ଚୌଦ୍ୱାର,(ବି.ବି.ନୁ୍ୟଜ୍): ନକଲି ସୁନା ଇଟା ଦେଇ ପାଞ୍ଚ ଲକ୍ଷ ଟଙ୍କା ଠକି ନେଇଥିବା ଏକ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଚୌଦ୍ୱାର ଥାନା ପୁଲିସ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବିଟେକ୍ ଛାତ୍ର ହୋଇଥିବା ବେଳେ ଅନ୍ୟଜଣେ ଗୁପ୍ଚୁପ୍ ବେପାରୀ ବୋଲି ପୁଲିସ କହିଛି । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।
ସୁଜିତ୍ ମହାରଣା ନାମକ ଜଣେ ସୁନା ଅଳଙ୍କାର କାରିଗରଙ୍କ ଅଭିଯୋଗ କ୍ରମେ ପୁଲିସ ଓଟିଏମ୍ କଲୋନି ୮ ନମ୍ବର ୱାର୍ଡରେ ରହୁଥିବା ଗୁପ୍ଚୁପ୍ ବେପାରୀ ସଂଗ୍ରାମ ମହନ୍ତ (୩୫) ଓ ଚୌଦ୍ୱାର ତଳବଜାର ଅଞ୍ଚଳର ସିତୁ ଓରଫ ବିଜୟ ବେହେରା (୨୨)କୁ ଗିରଫ କରିଛି । ସଂଗ୍ରାମର ଘର ବିହାର ସମସ୍ତିପୁର ଜିଲ୍ଲା ଏରୁଟ୍ ଗ୍ରାମରେ । ସେ ଚୌଦ୍ୱାର ଗାନ୍ଧିଛକ ବିଜୁ ପଟ୍ଟନାୟକ ମାର୍କେଟ କଂପ୍ଲେକ୍ସରେ ଗୁପଚୁପ ବିକେ । ଅନ୍ୟପକ୍ଷରେ ଗିରଫ ସିତୁ ଓରଫ୍ ବିଜୟ ବେହେରା ଜଣେ ବିଟେକ୍ ଛାତ୍ର । ଦୁଇ ଅଭିଯୁକ୍ତଙ୍କଠାରୁ ନକଲି ସୁନା ଇଟା, ଏକ ଲକ୍ଷ ୪୫ ହଜାର ଟଙ୍କା ଓ ଦୁଇଟି ମୋବାଇଲ୍ ଜବତ କରିଛି ।
ପୁଲିସର ସୂଚନା ଅନୁସାରେ, ବିହାରର ବାସିନ୍ଦା ଗୁପଚୁପ୍ ବେପାରି ସଂଗ୍ରାମ ମହନ୍ତ, ଚୌଦ୍ୱାରର ବିଜୟ ବେହେରାଙ୍କ ସହ ଛୋଟୁ ଏବଂ ଅନ୍ୟଜଣେ ଯୁବକ ନକଲି ସୁନାକୁ ଅସଲି କହି କମଦାମରେ ବିକ୍ରି କରିବା ଆଳରେ ଠକେଇ କରିବାକୁ ଯୋଜନା କରିଥିଲେ । ସେମାନେ ଚୌଦ୍ୱାର ନବଗ୍ରହ ସାହିର ସୁଜିତ୍ କୁମାର ମହାରଣାଙ୍କୁ ନିଜ ଜାଲରେ ଫସାଇଥିଲେ । ସୁଜିତ୍ କଟକରେ ଏକ ସୁନା ଅଳଙ୍କାର କାରଖାନାରେ କାରିଗର ଭାବେ କାମ କରନ୍ତି । ଶସ୍ତାରେ ସୁନା ଯୋଗାଇ ଦେବାକୁ କହି ସେମାନେ ବାରମ୍ବାର ସୁଜିତ୍ଙ୍କୁ ପ୍ରଲୋଭିତ କରିଥିଲେ । ମାସେ ଧରି ଏଭଳି ଲୋଭ ଦେଖାଇବା ପରେ ବିକ୍ରି ହେବାକୁ ଥିବା ସୁନା ଯାଞ୍ଚ୍ କରିବା ପାଇଁ ଅସଲି ସୁନା ଇଟାରୁ ଅଳ୍ପ ଟିକେ ଦେଇଥିଲେ । ଏହାକୁ ସୁଜିତ୍ ଏହାକୁ କଟକ ଆଣି ଯାଞ୍ଚ୍ କରିବାରୁ ତାହା ଅସଲି ବୋଲି ଜଣାପଡିଥିଲା । ଫଳରେ ସୁଜିତ୍ ସେମାନଙ୍କ ଜାଲରେ ଫସି ଯାଇଥିଲେ । ପରେ ଏହି ସୁନା ଇଟା କିଣିବାକୁ ସୁଜିତ୍ ରାଜି ହୋଇଯାଇଥିଲେ । ସେହି ଅନୁସାରେ ଗତ ୨୬ ତାରିଖ ଦିନ ପ୍ରାୟ ସାଢେ ୧ଟା ସମୟରେ ସିତୁ, ସଂଗ୍ରାମ, ଛୋଟୁ ଓ ଅନ୍ୟ ଜଣେ ଯୁବକ ସୁଜିତଙ୍କ ସହ ମୂଲଚାଲ କରିଥିଲେ । ପରେ ୯ଶହ ଗ୍ରାମ୍ର ନକଲି ସୁନା ଇଟା ଦେଇ ୫ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ । ସୁଜିତ କିଣିଥିବା ସୁନା ଇଟାକୁ ଯାଞ୍ଚ୍ କରିବା ପରେ ତାହା ତମ୍ବା ଇଟା ବୋଲି ଜଣା ପଡିଥିଲା ।


Comments are closed, but trackbacks and pingbacks are open.