ଝରିଗାଁ,(ବି.ବି.ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ପାଲିଆ ପଞ୍ଚାୟତ ବାସୁଦେବଗୁଡା ଗାଁରେ ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଗୁଣିଗାରେଡ଼ି ସନ୍ଦେହ ଉଠିଛି ଏବଂ ଏହାପରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଗ୍ରାମବାସୀ ଗାଁର ୩ ପରିବାରକୁ ଘରେ ପଶି ମାଡ଼ ମାରିଛନ୍ତି । ଏମିତିକି ମୃତ ବୃଦ୍ଧାଙ୍କ ଶବକୁ ସେମାନଙ୍କ ଘର ସମ୍ମୁଖରେ ପକାଇ ତାଙ୍କୁ ବଞ୍ଚାଇବା ଲାଗି ଜିଦ୍ ଧରିଥିଲେ । ମୃତ ବୃଦ୍ଧାଙ୍କ ନାଁ ମୋତି ଭତ୍ରା(୭୦) । ଅନ୍ୟପକ୍ଷରେ ଏହି ଘଟଣା ପଛରେ ଜଣେ ଶିକ୍ଷକଙ୍କ ହାତ ଥିବା ଅଭିଯୋଗ କରି ଗାଁର ଦେବୀସିଂ ଭତ୍ରା, କୁମର ଭତ୍ରା, ଲକ୍ଷ୍ମୀଧର ଭତ୍ରା ପ୍ରମୁଖ ଝରିଗାଁ ଥାନାରେ ୩ଟି ପୃଥକ ଏତଲା ଦେଇ ପରିବାର ଲୋକଙ୍କ ସୁରକ୍ଷା ଦାବି କରିଛନ୍ତି ।
ମଙ୍ଗଳବାର ଗାଁର ଡମ୍ବରୁ ଭତ୍ରାଙ୍କ ମାଆ ମୋତି ପଞ୍ଚାୟତରୁ ଚାଉଳ ନେଇ ଘରକୁ ଫେରିଥିଲେ । କିଛି ସମୟ ପରେ ମୋତି ପଡ଼ୋଶୀ ଘରକୁ ଯାଇଥିଲେ । ସେଠାରେ କଥାବାର୍ତ୍ତା ହେଉଥିବା ସମୟରେ ବସିବା ସ୍ଥାନରେ ହିଁ ମୁଣ୍ଡ ବୁଲାଇ ଓଲଟି ପଡ଼ି ଯାଇଥିଲେ । ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଡମ୍ବରୁଙ୍କ ପରିବାର ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୋତିଙ୍କ ମୃତ୍ୟୁକୁ ନେଇ ଗୁଣି ସନ୍ଦେହ କରିଥିଲେ ପରିବାର । ପରେ ଡମ୍ବରୁ ଗାଁରେ ଠାକୁରାଣୀଙ୍କ ଚୌକି ବୁଲାଇଥିଲେ । ଏହି ଚୌକି ଯାଇ ଗାଁରେ ପ୍ରଥମେ ଦେବୀସିଂଙ୍କ ଘର ସମ୍ମୁଖରେ ଅଟକି ଯାଇଥିଲା । ଦେବୀସିଂ ଗୁଣି କରିଥିବା ପ୍ରଚାର କରି ମୃତାଙ୍କ ଶବ ତାଙ୍କ ଘର ସମ୍ମୁଖରେ ରଖି ତାଙ୍କୁ ବଞ୍ଚାଇବା ଲାଗି ଜିଦ୍ ଧରିଥିଲେ । ଏହା ପଛରେ ଗାଁର କୁମର ଭତ୍ରା ଓ ଲକ୍ଷ୍ମୀଧର ଭତ୍ରା ସାମିଲ ଥିବା କହି ୫୦ରୁ ଅଧିକ ଲୋକ ଉତ୍ତ୍ୟକ୍ତ ହୋଇ ୩ଜଣଙ୍କ ଘରେ ପଶି ମହିଳା, ଶିଶୁ ଏବଂ ବୃଦ୍ଧଙ୍କୁ ମାଡ଼ ମାରିଥିଲେ । ମୋତିଙ୍କ ଶବ ସକ୍ରାର କରିବା ବଦଳରେ ଉତ୍ତ୍ୟକ୍ତ ଗ୍ରାମବାସୀ ଦେବୀସିଂଙ୍କ ଘର ସମ୍ମୁଖରେ ପକାଇ ରଖିଥିଲେ । ଦୀର୍ଘ ସମୟ ଧରି ଗାଁରେ ଉତ୍ତେଜନା ଲାଗି ରହିଥିଲା । ଏ ସମ୍ପର୍କରେ କେତେକ ଗ୍ରାମବାସୀ ଝରିଗାଁ ଥାନାକୁ ଖବର ଦେଇଥିଲେ । ଥାନା ଅଧିକାରୀ ପ୍ରମୋଦ କୁମାର ନାୟକଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀମାନେ ଗାଁରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ଏହାପରେ ଶବ ସକ୍ରାର କରାଯାଇଥିଲା । ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ରହିଛି ।
ଏତଲାରେ ଦର୍ଶାଯାଇଛି, ଯେ, ଗୁଣିଗାରେଡି ଜାଲ ବିଛାଇବା ଏବଂ ଗ୍ରାମବାସୀଙ୍କୁ ନିଜ ସପକ୍ଷରେ ରଖି ସେମାନଙ୍କୁ ମାଡ଼ ମାରିବା ପଛରେ ଗାଁର ଜଣେ ଶିକ୍ଷକ ଓ ଅନ୍ୟ କେତେକ ବ୍ୟକ୍ତିଙ୍କ ହାତ ରହିଛି । ଏତଲାରେ ସେମାନଙ୍କ ନାଁ ଉଲ୍ଲେଖ କରାଯାଇଛି ।
Comments are closed, but trackbacks and pingbacks are open.