ପାଟନା: ବିହାରରେ ଏଥର ଏନ୍ଡିଏ କି ମହାମେଣ୍ଟ ସରକାର ଗଢ଼ିପାରିବ ନାହିଁ । କାହାକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ । ବରଂ ଝୁଲା ସରକାର ଗଠନ ହେବ । ଶନିବାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ଅଧିକାଂଶ ଏକ୍ଜିଟ୍ ପୋଲ୍ (ବୁଥବାହୁଡ଼ା) ରିପୋର୍ଟ ଏଭଳି ଚିତ୍ର ଦେଖାଇଛି ।
ବିହାରରେ ଝୁଲା ବିଧାନସଭା ନେଇ ସି ଭୋଟର-ଏବିପି ଏବଂ ସି ଭୋଟର-ଟାଇମ୍ସ ନାଓ ରିପୋର୍ଟରେ ଦର୍ଶାଯାଇଛି । ଟିଭି-୯ ଭାରତବର୍ଷ ମଧ୍ୟ ସମାନ ଆକଳନ କରିଛି । କିନ୍ତୁ ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇଁ ଇଣ୍ଡିଆ ଏବଂ ଜନ୍ କୀ ବାତ୍-ରିପବ୍ଲିକ୍ ଟିଭି ରାଜ୍ୟରେ ମହାମେଣ୍ଟ ସରକାର ଗଢ଼ିବ ବୋଲି କହିଥିବା ବେଳେ ଭାସ୍କର ସର୍ଭେ ଏନ୍ଡିଏ ସରକାର ଗଢ଼ିବ ବୋଲି ଦାବି କରିଛି । ଏଭଳି ସ୍ଥିତିରେ ଏନ୍ଡିଏ ଏବଂ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ । କିନ୍ତୁ ଆସନ୍ତା ୧୦ ତାରିଖରେ ଭୋଟ ଗଣତି ପରେ କିଏ ସରକାର ଗଠନ କରିବ ତାହା ସ୍ପଷ୍ଟ ହେବ ।
ସି-ଭୋଟର ଏବିପି ଏକ୍ଜିଟ୍ ପୋଲ୍ ରିପୋର୍ଟ ଦର୍ଶାଇଛି ଯେ ରାଜ୍ୟ ବିଧାନସଭାର ମୋଟ ୨୪୩ ଆସନ ମଧ୍ୟରୁ ଏନ୍ଡିଏ(ବିଜେପି-ଜେଡିୟୁ)କୁ ୧୦୪ରୁ ୧୨୮ ଆସନ ମିଳିବ । ଆର୍ଜେଡି ନେତୃତ୍ୱାଧୀନ ମହାମେଣ୍ଟ ୧୦୮ରୁ ୧୩୧ଟି ପାଇବ ଓ ଅନ୍ୟ ଦଳକୁ ୪ରୁ ୬ ଆସନ ମିଳିବ । ଲୋକ ଜନଶକ୍ତି ପାର୍ଟି (ଏଲ୍ଜେପି) ୧ରୁ ୩ଟି ଆସନ ପାଇବ ।
ଏନ୍ଡିଏ ୧୧୬ ଏବଂ ମହାମେଣ୍ଟ ୧୨୦ ଆସନ ପାଇବ ବୋଲି ସି ଭୋଟର-ଟାଇମ୍ସ ନାଓ କହିଛି । ସେହିଭଳି ଏଲ୍ଜେପି ୧ଟି ପାଇବାକୁ ଥିବା ବେଳେ ଅନ୍ୟ ଦଳଗୁଡ଼ିକ ୬ଟି ଆସନ ହାତେଇବେ । ଅନ୍ୟପକ୍ଷରେ ଜନ୍ କୀ ବାତ୍-ରିପବ୍ଲିକ୍ ଟିଭିର ଏକ୍ଜିଟ୍ ପୋଲ୍ ଦର୍ଶାଇଛି ଯେ ଏନ୍ଡିଏକୁ ୯୧ରୁ ୧୧୭ ଆସନ ମିଳିବ । ମହାମେଣ୍ଟ ୧୧୮ରୁ ୧୩୮ ହାତେଇବ । ଏଲ୍ଜେପି ୫ରୁ ୮ ଏବଂ ଅନ୍ୟ ଦଳଙ୍କୁ ୩ରୁ ୬ ଆସନ ମିଳିପାରେ ।
ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇଁ ଇଣ୍ଡିଆ ଏକ୍ଜିଟ୍ ପୋଲ୍ ମହାମେଣ୍ଟ ଜିତିବା ନେଇ ଦୃଢେ଼ାକ୍ତି ପ୍ରକାଶ କରିଛି । ଏହା ଦର୍ଶାଇଛି ଯେ ମହାମେଣ୍ଟକୁ ଏଥର ୧୩୯-୧୬୧ ଆସନ ମିଳିବ । ଅନ୍ୟପକ୍ଷରେ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ୍ଡିଏ ମାତ୍ର ୬୯-୯୧ ଆସନ ହାସଲ କରିବ । ଏଲ୍ଜେପି ୩-୫ ଏବଂ ଅନ୍ୟ ଦଳଗୁଡ଼ିକ ୬-୮ ଆସନ ପାଇବା ନେଇ ଏହା କହିଛି । ଆଜ୍ ତକ୍-ଏକ୍ସିସ୍ ମାଇଁ ଇଣ୍ଡିଆ ମଧ୍ୟ ସମାନ ଆକଳନ କରିଛି । ଟୁଡେଜ୍ ଚାଣକ୍ୟ କହିଛି ମହାମେଣ୍ଟ ଏକାକୀ ୧୮୦ ପାଇବାକୁ ଥିବା ବେଳେ ଏନ୍ଡିଏ ୫୫ରେ ସୀମିତ ରହିବ ।
ଟିଭି-୯ ଭାରତବର୍ଷ ନିଜ ଏକ୍ଜିଟ୍ ପୋଲ୍ ରିପୋର୍ଟରେ ଏନ୍ଡିଏ ୧୧୫ ଓ ମହାମେଣ୍ଟ ୧୨୦ ଆସନ ପାଇବା ନେଇ ଆକଳନ ଲଗାଇଛି । ସେହିଭଳି ଏଲ୍ଜେପିକୁ ୪ଟି ମିଳିବ ବୋଲି ଏହା କହିଛି । ଅନ୍ୟପକ୍ଷରେ ଇଟିଜି ବିହାର ପକ୍ଷରୁ କୁହାଯାଇଛି ଯେ ଏନ୍ଡିଏ ଏବଂ ମହାମେଣ୍ଟ ୧୨୦ ଲେଖାଏଁ ଆସନ ପାଇବାକୁ ଥିବା ବେଳେ ବାକି ୩ଟି ଏଲ୍ଜେପି ଖାତାକୁ ଯିବ । କିନ୍ତୁ ଭାସ୍କର ଏକ୍ଜିଟ୍ ପୋଲ୍ରେ ରାଜ୍ୟରେ ପୁଣି ନୀତୀଶ ସରକାର ଆସିବା ନେଇ ଆକଳନ କରାଯାଇଛି । ଏହା କହିଛି ଯେ ଏନ୍ଡିଏ ଖାତାକୁ ଏଥର ୧୨୦ରୁ ୧୨୭ ଆସନ ଯିବାକୁ ଥିବା ବେଳେ ମହାମେଣ୍ଟକୁ ୭୧-୮୧ ଯିବ । ଏଲ୍ଜେପି ୧୨ରୁ ୨୩ ଆସନ ପାଇବାକୁ ଥିବା ବେଳେ ଅନ୍ୟ ଦଳ ଖାତାକୁ ୧୯ରୁ ୨୭ଟି ଯିବ । ନୁ୍ୟଜ୍ଏକ୍ସ-ଡିଭି ରିସର୍ଚ୍ଚ ରିପୋର୍ଟ ମୁତାବକ ଏନ୍ଡିଏକୁ ପାଖାପାଖି ୧୧୦ରୁ ୧୧୭ ଆସନ ମିଳିବାକୁ ଥିବା ବେଳେ ମହାମେଣ୍ଟକୁ ୧୦୮ରୁ ୧୨୩ ମିଳିବ । ଏଲ୍ଜେପି ୪ରୁ ୧୦ ଏବଂ ଅନ୍ୟ ଦଳ ୨୩ ପାଇବେ ।
ଉଲ୍ଲେଖଯୋଗ୍ୟ, ରାଜ୍ୟର ୨୦୧୫ ବିଧାନସଭା ନିର୍ବାଚନରେ ବିଜେପିର ଭୋଟ ଭାଗ ସର୍ବାଧିକ ୨୫ଧ ଥିଲା । କିନ୍ତୁ ଏହା ୫୩ ଆସନ ହାତେଇଥିଲା । ୨୦୧୦ ତୁଳନାରେ ବିଜେପିର ଭୋଟ ଭାଗ ୮ଧ ପର୍ଯ୍ୟନ୍ତ ବଢ଼ିଥିଲା । କିନ୍ତୁ ଆସନ ସଂଖ୍ୟା ଖସିଥିଲା । ୨୦୧୦ରେ ବିଜେପି ୧୬.୫ଧ ଭୋଟ ଭାଗ ସହ ୯୧ ଆସନ ଅକ୍ତିଆର କରିଥିଲା । ସେହିଭଳି ମହାମେଣ୍ଟ ସହ ଲଢ଼ିଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ଭୋଟ ଭାଗ ୧୭.୩ଧ ଥିଲା ବେଳେ ଦଳ ୭୧ ଆସନ ପାଇଥିଲା । ୧୮.୮ଧ ଭୋଟ୍ ପାଇଥିବା ରାଷ୍ଟ୍ରୀୟ ଜନତା ଦଳ (ଆର୍ଜେଡି)କୁ ୮୧ ଆସନ ମିଳିଥିଲା । ତେବେ ବିହାର ବିଧାନସଭାରେ ଏବେ ଏନ୍ଡିଏ ନିକଟରେ ୧୩୦ ଆସନ ରହିଛି । ବହୁମତ ୧୨୨ ଠାରୁ ଏହା ୮ ଅଧିକ । ଜେଡିୟୁ ପାଖରେ ୬୯ ଆସନ ଥିବା ବେଳେ ବିଜେପି ପାଖରେ ୫୪ ରହିଛି ।
Comments are closed, but trackbacks and pingbacks are open.