ଢେଙ୍କିକୋଟ,(ବି.ବି.ନୁ୍ୟଜ): ଡାହାଣୀ ସନେ୍ଦହରେ ଜଣେ ୬୦ ବର୍ଷୀୟ ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବେ ହତ୍ୟା କରିଛନ୍ି ଦୁଇ ନାବାଳକ । ଏଭଳି ସ୍ପର୍ଶର୍କାତର ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭୋଳବେଡ଼ା ଗ୍ରାମର ମୁଣ୍ଡା ସାହିରେ । ମୃତ ବୃଦ୍ଧା ହେଲେ ମୁଣ୍ଡା ସାହିର କୁନି ମୁଣ୍ଡା(୬୦) । ହତ୍ୟାକାରୀ ଦୁଇ ନାବାଳକ ଏହି ବୀଭତ୍ସ କାଣ୍ଡ କରିବା ପରେ ଢେଙ୍କିକୋଟ ଫାଣ୍ଡିରେ ଆତ୍ମସମର୍ପଣ କରିଥିବା ଜଣାପଡିଛି ।
ସୂଚନା ମୁତାବକ, ଗତ ବୁଧବାର ବିଳମ୍ବିତ ରାତିରେ କୁନି ମୁଣ୍ଡା(୬୦) ଘରେ ଏକା ଶୋଇଥିବାବେଳେ ମୁଣ୍ଡା ସାହିର ଦୁଇ ନାବାଳକ ତାଙ୍କ ଘରକୁ ଆସି ଧାରୁଆ ଅସ୍ତ୍ରରେ ବାରମ୍ବାର ହାଣି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଉଭୟ ଢେଙ୍କିକୋଟ ଫାଣ୍ଡିରେ ଆତ୍ମସର୍ପଣ କରିଛନ୍ତି । ଖବରପାଇ ଘଟଗାଁ ଏସ.ଡି.ପି.ଓ ରବୀନ୍ଦ୍ର କୁମାର ମଲ୍ଲିକ, ଘଟଗାଁ ଥାନାଧିକାରୀ ଶ୍ୟାମଘନ ବେହେରାଙ୍କ ସମେତ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ଗୁରୁବାର ସକାଳୁ ଭୋଳବେଡ଼ା ମୁଣ୍ଡା ସାହିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣା ସ୍ଥାନରେ ପହଞ୍ଚôଥିଲା ।
ନାବାଳକ ମାନେ ନିଜ ପରିବାର ସଦସ୍ୟଙ୍କ କ୍ରମାଗତ ଦେହ ଖରାପ ପାଇଁ କୁନି ମୁଣ୍ଡା ଦାୟୀ ବୋଲି ସନେ୍ଦହ କରି ଆସୁଥିଲେ । କୁନି ଗୁଣିଗାରେଡି କରି ତାଙ୍କ ଘର ଲୋକଙ୍କୁ ଅସୁବିଧାରେ ପକାଉଥିବା ଭାବୁଥିଲେ । ଏଣୁ କୁନି ମୁଣ୍ଡାକୁ ଜୀବନରୁ ମାରିଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି ଉଭୟ ଭାବିଥିଲେ । ଯୋଜନା ମୁତାବକ ବୁଧବାର ରାତିରେ କୁନି ମୁଣ୍ଡା ଶୋଇବା ପରେ ତାଙ୍କ ଘରକୁ ଯାଇ ଉଭୟ ଏକ ଧାରୁଆ ଟାଙ୍ଗିଆରେ ହତ୍ୟା କରିଥିଲେ । ଏନେଇ ଘଟଗାଁ ଥାନାରେ ୧୬୨/୨୦ରେ ହତ୍ୟାକାଣ୍ଡ ମାମଲା ରୁଜୁ କରାଯାଇଛି । ନାବାଳକଙ୍କୁ ଜୁଭେନାଇଲ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।


Comments are closed, but trackbacks and pingbacks are open.