ବୁଡ଼ିଯାଇ ୨ ଭାଇଙ୍କ ମୃତୁ୍ୟ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ): କେନ୍ଦୁଝର ଝୁମ୍ପୁରା ଥାନା ଅର୍ଶଳା ଗାଁରେ ଶୁକ୍ରବାର ଘଟିଛି ଅଭାବନୀୟ ଘଟଣା । ଶୁକ୍ରବାର ସନ୍ଧ୍ୟାରେ ଗାଁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ଅର୍ଶଳା ମୁସଲିମ ସାହିର ମହମ୍ମଦ ଆନସାରଙ୍କ ୨ ପୁଅ ମହମ୍ମଦ ଆକ୍ରମ(୧୩) ଏବଂ ମହମ୍ମଦ ଅରହମ(୧୧)ଙ୍କ ବୁଡ଼ି ଯାଇ ମୃତୁ୍ୟ ଘଟିଛି । ଏହି ଘଟଣା ପରେ ମୁସଲିମ ସାହିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ଦିନବେଳା ଗରମ ଅନୁଭୂତ ହେଉଥିବାରୁ ସନ୍ଧ୍ୟାରେ ଗାଁ ନିକଟସ୍ଥ ବଡ଼ଭକ୍ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ୨ ଭାଇ ଆକ୍ରମ୍ ଓ ଆରହମ୍ । ପୋଖରୀରେ ଗାଧୋଇବା ସମୟରେ କୌଣସି କାରଣରୁ ଗୋଡ଼ ଖସି ବୁଡ଼ି ପାଣିରେ ବୁଡ଼ି ଯାଇଥିଲେ ୨ ଭାଇ । ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ସେମାନଙ୍କ ମା’ ଦିଲଖୁସ ଅଞ୍ଜୁମ ତଥା ପରିବାର ଲୋକେ ସେମାନଙ୍କୁ ଖୋଜାଖୋଜି କରୁଥିଲେ । ପୋଖରୀ ହୁଡ଼ାରେ ୨ ଭାଇଙ୍କ ଜାମା ପଟା ରଖା ହୋଇଥିବା ସ୍ଥାନୀୟ ଲୋକେ ଦେଖି ପୋଖରୀ ପାଣି ଭିତରେ ଖୋଜା ଖୋଜି କରିବା ପରେ ପାଣି ଭିତରେ ୨ଭାଇଙ୍କ ଶରୀର ଠାବ କରିଥିଲେ ଏବଂ ପାଣି ଭିତରୁ ଉଦ୍ଧାର କରି ଝୁମ୍ପୁରା ଡାକ୍ତରଖାନାକୁ ପଠାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କର ମୃତୁ୍ୟ ଘୋଷଣା କରିଛନ୍ତି । ଖବରପାଇ ଝୁମ୍ପୁରା ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଝୁମ୍ପୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏ ସମ୍ପର୍କରେ ଝୁମ୍ପୁରା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।
ଆକ୍ରମ ଓ ଅରହମ୍ଙ୍କ ବାପା ମହମ୍ମଦ ଆନସାର ହାଇଦ୍ରାବାଦରେ କାମ କରନ୍ତି । ୨ ପୁଅଙ୍କ ଅକାଳ ମୃତୁ୍ୟରେ ମା’ ଦିଲଖୁସ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ଅର୍ଶଳା ମୁସଲିମ ସାହିରେ ଶୋକର ଛାୟା ଖେଳି ଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons