି ଚରମ ପଦକ୍ଷେପ ନେଇଛନ୍ତି ।
ମାୟାଧର ପ୍ରଧାନ ଡିମିରିମୁଣ୍ଡା ଗ୍ରାମର ନୂଆସାହି ବାସିନ୍ଦା । ପରିବାର କହିଲେ ପତ୍ନୀ ମଞ୍ଜୁଳା , ପୁଅ ଗଗନ ଓ ଝିଅ ଗୀତାଞ୍ଜଳି । ପୁଅ ଗଗନକୁ ପ୍ରାୟ ୬/୭ ବର୍ଷ ପୂର୍ବେ ଦେଉଳଡିହା ପଞ୍ଚାୟତର ଜେନାଦର ଗ୍ରାମରେ ବିବାହ କରି ଘରକୁ ବୋହୂ ଆଣିଥିଲେ । ଝିଅ ଗୀତାଞ୍ଜଳିକୁ ବିମଳା ଗ୍ରାମର ଚାବନ କିସାନ ବିବାହ ଦେଇଥିଲେ । ପୁଅ ଗଗନର ୨ଟି ସନ୍ତାନ ଥିବା ବେଳେ ଝିଅର କୌଣସି ସନ୍ତାନ ସନ୍ତତି ନାହାନ୍ତି । ମାତ୍ର ପାରିବାରିକ କଳହ ଯୋଗୁଁ ବୋହୂ ଦୀର୍ଘ ଦିନ ହେବ ଛୁଆ ପିଲାଙ୍କୁ ଧରି ବାପ ଘର ଜେନାଦରଠାରେ ରହୁଛନ୍ତି । ପାରିବାରିକ କଳହକୁ ନେଇ ବିଭିନ୍ନ ସମୟରେ ଉଭୟ ପରିବାର ତେଲକୋଇ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଏପଟେ ଗୀତାଞ୍ଜଳିଙ୍କ ସନ୍ତାନ ସନ୍ତତି ନହେବାରୁ ସ୍ୱାମୀ ଚାବନ କିସାନ ଦ୍ୱତୀୟ ବିବାହ କରିଥିବା ସୂଚନା ରହିଛି ।
୧୫ ଦିନ ପୂର୍ବେ ଗୀତାଞ୍ଜଳି ଶାଶୂ ଘରୁ ଡିମିରିମୁଣ୍ଡା ବାପାଙ୍କ ଘରକୁ ବୁଲିବାକୁ ଆସିଥିଲା । ତେବେ କୌଣସି କଥାକୁ ନେଇ ମାୟାଧରଙ୍କ ପରିବାରରେ ଝଗଡ଼ା ହୋଇଥିଲା । କଳି ଝଗଡ଼ା ଏତେ ଉଗ୍ର ହୋଇଥିଲା ଯେ, ଭାଇ ଭଉଣୀ ଅତିଷ୍ଠ ହୋଇ ପଡିଥିଲେ । ନିଜ ନିଜ ବୈବାହିକ ଜୀବନରେ ଅଶାନ୍ତି ସହ ପାରିବାରିକ କଳି ସେମାନଙ୍କୁ ନିରାଶ କରିଥିଲା । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ବୁଧବାର ଅପରାହ୍ନରେ ଭାଇ ଭଉଣୀ ବିଷାକ୍ତ ପଦାର୍ଥ ଖାଇ ଦେଇଥିଲେ । ପରିବାର ଲୋକ ସନ୍ଧ୍ୟାରେ ତେଲକୋଇ ମେଡିକାଲକୁ ନେଇଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ହେଲେ ବାଟରେ ଗଗନର ମୃତ୍ୟୁ ହୋଇଥିଲା । ଗୀତାଞ୍ଜଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସଦର ପୁଲିସ୍ ତେଲକୋଇ ପୁଲସକୁ ଘଟଣା ବିଷୟରେ ଜଣାଇବା ପରେ ତେଲକୋଇ ପୁଲିସ୍ ପକ୍ଷରୁ ଏଏସଆଇ କୁମୁଦିନି ପରିଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚ ମୃତଦେହ ଜବତ କରିଛନ୍ତି । ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଗୀତାଞ୍ଜଳିର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଲେ ତଦନ୍ତ ପ୍ରକ୍ରିୟା ବଢିବ ଏବଂ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି ।


Comments are closed, but trackbacks and pingbacks are open.