କଣିହାଁ,(ବି.ବି.ନୁ୍ୟଜ୍): ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳରେ ହାତୀ ଉପଦ୍ରବ ସ୍ଥାନୀୟ ଅଧିବାସୀଙ୍କ ନିଜ ହଜାଇ ଦେଇଛି । ସନ୍ଧ୍ୟା ହେଲେ ଘରୁ ଗୋଡ଼ କାଢ଼ିବା ବିପଦପୂର୍ଣ୍ଣ ହୋଇପଡ଼ିଛି । ଶୁକ୍ରବାର ଭୋର ସମୟରେ ବ୍ରାହ୍ମଣୀ ନଦୀ ପାଶ୍ୱର୍କୁ ଶୌଚ ହେବାକୁ ଯାଇଥିବା ବେଳେ ରେଙ୍ଗାଳି ଥାନା ବଜ୍ରକୋଟ ଗ୍ରାମର ମାୟାଧର ବେହେରା (୫୫) ଦନ୍ତାହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଗୋଠଛଡ଼ା ଦନ୍ତାହାତୀ ମାୟାଧରଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି । ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଣିହାଁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରାଥମିକ ଚିକିତ୍ସା ଚାଲିଥିବା ବେଳେ ମାୟାଧରଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ମୃତ ମାୟାଧରଙ୍କ ଘର ବଜ୍ରକୋଟ ଗ୍ରାମର ସୁବର୍ଣ୍ଣ ସାହିରେ ।
ଦୁଇ ଦିନ ହେଲାଣି ରେଙ୍ଗାଳି ବିଟ୍ ଅଞ୍ଚଳରେ ୧୨ଟି ହାତୀ ଗୋଠମାରି ରହିଛନ୍ତି । ଆଖପାଖ ଅଞ୍ଚଳରେ ବୁଲୁଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ ବିଭାଗର କର୍ମଚାରୀ ହାତୀପଲ ଉପରେ ନଜର ରଖିଥିଲେ ମଧ୍ୟ ଘଉଡ଼ାଇବାରେ ବିଫଳ ହୋଇଛନ୍ତି । ଗତକାଲି ରେଙ୍ଗାଳି ଆମ୍ବତୋଟା ଭିତରେ ହାତୀପଲ ରହିଥିବା ବେଳେ ଦୂରରେ ବନ କର୍ମଚାରୀ ଗତିବିଧି ଉପରେ ନଜର ରଖିଥିଲେ । ବିଳମ୍ବିତ ରାତିରେ ହାତୀପଲ ଗାଁ’ ମୁହାଁ ହୋଇଥିଲେ । ଆଜି ଭୋର୍ ବେଳେ ସୁବର୍ଣ୍ଣପୁର ସାହିର ମାୟାଧର ବ୍ରାହ୍ମଣୀ ନଦୀ ପଠାକୁ ଶୌଚ ହେବାକୁ ଯାଇଥିବା ବେଳେ ଗୋଠରୁ ବାହାରି ଏକୁଟିଆ ବୁଲୁଥିବା ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତା ମାୟାଧରଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେବା ସହ କିଛି ଦୂରକୁ ଠେଲି ନେଇଥିଲା । ତାଙ୍କୁ ଲହୁଲୁହାଣ ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।
ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ କାଗଜପତ୍ର ପ୍ରଦାନ ପରେ ଉତ୍ତରାଧିକାରୀଙ୍କୁ ୩ ଲକ୍ଷ୬୦ହଜାର ଟଙ୍କାର ସରକାରୀ ସହାୟତା ପ୍ରଦାନ କରାଯିବ ବୋଲି କଣିହାଁ ବନାଞ୍ଚଳ ଅଧିକାରୀ ନୀଳମଣି ଦେହୁରୀ ସୂଚନା ଦେଇଛନ୍ତି । ଏ ଘଟଣା ନେଇ ରେଙ୍ଗାଳି ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜ୍ଜୁ ହୋଇଛି । ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।


Comments are closed, but trackbacks and pingbacks are open.