
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୟାସ୍- ଅତି ଭୀଷଣ ବାତ୍ୟା ରୂପରେ ମାଡ଼ ହେବ ବାଲେଶ୍ୱର ସଦର ଉପକୂଳ ପାଖରେ । ବୁଧବାର ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ଛୁଇଁବ । ସେତେବେଳେ ୧୫୫ରୁ ୧୬୫ କିଲୋମିଟର ବେଗରେ ମାଡ଼ ହେବ ପବନ । ମଝିରେ ମଝିରେ ୧୮୫ କିମି ବେଗରେ ପବନ ମାଡ଼ କରି ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳକୁ ମୋଡ଼ି ମକଚି ଦେବ ୟାସ୍ । ମଙ୍ଗଳବାର ବିଳମ୍ବିତ ରାତିରୁ ପ୍ରକୋପ ବଢ଼ାଇ ଚାଲିବ । ବୁଧବାର ସକାଳୁ ଚଳାଇବ ତାଣ୍ଡବ । ଭୟାନକ ପବନ ମାଡ଼ରେ କ୍ଷତାକ୍ତ କରିଦେବ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ । ମୟୂରଭଞ୍ଜ ବି ବାଦ୍ ପଡ଼ିବନି ୟାସ୍ ପ୍ରକୋପରୁ ।
ୟାସ୍ର ସମ୍ଭାବ୍ୟ ଗତିପଥ, ସ୍ଥିତି ଏବଂ ପବନର ବେଗ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ବାରମ୍ବାର ବଦଳାଉଛି ଆକଳନ । ପ୍ରଥମେ ଅନୁମାନ କରାଯାଉଥିଲା, ସ୍ଥଳଭାଗ ଛୁଇଁବାବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହେବ । ମାତ୍ର ଆଇଏମଡିର ତାଜା ଆକଳନରୁ ଜଣାପଡ଼ୁଛି, ବୁଧବାର ସକାଳୁ ରାତି ତମାମ ତାଣ୍ଡବ କରିବ ୟାସ୍ ।
ଅକ୍ଷାଂଶ ଓ ଦ୍ରାଘିମା ସ୍ଥିତି ସହ ଆଇଏମ୍ଡି ଦେଇଥିବା ଆକଳନ କହୁଛି, ସମ୍ଭବତଃ ୟାସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବୁଧବାର ମଧ୍ୟାହ୍ନ ପୂର୍ବରୁ ବାଲେଶ୍ୱର ସଦର ଉପକୂଳ ପାଖାପାଖି ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ ବହୁଥିବ ୧୫୫-୧୮୫ କିମି ବେଗରେ । ବାଲେଶ୍ୱର ସଦର, ଚାନ୍ଦିପୁର, ସୋର, ଇଞ୍ଚୁଡ଼ି ଓ ସହରରେ ପ୍ରଚଣ୍ଡ ପ୍ରଭାବ ଦେଖାଇବ ୟାସ୍ । ଦିନ ତମାମ ପୂରା ତୀବ୍ର ବେଗରେ ପ୍ରଳୟ ଭିଆଇବ । କଚ୍ଚା ଘର, ଆଜବେଷ୍ଟସ ଘର, ଚାଳ ଛପର, ଦୁର୍ବଳ କୋଠାବାଡ଼ିକୁ ମାଟିରେ ମିଶାଇ ଦେଇପାରେ । ବଡ଼ବଡ଼ ଗଛ, ବିଜୁଳି ଖୁଣ୍ଟକୁ ମୋଡ଼ି ଭାଙ୍ଗି ରାସ୍ତାରେ ଗଡ଼ାଇ ଦେବ । ବିଗାଡ଼ି ଦେଇପାରେ ବାଲେଶ୍ୱରର ଚେହେରା । ହେଲେ ଏହା ପୂର୍ବରୁ କେନ୍ଦ୍ରାପଡ଼ା ଓ ଭଦ୍ରକକୁ ଏମିତି ଘଷି ହୋଇଯିବ, ବ୍ୟାପକ କ୍ଷତି ଭିଆଇବ ।
ମଙ୍ଗଳବାର ସନ୍ଧ୍ୟା ୫.୩୦ରେ ୟାସ୍ ଅତି ଭୀଷଣ ବାତ୍ୟା ରୂପରେ ସମୁଦ୍ରରେ ମାଡ଼ି ଆସୁଥିବ । ପୁରୀ ଉପକୂଳର ସାମନ୍ତରାଳରେ ଥିବ, ପ୍ରାୟ ୧୩୦ କିମି ଦୂରରେ । ହେଲେ ୨୬ ତାରିଖ (ବୁଧବାର) ଭୋର ସାଢେ଼ ୫ଟାବେଳେ ଏହା କେନ୍ଦ୍ରାପଡ଼ାର କନିକା ଦ୍ୱୀପ ପାଖାପାଖି ପହଞ୍ଚିଯାଇଥିବ । କନିକା ଦ୍ୱୀପରୁ ଦୂରତା ଥିବ ମାତ୍ର ୫୦ରୁ ୫୧ କିଲୋମିଟର । ସେତେବେଳେ ୟାସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ, ତା’ର କେନ୍ଦ୍ରୀୟ ମଣ୍ଡଳ ବହୁଥିବ ୧୫୫-୧୮୫ କିମି ପବନ । ଏହି କେନ୍ଦ୍ରୀୟ ମଣ୍ଡଳରେ ପଡ଼ିଯିବ ଉଭୟ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳର ବ୍ୟାପକ ଅଞ୍ଚଳ ।
କେନ୍ଦ୍ରାପଡ଼ାର ଅବସ୍ଥିତି ଯାହା, ଜିଲ୍ଲାର ବ୍ୟାପକ ଅଞ୍ଚଳରେ ତାଣ୍ଡବ ଦେଖାଇବ ୟାସ୍ । ଭିତରକନିକା ଅଞ୍ଚଳ ଛିନଛତ୍ର ହୋଇପାରେ ଅତି ଭୀଷଣ ପବନ ମାଡ଼ରେ । ରାଜକନିକା, ଆଳି ପର୍ଯ୍ୟନ୍ତ ବ୍ୟାପକ କ୍ଷୟକ୍ଷତି ହୋଇପାରେ ।
ଭଦ୍ରକ ଉପକୂଳ ଅଞ୍ଚଳରେ ମଧ୍ୟ ପ୍ରଚଣ୍ଡ ପ୍ରଭାବ ପଡ଼ିବ । ଚାନ୍ଦବାଲି, ବାସୁଦେବପୁର, ଧାମରା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରୁ ବୁଧବାର ସକାଳ ପର୍ଯ୍ୟନ୍ତ ପ୍ରବଳ ପ୍ରକୋପ ଦେଖାଇବ ବାତ୍ୟା । ତା’ ପରେ ପ୍ରକୋପ ସାମାନ୍ୟ କମିଲେ ବି ଥମିବନି ।
ବାଲେଶ୍ୱରରେ ପ୍ରଳୟ ଭିଆଇବା ସହ ମୟୂରଭଞ୍ଜକୁ ପଶିବ ୟାସ୍ । ବୁଧବାର ସନ୍ଧ୍ୟା ସାଢେ଼ ୫ଟାବେଳେ ମୟୂରଭଞ୍ଜ ଉପରେ ଥିବ । ପବନ ଥିବ ୧୨୫-୧୩୫ ବେଗରେ । ପବନ ଧକ୍କା ମାରୁଥିବ ୧୫୦ କିମି ବେଗରେ । ଏଥିରୁ ଅନୁମାନ କରାଯାଇପାରେ କିଭଳି ଭୟଙ୍କର ହେବ ପରିସ୍ଥିତି । ୨୭ ତାରିଖ ସକାଳ ସାଢେ଼ ୫ଟାବେଳକୁ ବାତ୍ୟା ପ୍ରକୋପ ଖସିବ । ଏହା ମୟୂରଭଞ୍ଜ ହୋଇ ଝାଡ଼ଖଣ୍ଡକୁ ଯିବ ।
ସୋମବାର ସକାଳ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଜନ୍ମ ନେଇସାରିଛି ବାତ୍ୟା ‘ୟାସ୍’ । ସୋମବାର ରାତି ସାଢେ଼ ୮ଟାବେଳେ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୪୨୦ କିମି, ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣ ପୂର୍ବରେ ୫୧୦ କିମି ଏବଂ ଦୀଘାଠାରୁ ୫୦୦ କିମି ଦୂରରେ ଥିଲା । କ୍ରମଶଃ ବେଗ ବଢ଼ାଉଛି ୟାସ୍ । ଘଣ୍ଟା ପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମକୁ ଗତି କରୁଥିଲା । ରାତି ଭିତରେ ଏହା ଭୀଷଣ ବାତ୍ୟା (ସିଭିୟର ସାଇକ୍ଲୋନ) ରୂପ ନେଇଯିବ । ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ଆହୁରି ଶକ୍ତିଶାଳୀ ହୋଇ ପାଲଟିଯିବ ଅତି ଭୀଷଣ (ଭେରି ସିଭିୟର) ବାତ୍ୟା ।
ଆଇଏମ୍ଡି ଆକଳନ କହୁଛି, ବୁଧବାର (୨୬) ତାରିଖ ସକାଳ ବେଳକୁ ଏହା ଉତ୍ତର ଓଡ଼ିଶା ଉପକୂଳ ଏବଂ ପଶ୍ଚିମବଙ୍ଗ ଉପକୂଳ ପାଖରେ ଥିବ । ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ପାଖାପାଖି ସ୍ଥଳଭାଗ ଅତିକ୍ରମ କରିପାରେ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ବିଭିନ୍ନ ମଡେଲ ଆକଳନରୁ ଜଣାପଡ଼ୁଛି, ୟାସ୍ ଭଦ୍ରକର ଚାନ୍ଦବାଲି ଓ ବାଲେଶ୍ୱରର ଇଞ୍ଚୁଡ଼ି ମଧ୍ୟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ଏହା ପ୍ରଭାବ ସମଗ୍ର ଉପକୂଳ ଓଡ଼ିଶା ଓ ସଂଲଗ୍ନ କେନ୍ଦ୍ରୀୟ ଏବଂ ପଶ୍ଚିମ ଅଞ୍ଚଳରେ ପଡ଼ିପାରେ । ଅନେକ ଜିଲ୍ଲାରେ ସମୁଦାୟ ୨୦୦ରୁ ୩୦୦ ମିଲିମିଟର ବର୍ଷା ହୋଇପାରେ । ପବନ ବେଗ ୧୬୦ କିମି ଓ ପବନ ଧକ୍କା ୧୮୦ କିମି ପର୍ଯ୍ୟନ୍ତ ରହିପାରେ । କିନ୍ତୁ, ସ୍ଥଳଭାଗ ଛୁଇଁଲାବେଳକୁ ସାମାନ୍ୟ କମିପାରେ । ୨୫ ତାରିଖ (ମଙ୍ଗଳବାର) ମଧ୍ୟାହ୍ନ ପରେ ବାତ୍ୟା ଅଧିକ ଘନୀଭୂତ ହେବ । ୨୫ ସନ୍ଧ୍ୟା ପରେ ଏହାର ଗତି ବେଗ କିଛି କମିପାରେ । ବର୍ତ୍ତମାନର ଆକଳନରୁ ଏଭଳି ଅନୁମାନ କରାଯାଉଛି । ତେବେ ଆସନ୍ତାକାଲିକୁ ଏହା ପରିବର୍ତ୍ତନ ମଧ୍ୟ ହୋଇପାରେ ।
ସୋଆ ସିଇସି ନିଦେ୍ର୍ଧଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ୟାସ୍ କେନ୍ଦ୍ରାପଡ଼ାର ରାଜନଗରରୁ ବାଲେଶ୍ୱରର ବାଲିଆପାଳ ମଧ୍ୟରେ ବୁଧବାର ପୂର୍ବାହ୍ନରେ ସ୍ଥଳଭାଗ ଛୁଇଁବ । ସେତେବେଳେ ପବନ କମି ଘଣ୍ଟା ପ୍ରତି ୮୦ରୁ ୧୦୦ କିମି କିମ୍ବା ଅତି ବେଶିରେ ୧୨୦ କିମି ରହିପାରେ । ୟାସ୍ କେନ୍ଦ୍ରାପଡ଼ାର ରାଜନଗର ନିକଟବର୍ତ୍ତୀ ହୋଇ ଚାନ୍ଦବାଲି କିମ୍ବା ଏହାର ପାଖ ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ । ମଙ୍ଗଳବାର ସକାଳୁ ଜଗତସିଂହପୁରରେ ପବନ ବଢ଼ିବ । ୨୬ ଅପରାହ୍ନରୁ କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱରରେ ପବନ ପ୍ରକୋପ ବେଶି ରହିବ । ବର୍ଷା ମଧ୍ୟ ପ୍ରବଳରୁ ପ୍ରବଳତର ହେବା ଆଶଙ୍କା ରହିଛି ।
ତେବେ ଡକ୍ଟର ପଶୁପାଳକ କହିଛନ୍ତି, ୨୫ ସନ୍ଧ୍ୟାରୁ ୨୭ ସକାଳ ଯାଏଁ ପବନର ପ୍ରଭାବ ରହିବ । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ଘଣ୍ଟା ପ୍ରତି ୧୬୦ କିମି ଓ ସର୍ବାଧିକ ୧୮୦ କିମି ବେଗରେ ପବନ ମାଡ଼ ହୋଇପାରେ । ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜରେ ୮୦ରୁ ୧୨୦ କିମି ପର୍ଯ୍ୟନ୍ତ ପବନ ଆଶଙ୍କା ଅଛି ।
ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଖୋର୍ଦ୍ଧା, ପୁରୀ, କଟକ, ଯାଜପୁର ଓ କେନ୍ଦୁଝରରେ ସମୁଦାୟ ୨୦୦ରୁ ୩୫୦ ମିମି ବର୍ଷା ଆଶଙ୍କା ଅଛି । ପୁରୀ, ନୟାଗଡ଼, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ସମୁଦାୟ ୧୫୦ରୁ ୨୦୦ ମିମି ବର୍ଷା ହୋଇପାରେ । ଭୁବନେଶ୍ୱରରେ ହାରାହାରି ୨୦୦ ମିମି ବର୍ଷିପାରେ ୟାସ୍ ।
ଆଜିଠାରୁ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ପାଗ ପରିବର୍ତ୍ତନ ସହ ବର୍ଷା ଆରମ୍ଭ ହୋଇଛି । ୨୫ ତାରିଖ ସକାଳେ ରାଜ୍ୟର ପ୍ରାୟତଃ ସମସ୍ତ ଅଞ୍ଚଳରେ ପାଗ ବଦଳିଯିବ । ୨୫ ରାତିରୁ ୨୭ ମଧ୍ୟାହ୍ନ ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୨୬ ମଧ୍ୟାହ୍ନରୁ ୨୮ ସକାଳ ଯାଏଁ ବର୍ଷା ହୋଇପାରେ । ବାତ୍ୟାର ଗତିପଥ, ସ୍ଥଳଭାଗ ଛୁଇଁବା ସ୍ଥାନ ଓ ସମୟ, ପ୍ରକୋପ, ପବନର ତୀବ୍ରତା ବାବଦରେ ମଙ୍ଗଳବାର ଅଧିକ ସ୍ପଷ୍ଟ ହେବ । ତେବେ ବର୍ଷା ଆକଳନ ପ୍ରାୟତଃ ଅପରିବର୍ତ୍ତିତ ରହିବ ।
ଆଜିଠୁ ବାତ୍ୟା ପ୍ରଭାବ ଉପକୂଳ ଓଡ଼ିଶାରେ ପଡ଼ିଛି । ବିଭିନ୍ନ ସ୍ଥାନରେ ହାଲୁକା ପବନ ସହ ଝିପିଝିପି ବର୍ଷା ଓ ଅସରାଏ ଲେଖାଏଁ ବର୍ଷା ଚାଲିଛି । ଆଇଏମଡି କହିଛି, ୨୫ ତାରିଖରେ କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୬୫ରୁ ୭୫ କିମି ପବନ ଓ ପବନ ଧକ୍କା ୮୫ କିମି ହୋଇପାରେ । ଭଦ୍ରକ, ବାଲେଶ୍ୱର, ପୁରୀରେ ୫୫ରୁ ୬୫ କିମି, ବେଳେବେଳେ ୭୫ କିମି ହୋଇପାରେ । କଟକ, ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର, ମୟୂରଭଞ୍ଜରେ ୪୦ରୁ ୫୦ ଓ ସର୍ବାଧିକ ୬୦ କିମି ପବନ ହେବ ।
୨୬ (ବୁଧବାର) ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ୧୫୦ରୁ ୧୬୦ କିମି ଓ ପବନ ଧକ୍କା ୧୮୦ କିମି ଛୁଇଁପାରେ । ମୟୂରଭଞ୍ଜରେ ୧୨୦ରୁ ୧୫୦ କିମି ପବନ ହୋଇପାରେ । ଯାଜପୁର, କଟକ, ପୁରୀରେ ୭୦ରୁ ୯୦ କିମି ପବନ ହେବ । ଖୋର୍ଦ୍ଧା, କେନ୍ଦୁଝର, ଢେଙ୍କାନାଳ, ଗଞ୍ଜାମରେ ୬୦ରୁ ୮୦ କିମି ପବନ ହେବ ।
ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୨୬ରେ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳରେ ପ୍ରବଳରୁ ପ୍ରବଳତର ଓ ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବ ।
୨୫ରେ ପୁରୀରୁ ବାଲେଶ୍ୱର ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳତର ବର୍ଷା ହେବ ।
ସମୁଦ୍ର ଅଶାନ୍ତ ଥିବାରୁ ଧାମରା, ପାରାଦୀପରେ ୪ ନମ୍ବର ବିପଦ ସଙ୍କେତ ଓ ଗୋପାଳପୁର ଓ ପୁରୀରେ ୩ ନମ୍ବର ବିପଦ ସଙ୍କେତ ଜାରି ହୋଇଛି ।
Comments are closed, but trackbacks and pingbacks are open.