ପାଟନା/ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିଲା ବେଳେ ଏନ୍ଡିଏକୁ ବହୁମତ ମିଳିବା ସ୍ପଷ୍ଟ ହୋଇଯାଇଛି । କିନ୍ତୁ ଦିନ ତମାମ ମହାମେଣ୍ଟ ଓ ଏନ୍ଡିଏ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ରାଜ୍ୟର ୨୪୩ ଆସନରୁ ରାତି ୧୧ଟା ସୁଦ୍ଧା ୧୮୩ ଆସନର ଫଳାଫଳ ଘୋଷଣା ହୋଇସାରିଛି । ସେଥିରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍ଡିଏ ୯୦ଟି ଆସନ ଜିତିଥିଲା ବେଳେ ୩୪ଟିରେ ଆଗୁଆ ରହିଛି । ଅନ୍ୟପକ୍ଷରେ ତେଜସ୍ୱୀ ଯାଦବଙ୍କ ମହାମେଣ୍ଟ ୮୬ ଆସନ ହାସଲ କରିଛି ଏବଂ ୨୬ଟିରେ ଆଗୁଆ ରହିଛି ।
ଏନ୍ଡିଏ ଜିତିଥିବା ୯୦ ଆସନ ମଧ୍ୟରୁ ବିଜେପିର ୫୧, ଜେଡିୟୁର ୩୨, ଭିଆଇପି ୪ ଓ ହାମ୍ ୩ଟି ଆସନ ରହିଛି । ଅନ୍ୟପକ୍ଷରେ ମହାମେଣ୍ଟ ପ୍ରାର୍ଥୀମାନେ ବିଜୟ ଲାଭ କରିଥିବା ୮୬ ଆସନ ମଧ୍ୟରୁ ଆରଜେଡି ୬୦, କଂଗ୍ରେସ ୧୪ ଓ ବାମଦଳ ୧୨ଟି ଆସନ ହାସଲ କରିଛନ୍ତି । ଅନ୍ୟାନ୍ୟ ଦଳ ଭାବେ ଏଆଇଏମ୍ଆଇଏମ୍ ୪ଟିରେ ବିଜୟୀ ହୋଇଥିଲା ବେଳେ ଗୋଟିଏରେ ଆଗୁଆ ରହିଛି । ବହୁଜନ ସମାଜ ପାର୍ଟି (ବସପା) ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏ ଆସନ ହାସଲ କରିଛନ୍ତି । ତେବେ ଚିରାଗ ପାଶ୍ୱାନଙ୍କ ଏଲ୍ଜେପିକୁ ଗୋଟିଏ ଆସନ ମିଳିଛି ।ା ପ୍ରାୟ ୨୬ଟି ଆସନରେ ଉଭୟ ମେଣ୍ଟର ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ସେଥିରୁ ୨୦ଟି ଆସନରେ ଭୋଟ ବ୍ୟବଧାନ ୧୦୦୦ ରହିଛି ।
ଚଳିତଥର ନିର୍ବାଚନର ଫଳାଫଳ ଘୋଷଣା ବହୁ ବିଳମ୍ବ ହେବ ବୋଲି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏଚ୍ଆର ଶ୍ରୀନିବାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି କୋଭିଡ-୧୯ ମହାମାରୀ ଦୃଷ୍ଟିରୁ ସାମାଜିକ ଦୂରତା ବଜାୟ ରଖିବା ଲାଗି ପୋଲିଂ ଷ୍ଟେସନ ସଂଖ୍ୟା ୪୫ ପ୍ରତିଶତ ବୃଦ୍ଧି କରିବାକୁ ପଡିଛି । ସେହିଭଳି ଗଣତି ଟେବୁଲ ସଂଖ୍ୟା ୧୪ରୁ ୭କୁ ହ୍ରାସ କରାଯାଇଛି । ପୋଷ୍ଟାଲ ବାଲଟ ସଂଖ୍ୟା ମଧ୍ୟ ବଢ଼ିଛି । ତେଣୁ ଭୋଟ ଗଣତି ରାଉଣ୍ଡ ବଢ଼ିଛି । ସେଥିପାଇଁ ତରବରିଆ ଭାବେ ଗଣତି ନକରି ସମୟ ନେବାକୁ ନିର୍ବାଚନ କମିଶନ ଗଣତିରେ ସାମିଲ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ସେପଟେ ଟ୍ରେଣ୍ଡ ଅନୁସାରେ ବିଜେପି ଅଧିକ ଫାଇଦା ମିଳିଛି । ଗତଥର ଅପେକ୍ଷା ଏଥର ଦଳକୁ ଅଧିକ ଆସନ ମିଳିଛି । ଆରଜେଡି ସବୁଠାରୁ ଅଧିକ ଆସନ ପାଇ ଏକକ ସଂଖ୍ୟାଗରିÂ ଦଳରେ ପରିଣତ ହେବାକୁ ଯାଉଥିଲା ବେଳେ ବିଜେପି ଦ୍ୱିତୀୟ ସଂଖ୍ୟାଗରିÂ ଦଳ ହେବାକୁ ଯାଉଛି । ସେଥିପାଇଁ ବିଜେପି କର୍ମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଦଳର ସଫଳତାକୁ ନେଇ ପାଟନା ଓ ଦିଲ୍ଲୀରେ ବିଜେପି କର୍ମୀମାନେ ଉତ୍ସବ ମନାଇଛନ୍ତି । ବିଜେପି ନେତା କୈଳାସ ବିଜୟଭର୍ଗିୟ କହିଛନ୍ତି ଯେ ବିହାରରେ ବିଜେପି ନିଶ୍ଚିତ ବିଜୟୀ ହେବ । ମଧ୍ୟପ୍ରଦେଶରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଛି । ମୋଦିଙ୍କ ଭାବମୂର୍ତ୍ତି ଦଳକୁ ସ୍ପଷ୍ଟ ଜନାଦେଶ ଆଣିଦେଇଛି । ତେବେ ନକାରାତ୍ମକ ପ୍ରଚାର ଜେଡିୟୁକୁ ସାମାନ୍ୟ କ୍ଷତି ପହଞ୍ଚାଇଛି । ନେତୃତ୍ୱ ଓ ସରକାର ଗଠନ ଉପରେ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ପ୍ରକାଶ କରିଛନ୍ତି ।
ଜେଡିୟୁକୁ ଭଲ ଫଳ ମିଳି ନଥିବା ଦଳର ବରିÂ ନେତା କେ.ସି. ତ୍ୟାଗି ସ୍ୱୀକାର କରିଛନ୍ତି । ସେ କହିଛନ୍ତି ତେଜସ୍ୱୀ ଯାଦବଙ୍କ ପାଇଁ ନୁହେଁ, ବରଂ କରୋନା ମହାମାରୀ ଯୋଗୁ ଦଳକୁ କ୍ଷତି ସହିବାକୁ ପଡିଛି । ଏଥିସହ ସେ ଦଳର ଖରାପ ପ୍ରଦର୍ଶନ ପାଇଁ ଏଲ୍ଜେପି ନେତା ଚିରାଗ ପାଶ୍ୱାନଙ୍କୁ ମଧ୍ୟ ଦାୟୀ କରିଛନ୍ତି । କହିଛନ୍ତି ଚିରାଗଙ୍କୁ ପ୍ରଥମରୁ ମେଣ୍ଟରୁ ବିଦା କରିବାର ଥିଲା । କିନ୍ତୁ ତାଙ୍କୁ ଶେଷ ପର୍ଯ୍ୟନ୍ତ ରଖିବା ଯୋଗୁ ଭୋଟ କଟିଲା । ଅନ୍ୟପକ୍ଷରେ ଆହୁରି ଅନେକ ଭୋଟ ଗଣତି ବାକି ଥିବାରୁ ଆର୍ଜେଡି ତାର ନେତା ଓ କର୍ମୀମାନଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଛି । ଦଳର ବରିÂ ନେତା ମଜୋଜ ଝା କହିଛନ୍ତି ଭୋଟ ଗଣତି ଆହୁରି ବହୁତ ବାକି ଅଛି । କିନ୍ତୁ ଜୟ-ପରାଜୟକୁ ନେଇ ବିଭିନ୍ନ ଦଳ ଓ ନେତା ଅନେକ କଥା କହୁଛନ୍ତି । ତାକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ । କେବଳ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜୟ ପ୍ରମାଣପତ୍ର ହାତରେ ଧରିବା ପରେ ପ୍ରତିକ୍ରିୟା ରଖିବାକୁ ସେ ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଇତିମଧ୍ୟରେ ଆରଜେଡି ଓ କଂଗ୍ରେସ ନିର୍ବାଚନ କମିଶନ (ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି । କଂଗ୍ରେସ ନେତା ଅଖିଳେଶ ସିଂହ ଓ ଆରଜେଡି ନେତା ମଜୋଜ ଝାଙ୍କ ନେତୃତ୍ୱରେ ଏକ ଟିମ୍ କମିଶନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭୋଟ ଗଣତିକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି । ଝା କହିଛନ୍ତି ୧୨ରୁ ଅଧିକ ଆସନରେ ଭୋଟ ଟ୍ୟାମ୍ପରିଂ କରାଯାଉଛି । ଶାସକ ଦଳ ଲୋକମତକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ କମିଶନ ମଧ୍ୟ ଚାପରେ କାର୍ଯ୍ୟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କମିଶନ କହିଛନ୍ତି ସେମାନେ କାହା ଚାପରେ କାମ କରୁନାହାନ୍ତି । ଫଳାଫଳ ଘୋଷଣା କରିବା ଲାଗି ନିର୍ବାଚନ ଅଧିକାରୀମାନେ ଦାୟିତ୍ୱର ସହ କାର୍ଯ୍ୟ କରୁଛନ୍ତି ।
ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରାଘୋପୁର ଆସନରେ ଆଗୁଆ ଅଛନ୍ତି । ତେବେ ତାଙ୍କ ବଡଭାଇ ତେଜ ପ୍ରତାପ ଯାଦବ ହାସନପୁର ଆସନରୁ ବିଜୟୀ ହୋଇଛନ୍ତି । ହାମ୍ ନେତା ଜିତନ ରାମ ମାଁଝୀ ଇମାମଗଞ୍ଜ ଆସନରୁ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ବାଙ୍କୀପୁର ଆସନରେ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଲବ ସିହ୍ନା ବିଜେପି ପ୍ରାର୍ଥୀଙ୍କ ଠାରୁ ହାରିଯାଇଛନ୍ତି । ତେବେ ଏଥର ଏକଜିଟ ପୋଲ ଭୁଲ ପ୍ରମାଣିତ ହୋଇଛି । କିଛି ଏକ୍ଜିଟ ପୋଲ ବିହାରରେ ଝୁଲା ସରକାର ହେବ ବୋଲି ଆକଳନ କରିଥିଲାବେଳେ ଅଧିକାଂଶ ମହାମେଣ୍ଟ କ୍ଷମତାସୀନ ହେବ ବୋଲି ଆକଳନ କରିଥିଲା ।
Comments are closed, but trackbacks and pingbacks are open.