ବୁଲା ଗୋରୁ ପ୍ରସଙ୍ଗରେ କଠୋର ହେଲା ବିଏମ୍ସି:ରାସ୍ତାରୁ ଉଠାଇ ୫ ଗାଈ ଦାନ କଲା

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ରାସ୍ତାରେ ବୁଲାଗୋରୁ ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବ୍ରହ୍ମପୁର ମହାନଗର ନିଗମ । ଦୁଇ ମାସ ସଚେତନତା କରିବା ପରେ ଆଜି ରାସ୍ତାକଡ଼ ଗାଈ ଉଠା ଅଭିଯାନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ୫ଟି ଗାଈକୁ ରାସ୍ତା କଡ଼ରୁ ସ୍ୱତନ୍ତ୍ର ଗାଡ଼ିରେ ଉଠାଯାଇ ରଙ୍ଗେଇଲୁଣ୍ଡା ବ୍ଲକ୍ର କିଛି ଚାଷୀଙ୍କୁ ଦାନ କରାଯାଇଛି । ଜିଲ୍ଲାପାଳ ତଥା ବିଏମ୍ସି ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେଙ୍କ ନିଦେ୍ର୍ଧଶ ପ୍ରକାରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର କହିଛନ୍ତି । ବ୍ରହ୍ମପୁର ସହରରେ ୫ଶହ ଜଣ ପଞ୍ଜିକୃତ ଗାଈ ଚାଷୀ ରହିଛନ୍ତି । ସେମାନଙ୍କୁ ବାଦ୍ ଦେଇ ଜିଲ୍ଲାରେ ଯେଉଁ ଚାଷୀଙ୍କ ଗାଈ ନାହିଁ ତାଲିକା ପ୍ରସ୍ତୁତ କରିବେ ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସକ । ସେହି ତାଲିକା ପ୍ରକାରେ ବିଏମ୍ସିରୁ ଉଦ୍ଧାର ହେଉଥିବା ଗାଈ-ଗୋରୁର ମାଲିକାନା ନଥିଲେ ଚାଷୀଙ୍କୁ ମାଗଣାରେ ପ୍ରଦାନ କରାଯିବ । ତେବେ ଚାଷୀଙ୍କୁ ଦେବା ପୂର୍ବରୁ ତାହାର ପଞ୍ଜିକରଣ କରାଯାଉଛି । କାରଣ ଆଗାମୀ ଦିନରେ ସେହି ଗାଈ-ଗୋରୁ ପୁଣି ଧରାହେଲେ ସହଜରେ ମାଲିକାନା ଜଣାପଡ଼ିଯିବ । ମାଲିକାନା ଲୁଚାଇବାକୁ ବହୁ ଗୋ-ପାଳକ ନିଜ ଗାଈ-ଗୋରୁ, ମଈଁଷିଙ୍କୁ ପଞ୍ଜିକୃତ କରିନାହାନ୍ତି । ମାଲିକାନା ନଥିବା ଗୋରୁଙ୍କୁ ଚାଷୀଙ୍କୁ ପ୍ରଦାନ ନିଷ୍ପତ୍ତି ଫଳରେ ସମସ୍ତେ ପଞ୍ଜିକରଣ କରିବାକୁ ବାଧ୍ୟ ହେବେ ବୋଲି କମିଶନର ରାଠୋର କହିଛନ୍ତି ।
ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା ରହିଥିବା ବେଳେ ବୁଲା ଗୋରୁ-ଗାଈ ଏହାର ଅନ୍ୟତମ କାରଣ । ଏହି ସମସ୍ୟା ସମାଧାନ କରିବାକୁ ବିଏମ୍ସି ପକ୍ଷରୁ ଗୃହପାଳିତ ପଶୁ ଯଥା-ଗାଈ, ଗୋରୁ, ମଈଁଷିର ପଞ୍ଜିକରଣ କରାଯାଇଛି । ସେମାନଙ୍କ କାନରେ ଟ୍ୟାଗ୍ ଲଗାଇ ଏକ ନମ୍ବର ଦିଆଯାଇଛି, ଯେଉଁଥିରେ ପଶୁର ମାଲିକଙ୍କ ସମସ୍ତ ବିବରଣୀ ସହ ଫୋନ୍ ନମ୍ବର ବି ରଖାଯାଇଛି । ଭବିଷ୍ୟତରେ ଏହି ପଶୁ ରାସ୍ତାରେ ଛଡ଼ାଗଲେ ମାଲିକଙ୍କୁ ସହଜରେ ଜାଣିହେବ ଏବଂ ଜରିମାନା ଆଦାୟରେ ସମସ୍ୟା ରହିବ ନାହିଁ । ବ୍ରହ୍ମପୁର ସହରରେ ଜୁଲାଇ ୨୬ ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ମାସରେ ସରିଥିଲା । ସହରରେ ପାଖାପାଖି ୭ହଜାର ପଶୁ ପଞ୍ଜିକୃତ ହୋଇଛନ୍ତି । ଗଣନା ଅନୁସାରେ ଅଧିକ ପଶୁ ଥିଲେ ମଧ୍ୟ ଜରିମାନା ଭୟରେ ତାହାକୁ ପଞ୍ଜିକୃତ କରାଯାଇ ନାହିଁ । ଯାହାଫଳରେ ବିଏମ୍ସି ପ୍ରଥମ ଦିନରେ ଏଭଳି ପଦକ୍ଷେପ ନେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons