ବୀରଚକ୍ରରେ ସମ୍ମାନିତ ହେବେ ଅଭିନନ୍ଦନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ବେଳେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଧ୍ୱଂସ କରିଦେଇଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ମିଳିବ ବୀରଚକ୍ର ପୁରସ୍କାର । ସେହିଭଳି ୨୦୧୮ ନଭେମ୍ବରରେ ଜମ୍ମୁ-କାଶ୍ମୀରର କୁଲଗାମ୍ରେ ଆତଙ୍କବାଦୀଙ୍କ ସହ ଲଢ଼ି ପ୍ରାଣବଳି ଦେଇଥିବା ପ୍ରକାଶ ଯାଦବ ଓ ସିଆରପିଏଫ୍ ଡେପ୍ୟୁଟି କମାଣ୍ଡାଣ୍ଟ ହର୍ଷପାଲ ସିଂହଙ୍କୁ କୀର୍ତ୍ତିଚକ୍ର ମିଳିବ । ୧୪ ଜଣଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯିବ । ଗୁରୁବାର ସ୍ୱାଧୀନତା ଦିବସ ଅବସରରେ ଏମାନେ ସମ୍ମାନିତ ହେବେ ।
ଅଭିନନ୍ଦନଙ୍କୁ ମିଶାଇ ମୋଟ ୧୨୦ ପ୍ରତିରକ୍ଷା କର୍ମଚାରୀ ସମ୍ମାନିତ ହେବେ । ଏମାନଙ୍କ ମଧ୍ୟରୁ ୯୮ ଜଣଙ୍କୁ ସେନା ପଦକ ପ୍ରଦାନ କରାଯିବ । ଅଭିନନ୍ଦନ ପାକିସ୍ତାନ ସେନା ହାତରେ ଧରାପଡ଼ିବା ପରେ ଯେଉଁଭଳି ଧେର୍ଯ୍ୟ ଓ ସାହସର ପ୍ରମାଣ ଦେଲେ, ସେଥିପାଇଁ ତାଙ୍କୁ ବୀରଚକ୍ର ପୁରସ୍କାର ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଛି । ପରମ ବୀର ଚକ୍ର ଓ ମହାବୀର ଚକ୍ର ପରେ ବୀରଚକ୍ରକୁ ପ୍ରତିରକ୍ଷା କ୍ଷେତ୍ରର ତୃତୀୟ ସର୍ବୋଚ୍ଚ ସମ୍ମାନ ବୋଲି ବିବେଚନା କରାଯାଉଛି ।
ଏହାବ୍ୟତୀତ ପାକିସ୍ତାନ ସୀମା ଡେଇଁ ବାଲାକୋଟ୍ରେ ବୋମା ବର୍ଷା କରି ଜୈସ-ଏ-ମହମ୍ମଦର ମୁଖ୍ୟ ଆଡ୍ଡାକୁ ଧୂଳିସାତ୍ କରିଦେଇଥିବା ୫ ଜଣ ବାୟୁସେନା ପାଇଲଟ୍ଙ୍କୁ ବାୟୁସେନା ପଦକ (ବୀରତା) ପ୍ରଦାନ କରାଯିବ । ଏମାନେ ହେଲେ ୱିଙ୍ଗ କମାଣ୍ଡର ଏଏମ୍ଟି ରଞ୍ଜନ, ସ୍କ୍ୱାଡ୍ରନ୍ ଲିଡର ଆର ବସୋୟା, ପି ଏ ଭୁଜାଡ଼େ, ବି କେ ଏନ୍ ରେଡ୍ଡୀ ଏବଂ ଶଶାଙ୍କ ସିଂହ । ପାକିସ୍ତାନର ଖାଇବର-ପଖତୁନଖ୍ୱା ପ୍ରଦେଶରେ ଏମାନେ ଭୋର୍ ସମୟରେ ବୋମା ମାଡ଼ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଫେବ୍ରୁଆରୀ ୧୪ର ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏମାନେ ଯୋଜନାବଦ୍ଧ ଭାବେ ମିରେଜ୍-୨୦୦୦ ଯୁଦ୍ଧ ବିମାନରେ ଯାଇ ବାଲାକୋଟ୍ରେ ଏୟାରଷ୍ଟ୍ରାଇକ୍ କରିଥିଲେ ।
ପାକ୍ର ଏଫ୍-୧୬ ଯୁଦ୍ଧ ବିମାନକୁ ଖସାଇବାରେ ଅଭିନନ୍ଦନଙ୍କୁ ସହାୟତା କରିଥିବା ସ୍କ୍ୱାଡ୍ରନ୍ ଲିଡର ମିଣ୍ଟି ଅଗ୍ରୱାଲ୍ଙ୍କୁ ଯୁଦ୍ଧସେବା ପଦକ ପ୍ରଦାନ କରାଯିବ । କଣ୍ଟ୍ରୋଲ ରୁମ୍ରେ ରହି ମିଣ୍ଟି ଅଭିନନ୍ଦନଙ୍କୁ ଯେଉଁଭଳି ଭାବେ ମାର୍ଗଦର୍ଶନ କଲେ, ସେଥିପାଇଁ ତାଙ୍କୁ ସମ୍ମାନିତ କରାଯିବ । ଫେବ୍ରୁଆରୀ ୨୭ରେ ପାକ୍ ବାୟୁସେନା ସହ ଅଭିନନ୍ଦନ ମୁକାବିଲା କରୁଥିବା ବେଳେ ମିଣ୍ଟି ତାଙ୍କୁ ବାଟ ଦେଖାଇଥିଲେ ।
୩୫ ବର୍ଷୀୟ ୱିଙ୍ଗ୍ କମାଣ୍ଡର ଏକ ମିଗ୍-୨୧ ବାଇସନ୍ ଯୁଦ୍ଧ ବିମାନ ଉଡ଼ାଉଥିଲେ । ଏହି ସମୟରେ ପାକିସ୍ତାନର ଶକ୍ତିଶାଳୀ ଏଫ୍-୧୬ ଯୁଦ୍ଧ ବିମାନ ସହ ତାଙ୍କର ମୁହାଁମୁହିଁ ହୋଇଥିଲା । ବର୍ଦ୍ଧମାନ ଏହାକୁ ମିସାଇଲ ମାଡ଼ କରି ଖସାଇ ଦେଇଥିଲେ । ଏହି ସମୟରେ ତାଙ୍କ ବିମାନରେ ପାକିସ୍ତାନ ମିସାଇଲ ମାଡ଼ କରିଥିଲା । ବାଧ୍ୟହୋଇ ସେ ବିମାନରୁ ଡେଇଁ ପଡ଼ିଥିଲେ । ପାକ୍ ସୀମା ମଧ୍ୟରେ ଖସିପଡ଼ିବାରୁ ତାଙ୍କୁ ପାକ୍ ସେନା ବନ୍ଦୀ କରିନେଇଥିଲା । ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରାଯାଇଥିଲା । ଏମିତି କି ଶାରୀରିକ ନିର୍ଯାତନା ଦିଆଯାଇ ବାୟୁସେନା ବାବଦରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କହିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା । କିନ୍ତୁ ସେ ତିଳେମାତ୍ର ଜୀବନକୁ ଖାତିର ନ କରି ମାତୃଭୂମିର ସୁରକ୍ଷା ପାଇଁ ଗୋଟିଏ ହେଲେ ତଥ୍ୟ ଓଗାଳି ନଥିଲେ । ମାର୍ଚ୍ଚ ୧ରେ ବାୟୁସେନା ହିରୋ ଅଭିନନ୍ଦନ ମୁକ୍ତ ହୋଇ ଭାରତ ଫେରିଥିଲେ ।
ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଫେବ୍ରୁଆରୀ ୧୪ରେ ଜମ୍ମୁ-କାଶ୍ମୀରର ପୁଲୱାମାଠାରେ ଜୈସ-ଏ-ମହମ୍ମଦ (ଜେଇଏମ୍) ଆତଙ୍କବାଦୀ ଆତ୍ମଘାତୀ ଆକ୍ରମଣ ଘଟାଇଥିଲେ । ଫଳରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହାର ପ୍ରତିଶୋଧ ନେବା ପାଇଁ ବାୟୁସେନା ରଣନୀତି ପ୍ରସ୍ତୁତ କରିଥିଲା । ଫେବ୍ରୁଆରୀ ୨୬ରେ ବାୟୁସେନା ପାକିସ୍ତାନ ଡେଇଁ ଆକ୍ରମଣ କରିଥିଲା । କିନ୍ତୁ ଏ ନେଇ ପାକ୍ ସେନାକୁ କିଛି ବି ଖବର ନଥିଲା ।
ପ୍ରତିରକ୍ଷା ବିଭାଗ ସୂତ୍ର ମୁତାବକ, ଏୟାର କମୋଡର ଏସ୍ କେ ବିଧାତେ, ଗ୍ରୁପ୍ କ୍ୟାପ୍ଟେନ୍ ୱାଇ ଏସ୍ ନେଗି, ହେମନ୍ତ କୁମାର ଏବଂ ହଂସେଲ ସିକ୍ୱେରିଆଙ୍କୁ ଯୁଦ୍ଧସେବା ପଦକ ପ୍ରଦାନ କରାଯିବ । ସେନାର ୧୫ ଜଣ ଯବାନଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ । ଏହାବାଦ୍ ୨୦୧୬ ସର୍ଜିକାଲ୍ ଷ୍ଟ୍ରାଇକ୍ରେ ଭାଗନେଇ ସହିଦ ହୋଇଥିବା ଲାନ୍ସ ନାଏକ ସନ୍ଦୀପ ସିଂହଙ୍କୁ ଶୌର୍ଯ୍ୟଚକ୍ର (ମରଣୋତ୍ତର) ସମ୍ମାନରେ ସମ୍ମାନିତ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons